ଶ୍ରୀମନ୍ଦିର ଅନୁଧ୍ୟାନ କଲେ ଏମିକସ୍ କୁ୍ୟରୀ
ପୁରୀ (ବୁ୍ୟରୋ): ଶ୍ରୀମନ୍ଦିର ସୁରକ୍ଷା ଏବେ ବଡ଼ ଚ୍ୟାଲେଞ୍ଜ । ବାରମ୍ବାର ଶ୍ରୀମନ୍ଦିରରେ ଅଘଟଣ ନେଇ ଖବର ପ୍ରକାଶ ପାଇବା ପରେ ଉଦ୍ବେଗ ପ୍ରକାଶ କରିଛନ୍ତି ହାଇକୋର୍ଟ । କୋର୍ଟଙ୍କ ନିଦେ୍ର୍ଦଶକ୍ରମେ ଶନିବାର ପୁରୀ ଗସ୍ତରେ ଆସିଥିଲେ ଏମିକସ୍ କୁ୍ୟରୀ (କୋର୍ଟମିତ୍ର) ଏନ୍ କେ ମହାନ୍ତି ।
ଶ୍ରୀ ମହାନ୍ତି ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଏକ ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ଏମିକସ୍ କୁ୍ୟରୀ (କୋର୍ଟମିତ୍ର) ଶ୍ରୀ ମହାନ୍ତି ଅଧ୍ୟକ୍ଷତା କରି ଶ୍ରୀମନ୍ଦିର ରକ୍ଷଣାବେକ୍ଷଣ ଉପରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ । ବିଶେଷ ଭାବେ ନାଟମଣ୍ଡପ ବିମ୍ରେ ସୃଷ୍ଟି ହୋଇଥିବା ଫାଟକୁ ବୈଠକରେ ଉଦ୍ବେଗ ପ୍ରକାଶ ପାଇଥିଲା । ପ୍ରଥମେ ନାଟମଣ୍ଡପ ବିମ୍ରେ ଫାଟଥିବା ସ୍ଥାନକୁ ମରାମତି କାର୍ଯ୍ୟ ଶୀଘ୍ର ଆରମ୍ଭ କରାଯିବ । ତତ୍ସହିତ ଗର୍ଭଗୃହ, ଜଗମୋହନ, ଭୋଗମଣ୍ଡପର ମଧ୍ୟ ମରାମତି କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି ।
ଅନ୍ୟପକ୍ଷରେ ଏଏସ୍ଆଇ ପକ୍ଷରୁ କ’ଣ କ’ଣ ମରାମତି କରାଯାଇଛି, ଏବେ ତାହାର ସ୍ଥିତି କ’ଣ ରହିଛି, ସେହିପରି ଆଗକୁ କେଉଁ କେଉଁ ସ୍ଥାନକୁ କିଭଳି ମରାମତି କରାଯିବ ସେ ନେଇ ଖସଡ଼ା ପ୍ରସ୍ତୁତ କରାଯାଇଛି । ତାହାର ରିପୋର୍ଟ ଦେବାକୁ ଏଏସ୍ଆଇଙ୍କୁ କୁହାଯାଇଛି । ଶ୍ରୀମନ୍ଦିର ରୋଷଘର ଓ ସ୍ନାନମଣ୍ଡପର ମଧ୍ୟ ପଥର ପରିବର୍ତ୍ତନ କରାଯିବ । ଏନେଇ ସମସ୍ତ ରିପୋର୍ଟ ୮ଦିନ ମଧ୍ୟରେ ହାଇକୋର୍ଟଙ୍କୁ ପ୍ରଦାନ କରାଯିବ ବୋଲି ବୈଠକ ଶେଷରେ ଗଣମାଧ୍ୟମକୁ ସୂଚନା ଦେଇଥିଲେ କୋର୍ଟମିତ୍ର । ଆସନ୍ତା ମାର୍ଚ୍ଚ ସୁଦ୍ଧା ସମସ୍ତ କାର୍ଯ୍ୟ ଶେଷ ହେବ ବୋଲି ଆଶାପ୍ରକଟ କରିଛନ୍ତି କୋର୍ଟମିତ୍ର ।
ଶ୍ରୀମନ୍ଦିର କୋର୍ଟ କମିଟି ସଦସ୍ୟ ଏନ୍ସି ପାଲ କହିଛନ୍ତି ଯେ, ନାଟମଣ୍ଡପ ବିମ୍ରେ ଫାଟ ଓ ପଥର ଖସିଯିବା ନେଇ ଆଲୋଚନା ହୋଇଥିଲା । ଏହାଛଡ଼ା ଜଗମୋହନ ବାହାର ପାଶ୍ୱର୍ ମରାମତି, ରୋଷଘର, କୁରୁମ ବେଢ଼ା ମଧ୍ୟ ମରାମତି ହେବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି । ରତ୍ନଭଣ୍ଡାରକୁ ନେଇ କୌଣସି ଆଲୋଚନା ହୋଇନଥିବା ଶ୍ରୀ ପାଲ ସ୍ପଷ୍ଟ କରିଛନ୍ତି । ଏହି ବୈଠକରେ ଏଏସ୍ଆଇର ବରିଷ୍ଠ ଅଧିକାରୀ ଅରୁଣ ମଲ୍ଲିକ, ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନାଙ୍କ ସମେତ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ ।