୧୬ଠ ଜନଜାତିଙ୍କୁ ଏସ୍ଟି ତାଲିକାଭୁକ୍ତ କର
କେନ୍ଦ୍ର ମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି
ଭୁବନେଶ୍ୱର, ୧୭ା୯ (ବୁ୍ୟରୋ): କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଅର୍ଜୁନ ମୁଣ୍ଡାଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୧୬୦ ଜନଜାତିଙ୍କୁ ଏସ୍ଟି ତାଲିକାଭୁକ୍ତ କରିବା ଲାଗି ମୁଖ୍ୟମନ୍ତ୍ରୀ ଏହି ପତ୍ର ମାଧ୍ୟମରେ ଦାବି କରିଛନ୍ତି । ଏହା ସହ ଆଦିବାସୀ କଲ୍ୟାଣ ନେଇ ଅନ୍ୟ ପ୍ରସ୍ତାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ପ୍ରସ୍ତାବ ଗୁଡ଼ିକୁ ବିଚାରକୁ ନେବାକୁ ମୁଖ୍ୟମନ୍ତ୍ରୀ ଚିଠିରେ ଅନୁରୋଧ କରିଛନ୍ତି । ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ରାଜ୍ୟରେ ଥିବା ୧୬୦ ଆଦିବାସୀ ସମ୍ପଦାୟଙ୍କୁ ଅନୁସୂଚିତ ଜନଜାତି ତାଲିକାରେ ଅନ୍ତର୍ଭୁକ୍ତ ନିମନ୍ତେ ଦାବି କରିଛନ୍ତି ।
ଅନୁସୂଚିତ ଜନଜାତି ତାଲିକାରେ ରାଜ୍ୟର ୧୬୦ରୁ ଅଧିକ ଜନଜାତିଙ୍କୁ ସାମିଲ କରିବା ପ୍ରସ୍ତାବକୁ କାର୍ଯ୍ୟକାରୀ କରାଯାଉନି । ଏନେଇ ବାରମ୍ବାର କେନ୍ଦ୍ରକୁ ରାଜ୍ୟ ସରକାର ଅବଗତ କରିଛନ୍ତି । କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟର ଏକ ଟାସ୍କଫୋର୍ସ ରାଜ୍ୟର ୯ ପ୍ରସ୍ତାବକୁ ଅଗ୍ରାଧିକାର ଭିତ୍ତିରେ ଅନୁସୂଚିତ ଜନଜାତି ତାଲିକାଭୁକ୍ତ କରିବାକୁ ପ୍ରସ୍ତାବ ଦେଇଛନ୍ତି । କିନ୍ତୁ ସେସବୁ ଜନଜାତି ଏପର୍ଯ୍ୟନ୍ତ ତାଲିକାଭୁକ୍ତ ହୋଇନାହାନ୍ତି । ଏନେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଉଦବେଗ ପ୍ରକାଶ କରିଛନ୍ତି ।
କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଶ୍ରୀ ମୁଣ୍ଡାଙ୍କୁ ଚିଠି ଲେଖି ରାଜ୍ୟର ପ୍ରସ୍ତାବ ଉପରେ ବିଚାର କରିବାକୁ ମୁଖ୍ୟମନ୍ତ୍ରୀ ଦାବି କରିଛନ୍ତି ।
୧୯୭୮ରୁ ରାଜ୍ୟ ସରକାର ଏହା ଭିତରେ ୧୬୦ ଜନଜାତିଙ୍କୁ ତାଲିକାଭୁକ୍ତ କରିବା ପାଇଁ ପ୍ରସ୍ତାବ ଦେଇଛନ୍ତି । ଏହିସବୁ ପ୍ରସ୍ତାବ ଅନୁସୂଚିତ ଜନଜାତି ଉପଦେଷ୍ଟା ପରିଷଦର ଅନୁମୋଦନ ପରେ କେନ୍ଦ୍ରକୁ ପଠାଯାଇଛି । ଦୀର୍ଘ ଦିନରୁ ରାଜ୍ୟ ସରକାର ଏହି ଦାବି କରିଆସୁଥିଲେ ମଧ୍ୟ ଜନଜାତି ଲୋକ ତାଲିକାଭୁକ୍ତ ହୋଇପାରୁ ନ ଥିବାରୁ ସେମାନଙ୍କୁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସୁବିଧା ସୁଯୋଗ ମିଳିପାରୁନାହିଁ । ସେମାନେ ଅନ୍ୟାୟର ଶିକାର ହେଉଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଚିଠିରେ ଉଲ୍ଲେଖ କରିଛନ୍ତି ।
ଏହାକୁ ନେଇ ରାଜ୍ୟରେ ରାଜନୀତି ଆରମ୍ଭ ହୋଇଛି । ଏନେଇ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ ପ୍ରତିକ୍ରିୟା ଦେବା ପରେ ଜବାବ ରଖିଛନ୍ତି ବିଜେଡି ମୁଖପାତ୍ର ଲେନିନ ମହାନ୍ତି । ଲେନିନ କହିଛନ୍ତି, ପୂର୍ବରୁ ୩ ଥର ଏନେଇ ଆଲୋଚନା ହୋଇଛି । ୨୦୧୧, ୨୦୧୨, ୨୦୧୪ ଓ ୨୦୨୧ ମସିହାରେ କେନ୍ଦ୍ରକୁ ରାଜ୍ୟ ସରକାର ଚିଠି ଲେଖିଛନ୍ତି । କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ ଚିଠି ନଦେଖି ପ୍ରତିକ୍ରିୟା ଦିଅନ୍ତି । ଆଦିବାସୀ ସମ୍ପଦାୟଙ୍କୁ ଅନୁସୂଚିତ ଜନଜାତି ତାଲିକାରେ ସାମିଲ କରିବା କେନ୍ଦ୍ରର ଦାଇତ୍ୱ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।