୨୧ ଯାଏ ପ୍ରବଳ ବର୍ଷା
ସୃଷ୍ଟି ହେଲା ଘୂର୍ଣ୍ଣିବଳୟ
ଭୁବନେଶ୍ୱର, ୧୭ା୯ (ବୁ୍ୟରୋ): ପୂର୍ବ କେନ୍ଦ୍ରୀୟ ପାଶ୍ୱର୍ବର୍ତ୍ତୀ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ବାୟୁମଣ୍ଡଳର ୪.୫ରୁ ୫.୬ କିମି ମଧ୍ୟରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ୨୦ ବେଳକୁ ପଶ୍ଚିମକେନ୍ଦ୍ରୀୟ ପାଶ୍ୱର୍ବର୍ତ୍ତୀ ଉତ୍ତରପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ ସମ୍ଭାବନା ରହିଛି । ଲଘୁଚାପ ପ୍ରଭାବରେ ୧୮ରୁ ୨୦ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି । ପାଣିପାଗ ବିଭାଗର ସୂଚନା ମୁତାବକ, ଆସନ୍ତା ୧୯ ଓ ୨୦ରେ ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ । ୭ରୁ ୧୧ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ହେବା ଆକଳନ ଥିବାବେଳେ ୨୦ ତାରିଖରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି କେନ୍ଦ୍ର ସ୍ପଷ୍ଟ କରିଛି ।
ଆସନ୍ତାକାଲି ରାଜ୍ୟର ୨୦ ଜିଲ୍ଲାକୁ କାଳବୈଶାଖୀ ଭୟ ଥିବାବେଳେ ୯ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ୱାର୍ଣ୍ଣିଂ ପ୍ରକାଶ ପାଇଛି ।
ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ପୁରୀ, ଗଜପତି, ଗଞ୍ଜାମ, କଳାହାଣ୍ଡି, କନ୍ଧମାଳ, କଟକ, ଜଗତସିଂହପୁର, କେନ୍ଦୁଝର, ମୟୁୂରଭଞ୍ଜ, ଅନୁଗୁଳ, ଢ଼େଙ୍କାନାଳ, ରାୟଗଡ଼ା, କୋରାପୁଟ, ମାଲକାନାଗିରି, ନୟାଗଡ଼ ଓ ବୈଦ୍ଧକୁ କାଳବୈଶାଖୀ ନେଇ ୟେଲୋ ୱାର୍ଣ୍ଣିଂ ଥିବାବେଳେ କେନ୍ଦ୍ରାପଡ଼ା, କଟକ, ପୁରୀ, ଜଗତସିଂହପୁର, ଗଞ୍ଜାମ, ଗଜପତି, କନ୍ଧମାଳ ଓ କଳାହାଣ୍ଡିରେ ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ରହିଛି । ୧୯ ତାରିଖ ଦିନ ମଧ୍ୟ ଏକାଧିକ ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ୱାର୍ଣ୍ଣିଂ ଜାରି ହୋଇଥିବାବେଳେ ୨୦ ତାରିଖରୁ ବର୍ଷାର ବିସ୍ତୃତି ଓ ପରିମାଣ ବଢ଼ିବ । ବିଶେଷ କରି କଳାହାଣ୍ଡି, କନ୍ଧମାଳ, ବେଦ୍ଧ, ଅନୁଗୁଳ ଓ ସୋନପୁରରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ । ଏଥିସହ ଗଞ୍ଜାମ, ଗଜପତି, ପୁରୀ, ଖୋର୍ଦ୍ଧା, କଟକ, ନୟାଗଡ଼, ଢେଙ୍କାନାଳ, ଜଗତସିଂହପୁର, କେନ୍ଦୁଝର, ମୟୂରଭଞ୍ଜ, ଦେବଗଡ଼, ସମ୍ବଲପୁର, ବଲାଙ୍ଗୀର, ବରଗଡ଼, ରାୟଗଡ଼ା ଓ ନୂଆପଡ଼ା ଆଦି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ।
ସେପଟେ ଏଥର ପାର୍ବଣ ଫିକା ପଡ଼ିବ ବୋଲି ଆନୁମାନ ପ୍ରକାଶ ପାଇଛି । ସେପ୍ଟେମ୍ବର ଓ ଅକ୍ଟୋବର ମାସରେ ପଛକୁ ପଛ ଲଘୁଚାପ ଆସୁଛି । ଅକ୍ଟୋବର ପ୍ରଥମ ଓ ଦ୍ୱିତୀୟ ସପ୍ତାହରେ ୨ ଲଘୁଚାପ ଥିବାବେଳେ ସେପ୍ଟେମ୍ବର ୨୫ ତାରିଖରେ ପ୍ରଶାନ୍ତ ମହାସାଗରରେ ଏକ ସାଇକ୍ଲୋନିକ୍ ଡିଷ୍ଟର୍ବାନ୍ସ ସୃଷ୍ଟି ହେବ । ଯାହା ଉତ୍ତର ବଙ୍ଗୋପସାଗର ଉପରେ ରହିବ ଓ ଏହାର ପ୍ରଭାବରେ ଓଡ଼ିଶାର ଉତ୍ତର ଓ ଦକ୍ଷିଣ ଉପକୂଳରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ । ଏଥିପାଇଁ ଅକ୍ଟୋବର ୧ରୁ ୪ ତାରିଖ ମଧ୍ୟରେ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବା ନେଇ ପାଣିପାଗ ବିଜ୍ଞାନୀ ଜାସନ୍ ନିକୋଲସ୍ ଆକଳନ କରିଛନ୍ତି । ଅକ୍ଟୋବର ୯ରୁ ୧୬ ତାରିଖ ମଧ୍ୟରେ ପୁଣି ଏକ ଲଘୁଚାପର ସମ୍ଭାବନା ଥିବା ମଧ୍ୟ ସେ କହିଛନ୍ତି । ଏହାର ପ୍ରଭାବ ସର୍ବାଧିକ ରହିବ ବୋଲି ସେ କହିଛନ୍ତି । ମୌସୁମୀ ପରବର୍ତ୍ତୀ ଏହି ଲଘୁଚାପରେ ରାଜ୍ୟରେ ଅଧିକ ବର୍ଷା ହୋଇପାରେ ବୋଲି ପୂର୍ବାକଳନ ପ୍ରକାଶ ପାଇଛି ।