୭୧୩ ମାଓ ସମର୍ଥକଙ୍କ ଆତ୍ମସମର୍ପଣ
ମାଲକାନଗିରି, ୧୭ା୯(ଆପ୍ର): ରାଜ୍ୟ ସରକାରଙ୍କ ବିକାଶମୂଳକ କାମରେ ପ୍ରଭାବିତ ହୋଇ ମାଓବାଦୀ ଆତ୍ମସମର୍ପଣ କରୁଛନ୍ତି । ଭୁଶୁଡିବାରେ ଲାଗିଛି ଲାଲଗଡ଼ । ଶନିବାର ପୁଣି ୭୧୩ ଜଣ ମାଓ ସମର୍ଥକ ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି । ଦକ୍ଷିଣାଞ୍ଚଳ (କୋରାପୁଟ) ଡିଆଇଜି ରାଜେଶ ଉତ୍ତମରାଓ ପଣ୍ଡିତଙ୍କ ତତ୍ତ୍ୱାବଧାନରେ ଏବଂ ଏସପି ନିତେଶ ୱାଧୱାନୀଙ୍କ ଉଦ୍ୟମରେ ୩୧୩ ମାଓ ମିଲିସିଆ ଓ ୪୦୦ ସମର୍ଥକ ଆତ୍ମସମର୍ପଣ କରିଛନ୍ତି । ସେମାନଙ୍କ ମଧ୍ୟରେ ଆନ୍ଧ୍ରର ୧୩ ମିଲିସିଆ ଅନ୍ତର୍ଭୁକ୍ତ ଓ ସେମାନେ ଓଡ଼ିଶା ସରକାରଙ୍କ ଥଇଥାନ ନୀତିରେ ପ୍ରଭାବିତ ହୋଇ ମୁଖ୍ୟସ୍ରୋତକୁ ଫେରିଥିବା ପ୍ରକାଶ କରିଛନ୍ତି । ଏହି ଉପକ୍ଷେ ଆତ୍ମସମର୍ପଣ ସମୟରେ ବିଏସ୍ଏଫ୍ ଡିଆଇଜି ମଦନଲାଲ, ୬୫ ବାଟାଲିୟନ କମାଣ୍ଡାଣ୍ଟ ଟିଏନ୍ଏସ୍ ରେଡି, ଚିତ୍ରକୋଣ୍ଡା ଏସ୍ଡିପିଓ ଅଂଶୁମାନ ଦ୍ୱିବେଦୀ ପ୍ରମୁଖ ଉପସ୍ଥିତ ଥିଲେ ।
ସମୁଦ୍ର ପତ୍ତନଠାରୁ ୪ ହଜାର ଫୁଟ ଉଚ୍ଚ ମାଲକାନଗିରି ଜିଲ୍ଲା ବଣ୍ଡା ଘାଟିରେ ମାଓବାଦୀ ପ୍ରଭାବ ବିସ୍ତାର କରିଥିଲେ । ହେଲେ ବିଚ୍ଛିନ୍ନାଞ୍ଚଳ ସ୍ୱାଭିମାନ ଅଞ୍ଚଳରେ ପରିଣତ ହେବା ପରେ ବଣ୍ଡାଘାଟିରେ ବିକାଶ ଧାରା ପ୍ରବାହିତ ହେଲା ଓ ମାଓବାଦୀଙ୍କ ପତିଆରା ହ୍ରାସ ପାଇବାରେ ଲାଗିଲା । ବିଏସ୍ଏଫ୍ ମୁତୟନ, ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଆଣ୍ଟି ନକ୍ସଲ ଅପରେସନ୍ ଓ ବିକାଶମୂଳକ କାର୍ଯ୍ୟକ୍ରମ ଯୋଗୁ ମାଓ ସଙ୍ଗଠନ ଆହୁରି ଦୁର୍ବଳ ହୋଇପଡ଼ିଲା । କ୍ରମେ କ୍ରମେ ମାଓବାଦୀ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ଆରମ୍ଭ କଲେ ।
ଆନ୍ଧ୍ରପ୍ରଦେଶର ରଙ୍ଗବେଲ ପଞ୍ଚାୟତ ପଡାଲପୁଟ ଓ କୁସୁମପୁଟର ୧୩ ଜଣ ମିଲିସିଆ ଓଡ଼ିଶା ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି । ସେମାନଙ୍କ ସହିତ ମାଲକାନଗିରି ଜିଲ୍ଲା ଅଣ୍ଡରାହଲ ପଞ୍ଚାୟତର ଖାଲଗୁଡ଼ା, ପାତ୍ରପୁଟ, ଭେଜାଗୁଡା, ବିଶୋଇଗୁଡାର ୭୦୦ ମାଓ ସମର୍ଥକ ମାଓ ସଙ୍ଗଠନ ଓ ହିଂସା ପରିତ୍ୟାଗ କରିଛନ୍ତି । ଏଥିସହିତ ମାଓବାଦୀ ସଙ୍ଗଠନର ପ୍ରତିକାତ୍ମକ କୁଶ ପୁତ୍ତଳିକା ଦାହ କରି ମାଓ ବିରୋଧୀ ସ୍ଲୋଗାନ ଦେଇଥିଲେ ।
ଉପସ୍ଥିତ ପୁଲିସ ଅଧିକାରୀମାନେ ସେମାନଙ୍କୁ ସାହାଯ୍ୟ ଓ ସୁରକ୍ଷା ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏହିଅବସରରେ ଅନ୍ୟ ମାଓବାଦୀମାନେ ମଧ୍ୟ ଯଥାଶୀଘ୍ର ଆତ୍ମ ସମର୍ପଣ କରିବାକୁ ଡିଆଜି ଶ୍ରୀ ପଣ୍ଡିତ ଆହ୍ୱାନ ଦେଇଥିଲେ ।
ମାଲକାନଗିରିରେ ନିତେଶ ୱାଧବାନୀ ଯୋଗ ଦେବା ପରେ ପ୍ରତିବନ୍ଧିତ ମାଓ ସଂଗଠନର ଦୁଇ କୁଖ୍ୟାତ୍ ମାଓବାଦୀ ବି ରାଜୁ ଓରଫ ସାଗର ଏବଂ ଲକ୍ଷ୍ମଣ ପଡ଼ିଆମି ଓରଫ ଲକ୍ଷ୍ମଣ କୁରାମି ଧରାପଡ଼ିଥିଲେ । ଦୁହେଁ ଓଡ଼ିଶା, ଆନ୍ଧ୍ର ପ୍ରଦେଶ ଓ ଛତିଶଗଡରେ ହତ୍ୟା, ଲୁଣ୍ଠନ, ପୋଡାଜଳା, ଅପହରଣ, ଦେଶ ବିରୋଧୀ କାର୍ଯ୍ୟ, ସ୍ୱାଧୀନତା ଦିବସରେ କଳା ପତାକା ଉଡାଇବା ଭଳି ଅପରାଧରେ ସାମିଲ ଥିଲେ । ଏହାସହିତ ସ୍ୱାଭିମାନ ଅଞ୍ଚଳ ଭାବେ ପରିଚିତ ଯୋଡ଼ାଆମ୍ବ ଥାନା ଯନ୍ତ୍ରୀ ପଞ୍ଚାୟତର ୨୯୫ ଜଣ ମାଓ ମିଲିସିଆଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରାଇବାରେ ସକ୍ଷମ ହୋଇଥିଲେ । ତାଙ୍କ ଉଦ୍ୟମରେ ଏ ପର୍ଯ୍ୟନ୍ତ ପ୍ରାୟ ୧୧୦୦ ଶହରୁ ଊର୍ଦ୍ଧ୍ୱ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି ।