ଦିଲୀପଙ୍କ ନାମାଙ୍କନ ଦାଖଲ

ହକି ଇଣ୍ଡିଆ ସଭାପତି ପଦବୀ
ନୂଆଦିଲ୍ଲୀ, ୧୮ା୯ (ଏଜେନ୍ସି): ଭାରତୀୟ ହକି ଟିମ୍ର ପୂର୍ବତନ ଅଧିନାୟକ ତଥା ଓଡ଼ିଶାର ଅଲିମ୍ପିଆନ୍ ଦିଲୀପ ତିର୍କୀ ରବିବାର ହକି ଇଣ୍ଡିଆର ସଭାପତି ପଦବୀ ପାଇଁ ତାଙ୍କ ନାମାଙ୍କନ ଦାଖଲ କରିଛନ୍ତି ।
ନାମାଙ୍କନପତ୍ର ଦାଖଲ କରିବା ପରେ ତିର୍କୀ କହିଛନ୍ତି ଯେ କ୍ରୀଡ଼ାକୁ ଉଚ୍ଚତର ସୋପାନକୁ ନେବା ତାଙ୍କ ଲକ୍ଷ୍ୟ । ସେ ତାଙ୍କ ଅଫିସିଆଲ୍ ଟ୍ୱିଟର୍ ହ୍ୟାଣ୍ଡଲ୍ରେ ଲେଖିଛନ୍ତି, “ସମସ୍ତଙ୍କ ଆଶୀର୍ବାଦରେ ହକି ଇଣ୍ଡିଆର ସଭାପତି ପଦବୀ ପାଇଁ ମୋର ନାମାଙ୍କନ ଦାଖଲ କରିଛି । ମୁଁ ଭାରତୀୟ ହକିକୁ ନୂଆ ଉଚ୍ଚତାକୁ ନେବା ପାଇଁ ଅଙ୍ଗୀକାରବଦ୍ଧ ।”
ହକି ଇଣ୍ଡିଆ ନିର୍ବାଚନ ଅକ୍ଟୋବର ୯ରେ ହେବାର କାର୍ଯ୍ୟକ୍ରମ ରହିଛି । ବିହାର ସରକାରରେ ପୂର୍ବତନ ନିର୍ବାଚନ ଅଧିକାରୀ ଅଜୟ ନାୟକଙ୍କୁ ଏହି ନିର୍ବାଚନ ପାଇଁ ରିଟର୍ଣ୍ଣିଂ ଅଫିସର୍ ଭାବେ ନିଯୁକ୍ତ କରାଯାଇଛି ।
ପୂର୍ବତନ ଫୁଲ୍ବ୍ୟାକ୍ ୪୪ବର୍ଷୀୟ ତିର୍କୀ ଅତୀତରେ ବିଜୁ ଜନତା ଦଳ (ବିଜେଡି) ପ୍ରାର୍ଥୀ ଭାବେ ରାଜ୍ୟସଭାକୁ ନିଦ୍ୱନ୍ଦ୍ୱର୍ରେ ନିର୍ବାଚିତ ହୋଇଥିଲେ । ଏହା ପୂର୍ବରୁ ସେ ଓଡ଼ିଶା ପର୍ଯ୍ୟଟନ ବିକାଶ ନିଗମର ଅଧ୍ୟକ୍ଷ ଥିଲେ । ଏବେ ସେ ଓଡ଼ିଶା ହକି ପ୍ରମୋସନ୍ କାଉନ୍ସିଲ୍ର ଅଧ୍ୟକ୍ଷ ଅଛନ୍ତି । ସେ ମଧ୍ୟ ହକି ଆସୋସିଏସନ୍ ଅଫ୍ ଓଡ଼ିଶାର ସଭାପତି ରହିଛନ୍ତି ।
ତିର୍କୀ ୧୯୯୮ ବ୍ୟାଙ୍କକ୍ ଓ ୨୦୧୨ ବୁସାନ୍ ଏସିଆଡ୍ରେ ଯଥାକ୍ରମେ ସ୍ୱର୍ଣ୍ଣ ଓ ରୌପ୍ୟ ଜିତିଥିବା ଭାରତୀୟ ଟିମ୍ର ସଦସ୍ୟ ଥିଲେ । ଏହାଛଡ଼ା ସେ କୁଆଲା ଲମ୍ପୁର ଠାରେ ୨୦୦୩ ଏସିଆ କପ୍ ଓ ୨୦୦୭ରେ ଚେନ୍ନାଇ ଠାରେ ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ୧୯୯୯ରେ କାଂସ୍ୟ ପଦକ ପାଇଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *