ଓଟିଏମ୍ କ୍ଷତିଗ୍ରସ୍ତଙ୍କୁ ଥଇଥାନ ଓ ନିଯୁକ୍ତି ଦାବି
ଚୌଦ୍ୱାର (ଆପ୍ର): ମାନ୍ୟବର ଅଦାଲତରେ ବିଚାରାଧୀନ ଥିବା ବନ୍ଦ ଓଟିଏମ୍ ସମସ୍ୟା ସମାଧାନ ହେବାର ପଥ ପରିସ୍କାର ହେବାରେ ଲାଗିଛି । ମିଲ୍ର ଶ୍ରମିକ ଓ କର୍ମଚାରୀମାନଙ୍କ ବକେୟା ପ୍ରାପ୍ୟର ସଠିକ୍ ହିସାବ କରି ଅଦାଲତଙ୍କୁ ଜଣାଇବା ଓ ୧୫୦ କୋଟି ଟଙ୍କା ଅଦାଲତରେ ଜମା କରିବା ପାଇଁ ମାନ୍ୟବର ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନିଦେ୍ର୍ଦଶ ଦେବା ଫଳରେ ଦୀର୍ଘଦିନ ଧରି ଦୁର୍ଦ୍ଦଶା ଭିତରେ କାଳ କାଟୁଥିବା ଶ୍ରମିକ ଓ କର୍ମଚାରୀଙ୍କ ମନରେ ଆନନ୍ଦ ପ୍ରକାଶ ପାଇଛି । ହେଲେ ଶ୍ରମିକମାନଙ୍କୁ କେଉଁ ବାବଦ ତଥା କେତେ ଟଙ୍କା ପ୍ରଦାନ କରାଯିବ ସେ ନେଇ କୌଣସି ସ୍ପଷ୍ଟ ଘୋଷଣା ହୋଇ ନଥିବାରୁ ମିଲ୍ର ଶ୍ରମିକ ମାନେ ନାନା ଆଶଂକା ଭିତରେ ରହିଛନ୍ତି । ଓଟିଏମ୍ ଉନ୍ନୟନ ସଂଗଠନ ତରଫରୁ ଏକ ସମ୍ବାଦଦାତା ସମ୍ମିଳନୀର ଆୟୋଜନ କରାଯାଇ ଏସମ୍ପର୍କରେ ସରକାରଙ୍କ ଠାରୁ ସ୍ପଷ୍ଟିକରଣ ଦାବି କରାଯାଇଛି । ସଂଗଠନର ସଭାପତି ଜଗନ୍ନାଥ ବେଉରାଙ୍କ ଆବାହକତ୍ୱରେ ଆହୁତ ଏହି ସମ୍ମିଳନୀରେ ଦାବି କରାଯାଇଛି ଯେ ଶ୍ରମିକ ଓ କର୍ମଚାରୀମାନଙ୍କୁ ସରକାର ପ୍ରଦାନ କରିବାକୁ ଯାଉଥିବା ବକେୟା ଅର୍ଥର ପୁଙ୍ଖାନୁପୁଙ୍ଖ ବିବରଣୀ ସର୍ବସାଧାରରେ ଘୋଷଣା କରାଯାଉ, ଓଟିଏମ୍ କଲୋନୀ ତଥା ନିକଟସ୍ଥ ବସ୍ତିମାନଙ୍କରେ ରହୁଥିବା ଶ୍ରମିକ ଓ କର୍ମଚାରୀମାନଙ୍କ ଥଇଥାନ କରାଯାଉ, ଯେଉଁ ନୂତନ ଶିଳ୍ପ ପ୍ରତିଷ୍ଠା ହେବାକୁଯାଉଛି ତାହା ସରକରାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ହେଉ ଏବଂ ନୂତନ ଶିଳ୍ପରେ ଓଟିଏମ୍ର ଶ୍ରମିକ ଓ କର୍ମଚାରୀ ମାନଙ୍କୁ ପରିବାର ଲୋକଙ୍କ ନିଯୁକ୍ତି ବ୍ୟବସ୍ଥା କରାଯାଉ । ସମ୍ପାଦକ ବିଭୁତି ଭୂଷଣ ଦାସ, କାର୍ଯ୍ୟକାରୀ ସଭାପତି ଶରତ ଚନ୍ଦ୍ର ତ୍ରିପାଠୀ, ରାଜକିଶୋର ସାମନ୍ତ, ରାଜ କିଶୋର ପ୍ରଧାନ, ଛବିନ୍ଦ୍ର ମହାନ୍ତି, ଜିତେନ୍ଦ୍ର କୁମାର ଦାସ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।