ଚିତା ଆମ ଅତିଥି
ଭୋପାଳ/ନୂଆଦିଲ୍ଲୀ, ୧୭ା୯: ମଧ୍ୟପ୍ରଦେଶର କୁନୋ ରାଷ୍ଟ୍ରୀୟ ଉଦ୍ୟାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନାମିବାୟାରୁ ଆସିଥିବା ୮ଟି ଚିତା ମଧ୍ୟରୁ ୩ଟିକୁ ଛାଡିଛନ୍ତି । ୭୨ତମ ଜନ୍ମଦିନ ମନାଇବା ଅବସରରେ ପ୍ରଧାନମନ୍ତ୍ରୀ ଶନିବାର ସେଠିକାର କ୍ୱାରେଣ୍ଟିନ୍ ୱାର୍ଡରେ ବାଘମାନଙ୍କୁ ଛାଡିବା ପରେ ସେମାନଙ୍କ ଫଟୋ ଉଠାଇଥିଲେ । ଡିଏସ୍ଏଲ୍ଆର୍ କ୍ୟାମେରାରେ ପ୍ରଧାନମନ୍ତ୍ରୀ ବିଦେଶାଗତ ଚିତାବାଘମାନଙ୍କ ଫଟୋ ଉଠାଇବାର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି ।
ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ, ୭୦ବର୍ଷ ପୂର୍ବେ ଭାରତର ଶେଷ ୩ଟି ଚିତା ବାଘ ଶିକାରୀ ଗୁଳିରେ ମରିଥିଲେ । ଏବେ ବନ୍ଧୁରାଷ୍ଟ୍ର ନାମିବାୟାରୁ ଆସିଥିôବା ଏହି ଚିତା ବାଘମାନଙ୍କୁ ଆମେ ଅତିଥି ଭଳି ବିବେଚନା କରିବା । ‘ପ୍ରୋଜେକ୍ଟ ଚିତା’ ଅନୁଯାୟୀ ଏମାନଙ୍କୁ ବିଦେଶରୁ ଅଣାଯାଇଛି । ଏହାଦ୍ୱାରା ଭାରତରେ ପ୍ରକୃତି ପ୍ରେରଣା ଆହୁରି ଜାଗ୍ରତ ହେବ ।
ନାମିବାୟାରୁ ଜୁମ୍ବୋ ବିମାନ ଯୋଗେ ଚିତାବାଘମାନଙ୍କୁ ପ୍ରଥମେ ଗ୍ୱାଲିୟର ଅଣାଯାଇଥିଲା । ପରେ ସେମାନଙ୍କୁ ଚିନୁକୋ ହେଲିକପ୍ଟରରେ କୁନୋ ରାଷ୍ଟ୍ରୀୟ ଉଦ୍ୟାନରେ ପହଞ୍ଚାଯାଇଥିଲା ।
ବିଦ୍ୟାଚଳ ପର୍ବତମାଳାର ଉତ୍ତରରେ ଅବସ୍ଥିତ ୩୪୪ବର୍ଗ କିମି ପରିମିତି ଏହି ରାଷ୍ଟ୍ରୀୟ ପାର୍କ ଆଫ୍ରିକୀୟ ଚିତାମାନଙ୍କ ପାଇଁ ଉପଯୁକ୍ତ ଆବାସସ୍ଥଳ ବୋଲି ବିଶେଷଜ୍ଞମାନେ ମତ ଦେଇଥିଲେ । ତା’ର କାରଣ କୁନୋ ରାଷ୍ଟ୍ରୀୟ ଉଦ୍ୟାନ ମଧ୍ୟକୁ ଲୋକଙ୍କ ଗତାଗତ ଖୁବ୍ କମ୍ । ପୂର୍ବରୁ ଏହାର ଆଖପାଖରେ ଥିଲା ୨୪ଟି ଗାଁ । ସବୁ ଗ୍ରାମବାସୀଙ୍କୁ ବହୁ ପୂର୍ବରୁ ବିସ୍ଥାପିତ କରାଯାଇଛି । କୁନୋ ପାର୍କରେ ସମ୍ବର, ନୀଳଗାଈ, ବାର୍ହା ଆଦି ଜନ୍ତୁ ବହୁ ସଂଖ୍ୟାରେ ଅଛନ୍ତି । ଚିତାମାନେ ପ୍ରାୟତଃ ଏଭଳି ଛୋଟ ପଶୁ ଶିକାର କରିଥାନ୍ତି । ନାମିବାୟା ଭଳି କୁନୋ ରାଷ୍ଟ୍ରୀୟ ଉଦ୍ୟାନର ହାରାହାରି ତାପମାତ୍ରା ୩୫-୪୦ଡିଗ୍ରୀ । ସେଠାରେ ଅଧିକ ବର୍ଷା ମଧ୍ୟ ହୁଏ ନାହିଁ । ଚିତାମାନେ ଘନ ଜଙ୍ଗଲରେ ଦ୍ରୁତ ବେଗରେ ଶିକାର ପଛରେ ଦୌଡିପାରନ୍ତି ନାହିଁ, ତେଣୁ ଡେଙ୍ଗା ଘାସ ଥିବା ପଡିଆରେ ରହିବାକୁ ପସନ୍ଦ କରନ୍ତି ।