୩୪ ଗ୍ରୀନ୍ ଅଦାଲତ ଲୋକାର୍ପିତ

କଟକ ୧୭ ।୯ (ବୁ୍ୟରୋ): ଓଡ଼ିଶା ହାଇକୋର୍ଟର ୭୫ ବର୍ଷ ପୂର୍ତ୍ତି ଉତ୍ସବ ଅବସରରେ ଶନିବାର ରାଜ୍ୟର ସମସ୍ତ ୩୦ ଜିଲ୍ଲାରେ ୩୪ ପେପରଲେସ୍ (ଗ୍ରୀନ୍) ଅଦାଲତ ସୁପ୍ରିମ୍କୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଉଦୟ ଉମେଶ ଲଳିତଙ୍କ ଦ୍ୱାରା ଲୋକାର୍ପିତ ହୋଇଛି । ଓଡ଼ିଶା ଜୁଡ଼ିସିଆଲ ଏକାଡ଼େମୀରେ ଅନୁଷ୍ଠିତ ଉତ୍ସବରେ ପ୍ରଧାନ ବିଚାରପତି ଜଷ୍ଟିସ ଲଳିତ କହିଛନ୍ତି, ମହାମାରୀ କରୋନା ଯୋଗୁଁ ପେପରଲେସ ବ୍ୟବସ୍ଥା ସହ ବିଶେଷ ଭାବେ ପରିଚିତ ହୋଇଛି ଦେଶ । ତେଣୁ ପରିବର୍ତ୍ତିତ ପରିବେଶ ସହିତ ଖାପ ଖୁଆଇ ଚଳିବାର କଳା ସମସ୍ତେ ଶିଖିବା ଉଚିତ । ଅଦାଲତ ଗୁଡ଼ିକ ପେପରଲେସ ହୋଇପାରିଲେ କୋର୍ଟଙ୍କ ସମୟ ବଞ୍ଚିପାରିବ । ସେହିପରି ମହକିଲମାନେ ଅଯଥାରେ ଖର୍ଚ୍ଚର୍ାନ୍ତ ହେବାରୁ ରକ୍ଷା ପାଇବେ ଏବଂ ଆଇନଜୀବୀମାନେ ଅଧିକ ମାତ୍ରାରେ ଉପକୃତ ହୋଇପାରିବେ ।
ମୁଖ୍ୟ ବିଚାରପତି ଡକ୍ଟର ଏସ୍ ମୁରଲିଧର ଇ-କମିଟିକୁ ଧନ୍ୟବାଦ ଜଣାଇବା ସହ କହିଥିଲେ ଯେ ପେପରଲେସ କୋର୍ଟ, ଇ-ପେମେଣ୍ଟ, ଭର୍ଚୁଆଲ୍ ମୋଡ୍ରେ ଶୁଣାଣି, ଅସୁରକ୍ଷିତ ସାକ୍ଷୀ କେନ୍ଦ୍ର, ଇ-ଟ୍ରାଫିକ ଚ୍ୟାଲେଞ୍ଜ ଆଦି ଅନେକ ବ୍ୟବସ୍ଥା ସମସ୍ତ ଜିଲ୍ଲାରେ କରାଯିବ । ଖୁବ ଶୀଘ୍ର ଓଡ଼ିଶାର ସମସ୍ତ ଆଇନଜୀବୀଙ୍କୁ କାଗଜବିହୀନ କାର୍ଯ୍ୟ କରିବା ପାଇଁ ସ୍କ୍ରିନ-ଟଚ୍ ଲାପ୍ଟପ୍ ଯୋଗାଇ ଦିଆଯିବ । ଇକୋସିଷ୍ଟମ ଏବଂ ଏହାର ଅନ୍ୟାନ୍ୟ ସୁବିଧାକୁ ସନ୍ତୁଳିତ କରିବା ପାଇଁ କାଗଜବିହୀନ ଅଦାଲତର ଆବଶ୍ୟକତା ଉପରେ ଗୁରୁତ୍ୱ ଦିଆଯିବ । କାଗଜବିହୀନ ଅଦାଲତ ଭାରତୀୟ ନ୍ୟାୟପାଳିକା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ।
ଏଥିପାଇଁ ରାଜ୍ୟ ସରକାର ଏବଂ ଓସିଏସିକୁ ମୁଖ୍ୟ ବିଚାରପତି ଧନ୍ୟବାଦ ଜଣାଇଥିଲେ ।
ଜଷ୍ଟିସ ଏମ୍‌ ଆର ଶାହା ଓଡ଼ିଶା ହାଇକୋର୍ଟର ଇ- ପଦକ୍ଷେପକୁ ପ୍ରଶଂସା କରି ଅନ୍ୟ ରାଜ୍ୟରେ ଏଭଳି ବ୍ୟବସ୍ଥା କରାଯାଉ ବୋଲି ଆଶା ପ୍ରକଟ କରିଛନ୍ତି । ସେ ପୁଣି କହିଛନ୍ତି ଆଇଟି ବ୍ୟବହାର ଶିଖିବାରେ ବୟସ କଦାପି ପ୍ରତିବନ୍ଧକ ସାଜି ନଥାଏ । ତେଣୁ ସମସ୍ତ ଆଇନଜୀବୀଙ୍କ ପାଇଁ ନ୍ୟାୟ ପ୍ରଶାସନକୁ ବନ୍ଧୁତ୍ୱପୂର୍ଣ୍ଣ କରିବା ଜରୁରୀ ହୋଇପଡ଼ିଛି । ସେ କାଗଜବିହୀନ ଅଦାଲତର ସୁବିଧା ନେଇ ଗୁରୁତ୍ୱାରୋପ କରିଛନ୍ତି । ସେହିପରି ଜଷ୍ଟିସ ଡ଼ି.ଚନ୍ଦ୍ରଚୂଡ଼ କରିଛନ୍ତି, ଓଡ଼ିଶା ହାଇକୋର୍ଟର ୭୫ ବର୍ଷ ପୂର୍ତ୍ତି ଉତ୍ସବରେ ସମସ୍ତ ଜିଲ୍ଲାରେ କାଗଜବିହୀନ ଅଦାଲତ ଆରମ୍ଭ ହେବାର ଏକ ସର୍ବୋତ୍ତମ ଉପାୟ । ଏହିପରି ବ୍ୟବସ୍ଥାରେ ଆଇନଜୀବୀମାନଙ୍କ ପାଇଁ ସମୟ ସଞ୍ଜୟ ହୋଇପାରିବ । ଏହି ଅବସରରେ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଡି ୱାଇ ଚନ୍ଦ୍ରଚୁଡ, ଜଷ୍ଟିସ ଏମ୍‌ ଆର ଶାହା, ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଡକ୍ଟର ଏସ ମୁରଲୀଧର ପ୍ରମୁଖ ଯୋଗଦେଇ ନୂଆ ବ୍ୟବସ୍ଥା ସହ ଯୋଡ଼ି ହେବା ଲାଗି ସମସ୍ତଙ୍କୁ ଅପିଲ କରିଛନ୍ତି ।
ଓଡ଼ିଶା ହାଇକୋର୍ଟ ସ୍ଥାପନ ହେବାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ସ୍ୱତନ୍ତ୍ର ଡାକ ଟିକଟ ପ୍ରଚଳନ କରାଯାଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *