ଅନ୍ଧାରରେ ୫ ହଜାର ଛାତ୍ରୀଛାତ୍ରଙ୍କ ଭବିଷ୍ୟତ

୪୧ ହାଇସ୍କୁଲ୍ରେ ଶିକ୍ଷକ ମରୁଡ଼ି
କେନ୍ଦୁଝର (ଆପ୍ର): ରାଜ୍ୟ ସରକାର କେବଳ ସରକାରୀ ହାଇସ୍କୁଲ୍ରେ ଶିକ୍ଷକ ନିଯୁକ୍ତି କରୁଥିବା ବେଳେ ପୂର୍ଣ୍ଣ ଅନୁଦାନପ୍ରାପ୍ତ ହାଇସ୍କୁଲ୍ରେ ଶିକ୍ଷକ ନିଯୁକ୍ତି କରୁ ନ ଥିବାରୁ ଏହି ବିଦ୍ୟାଳୟରେ ଶିକ୍ଷାଦାନ ବାଧାପ୍ରାପ୍ତ ହୋଇଛି । ସରକାରଙ୍କର ବିଚିତ୍ର ବ୍ୟବସ୍ଥା ଯୋଗୁ କେନ୍ଦୁଝର ଜିଲ୍ଲାର ୪୧ ପୂର୍ଣ୍ଣ ଅନୁଦାନପ୍ରାପ୍ତ ଉଚ୍ଚ ବିଦ୍ୟାଳୟଗୁଡ଼ିକରେ ପାଠ ପଢୁଥିବା ପାଖାପାଖି ୫ ହଜାର ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଅନ୍ଧକାରମୟ ହେବାକୁ ବସିଛି । ଶିକ୍ଷକ/ଶିକ୍ଷୟିତ୍ରୀ ଅଭାବରୁ ପିଲାମାନେ ପାଠ ପଢ଼ି ପାରୁନାହାନ୍ତି । ଜିଲ୍ଲାରେ ଥିବା ମୋଟ ୪୧ଟି ପୂର୍ଣ୍ଣ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ୪୧ଜଣ ପ୍ରଧାନଶିକ୍ଷକ ମଧ୍ୟରୁ ମାତ୍ର ୮ଜଣ ପ୍ରଧାନଶିକ୍ଷକ ଥିବାବେଳେ ୩୩ଟି ପ୍ରଧାନଶିକ୍ଷକ ପଦବୀ ଖାଲିପଡ଼ିଛି । ୧୬୪ଟି ବିଜ୍ଞାନ ଏବଂ କଳା ଶିକ୍ଷକ ମଧ୍ୟରୁ ୮୭ଜଣ କାର୍ଯ୍ୟରତ ଥିବାବେଳେ ୭୭ଟି ପଦବୀ ଖାଲିପଡ଼ିଛି । ୪୧ଜଣ ହିନ୍ଦୀ ଶିକ୍ଷକ ମଧ୍ୟରୁ ୩୨ଜଣ କାର୍ଯ୍ୟରତ ଥିବାବେଳେ ୯ଟି ପଦବୀ ଖାଲିପଡ଼ିଛି । ୪୧ଜଣ ସଂସ୍କୃତ ଶିକ୍ଷକ ପଦବୀ ମଧ୍ୟରୁ ୨୪ଜଣ କାର୍ଯ୍ୟରତ ଥିବାବେଳେ ୧୭ଟି ପଦବୀ ଖାଲିପଡ଼ିଛି । ୪୧ଜଣ କ୍ରୀଡ଼ା ଶିକ୍ଷକକ ମଧ୍ୟରୁ ୨୪ଜଣ କାର୍ଯ୍ୟରତ ଥିବାବେଳେ ୧୭ଟି ପଦବୀ ଖାଲିପଡ଼ିଛି । ସେହିପରି ଅଣଶିକ୍ଷକ ପଦବୀରେ ୪୧ଜଣ କିରାଣି ମଧ୍ୟରୁ ୨୬ଜଣ କାର୍ଯ୍ୟରତ ଥିବା ବେଳେ ୧୫ଟି ପଦବୀ ଖାଲିପଡ଼ିଛି । ୮୨ଟି ପିଅନ ପଦବୀ ମଧ୍ୟରୁ ୩୯ ଜଣ କାର୍ଯ୍ୟରତ ଥିବାବେଳେ ୪୩ ଟି ପଦବୀ ଖାଲିପଡ଼ିଛି । ଶିକ୍ଷକ ଏବଂ ଅଣଶିକ୍ଷକ ୪୫୧ଟି ପଦବୀ ମଧ୍ୟରୁ ୨୪୦ଜଣ କାର୍ଯ୍ୟରତ ଥିବାବେଳେ ୨୧୧ଟି ପଦବୀ ଖାଲିପଡ଼ିଛି ।
ପୂର୍ଣ୍ଣଅନୁଦାନପ୍ରାପ୍ତ କେନ୍ଦୁଝରଗଡ଼ ପୌରାଞ୍ଚଳ ଅନ୍ତର୍ଗତ କଲେଜରୋଡ୍ ଉଚ୍ଚ ବିଦ୍ୟାଳୟ, ବଡ଼ହଳରେ ଏବେ ମାତ୍ର ୩ଜଣ ଶିକ୍ଷକ କାର୍ଯ୍ୟ କରୁଛନ୍ତି । ଶିକ୍ଷକ ଅଭାବରୁ ଛାତ୍ରଛାତ୍ରୀଙ୍କ ସଂଖ୍ୟା କମି କମି ଏବେ ୭୦ଜଣ ଅଛନ୍ତି । ବିଜ୍ଞାନ ଶିକ୍ଷକ, ସଂସ୍କୃତ ଶିକ୍ଷକ ଏବଂ ହିନ୍ଦୀ ଶିକ୍ଷକ ମୋଟ ୩ଜଣ ଏଠାରେ ଅଛନ୍ତି । ୬ ମାସ ପରେ ହିନ୍ଦୀ ଶିକ୍ଷକ ପ୍ରଦୀପ କୁମାର ସେନାପତି ଅବସର ନେବାକୁ ଥିବାବେଳେ ୯ ମାସ ପରେ ବିଜ୍ଞାନ ଶିକ୍ଷକ ରାଜେନ୍ଦ୍ର ପ୍ରସାଦ ମହାନ୍ତ ଅବସର ନେବେ । ଏହାକୁ ନେଇ ଅଭିଭାବକ ଚିନ୍ତାରେ ପଡ଼ିଛନ୍ତି । ସଦର ବ୍ଲକ୍ ସନ୍ତୋଷୀ ମା’ ରିଜିଓନାଲ ଉଚ୍ଚ ବିଦ୍ୟାଳୟରେ ପାଖାପାଖି ୧୫୦ ପିଲା ପଢୁଥିବା ବେଳେ ମାତ୍ର ଦୁଇ ଜଣ ଶିକ୍ଷକ ଅଛନ୍ତି । ପୁରୁଣା ଶିକ୍ଷକ ଓ ଅନ୍ୟ କର୍ମଚାରୀ ଅବସର ନେବା ପରେ ଆଉ ପୂରଣ ହେଉନାହିଁ । ଜିଲ୍ଲାର ୪୧ଟି ହାଇସ୍କୁଲରେ ଏଭଳି ସମସ୍ୟା ଦେଖାଦେଇଥିଲେହେଁ ଶିକ୍ଷା ବିଭାଗ ଏଥିପ୍ରତି ଦୃଷ୍ଟି ଦେଉନାହିଁ । ଫଳରେ ପାଠ ପଢୁଥିବା ୫ ହଜାର ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଅନ୍ଧକାର ମୟ ହେବାକୁ ବସିଛି । ତେଲକୋଇ ବ୍ଲକ୍ ମହାପାଟ ହାଇସ୍କୁଲ୍, ରାଣୀବେଡ଼ାରେ ୩ଜଣ, ବ୍ରହ୍ମେଶ୍ୱର ହାଇସ୍କୁଲ, ଜିପିଏମ୍ ହାଇସ୍କୁଲ୍, ଦରଡ଼ିପାଳରେ ୩ ଜଣ, ହରିଚନ୍ଦନପୁର ବ୍ଲକ୍ ପଂଚାୟତ ଉଚ୍ଚ ବିଦ୍ୟାଳୟ ରେବଣା ପଳାଶପାଳରେ ୩ ଜଣ, ସାହାରପଡ଼ା ବ୍ଲକ୍ ଏମକେ ହାଇସ୍କୁଲ,କୁଣ୍ଡଳାରେ ୩ ଜଣ ଏଭଳି ପ୍ରାୟ ସମସ୍ତ ହାଇସ୍କୁଲ୍ରେ କାମଚଳା ଶିକ୍ଷକରେ ଶିକ୍ଷାଦାନ ଚାଲିଛି ।
ଅବସର ନେବା ପରେ ସେ ସ୍ଥାନରେ ଶିକ୍ଷକ/ଶିକ୍ଷୟିତ୍ରୀ କିମ୍ବା କିରାଣି, ଜଗୁଆଳି, ପିଅନ ଆଦି ନିଯୁକ୍ତି ହେଉନଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ବୋଲି କେନ୍ଦୁଝର ଜିଲ୍ଲା ଓଷ୍ଟା ସଂଘର ଜିଲ୍ଲା ସମ୍ପାଦକ ପ୍ରଶାନ୍ତ କୁମାର ମିଶ୍ର କହିଛନ୍ତି । ଏନେଇ ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠୀ କହିଛନ୍ତି, ପୂର୍ଣ୍ଣ କ୍ଷମତାପ୍ରାପ୍ତ ହାଇସ୍କୁଲ୍ଗୁଡ଼ିକରେ ଶିକ୍ଷକ ପଦବୀ ପୂରଣ କରିବା ପାଇଁ ସରକାରଙ୍କ କୋ÷÷ଣସି ବ୍ୟବସ୍ଥା ନାହିଁ । ଏହିସବୁ ସ୍କୁଲଗୁଡ଼ିକର ଖାଲିଥିବା ଶିକ୍ଷକ/ଶିକ୍ଷୟିତ୍ରୀଙ୍କ ସୂଚନା ଓ ସମସ୍ୟା ସରକାରଙ୍କୁ ନିୟମିତ ଅବଗତ କରାଯାଇଛି । ୨୦୨୧-୨୨ ବର୍ଷରେ ଶିକ୍ଷକ ଅଭାବ ଥିବାରୁ କେନ୍ଦୁଝର ଜିଲ୍ଲାରେ ସରକାରୀ ଉଚ୍ଚ ବିଦ୍ୟାଳୟରେ ୩୨ଜଣ, ନୂତନ ପୂର୍ଣ୍ଣର୍ ଅନୁଦାନପ୍ରାପ୍ତ ଉଚ୍ଚ ବିଦ୍ୟାଳୟରେ ୬ ଜଣ ଏବଂ ପୂର୍ଣ୍ଣ ଅନୁଦାନପ୍ରାପ୍ତ ଉଚ୍ଚ ବିଦ୍ୟାଳୟରେ ୧୧ଜଣ ଅତିଥି ଶିକ୍ଷକ ନିଯୁକ୍ତି ଦିଆଯାଇଥିଲା । ଚଳିତ ବର୍ଷ ପୁଣି ଥରେ ଅତିଥି ଶିକ୍ଷକ ନିଯୁକ୍ତି ପାଇଁ ପୁଣି ବିଜ୍ଞପ୍ତି ପ୍ରକାଶ ପାଇଛି । ସରକାର ତୁରନ୍ତ ଅତିଥି ଶିକ୍ଷକ ନିଯୁକ୍ତି ବନ୍ଦ କରି ପୂର୍ଣ୍ଣ ଅନୁଦାନପ୍ରାପ୍ତ ହାଇସ୍କୁଲରେ ଶିକ୍ଷକ ନିଯୁକ୍ତି କରିବାକୁ ଦାବି ହୋଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *