ଜଲ୍ୱା ଦେଖାଇଲେ ବାୟୁବୀର

ପୁରୀ ବେଳାଭୂମି ଆକାଶରେ ପ୍ରଥମ ଏୟାର ସୋ’
ପୁରୀ (ବୁ୍ୟରୋ): ଶଦ୍ଦ ଯେତିକି କର୍କଶ ଥିଲା, ଗତି ସେତିକି କ୍ଷୀପ୍ର ଥିଲା । ଆଖିପିଛୁଳାକେ ଲୁଚି ଯାଉଥିଲେ ଓ ପୁଣି ଦୃଶ୍ୟମାନ ହେଉଥିଲେ ଆକାଶରେ । ଲାଗୁଥିଲା ସତେ ଯେମିତି ବିମାନଗୁଡ଼ିକ ମନଠୁ ବି ଅଧିକ ବେଗରେ ଗତି କରୁଥିଲେ । କେତେବେଳେ ସିଧାସଳଖ ଉପରକୁ ଉଠୁଥିଲେ ତ କେତେବେଳେ ସିଧା ତଳକୁ ମୁହଁ କରି ଖସି ଆସୁଥିଲେ । ଯେମିତି ସମୁଦ୍ରର ନୀଳ ଜଳରାଶିରେ ଖସିପଡ଼ିବେ କି । ଆଖି ବୁଜି ହୋଇଯାଉଥିଲା, ମାତ୍ର ହଠାତ୍ ପୁଣି ଚିତ୍ପଟାଙ୍ଗ ହୋଇ ଉପରକୁ ଉଠି ଆକାଶରେ ଛପି ଯାଉଥିଲା । ବେଳେବେଳେ ଦୁଇ ବିମାନ ମଝିରେ ପଶି ଆଉ ଏକ ବିମାନ ନିମିଷକେ ମଧ୍ୟରେ ଚାଲି ଯାଉଥିଲା । ଥରି ଯାଉଥିଲା ଛାତି । ବିମାନ ଓ ବିମାନ ମଧ୍ୟରେ ଧକ୍କା ହୋଇଯିବ ବୋଲି ଜଣାପଡୁଥିଲା । କିନ୍ତୁ ସେଭଳି କିଛି ବି ହୋଇ ନ ଥିଲା । କେତେବେଳେ ଗତି କମିଯାଉଥିଲା, ପୁଣି କେତେବେଳେ କ୍ଷୀପ୍ର ଗତିରେ ଆକାଶରେ ପଇଁତରା ମାରୁଥିଲା । ଏପରିକି ଚଢ଼େଇ ଭଳି ଖେଳୁଥିଲେ ଆକାଶ ବୁକୁରେ । କିଏ ଓଲଟା ଉଡୁଥିଲା ତ କିଏ ତେରଚ୍ଛା ଉଡୁଥିଲା । କ୍ଷୀପ୍ର ବେଗ ବେଳେ ଛାତିରେ ଛନକା ପଶି ଯାଉଥିଲା । ଏହି ସମୟରେ ଦର୍ଶକଙ୍କ ମଧ୍ୟରେ ଶିହରଣ ଖେଳିଯାଉଥିଲା ହୃଦୟରେ । ପୁଣି ଧୀର ବେଗ ବେଳେ ମନ ପୂରି ଉଠୁଥିଲା । ସକାଳ ୧୦ଟା ୨୦ରେ ସୋ’ ଆରମ୍ଭ ହୋଇଥିଲା । ପ୍ରାୟ ୩୦ମିନିଟ୍ ଧରି ବ୍ଲୁ-ଫ୍ଲାଗ୍ ବିଚ୍ ଆକାଶରେ ଜଲୱା ଦେଖାଇଥିଲେ ବାୟୁବୀରମାନେ ।
ଶନିବାର ଭାରତୀୟ ବାୟୁସେନା ସେମାନଙ୍କ ଏୟାର ସୋ’ସୂର୍ଯ୍ୟକରଣ ଅବସରରେ ସେମାନଙ୍କ ସୌର୍ଯ୍ୟ ତଥା ବୀରତ୍ୱର ଗାଥା ପ୍ରଦର୍ଶନ କରିଥିଲେ । ଆଜାଦୀ କା ଅମୃତ ମହୋତ୍ସବ ଅବସରରେ ଅନୁଷ୍ଠିତ ଏହି ଏୟାର ସୋ’ କାର୍ଯ୍ୟକ୍ରମରେ ବାୟୁସେନାର ୯ଟି ହକ୍ ବିମାନ ସାମିଲ ଥିଲେ । ଏହି ଲଢୁଆ ବିମାନଗୁଡ଼ିକ ପୁରୀ ବେଳାଭୂମିର ନୀଳ ଆକାଶରେ ଛାଇ ଯାଇଥିଲେ । ୫ଶହରୁ ୧ହଜାର ଫୁଟ୍ ଉଚ୍ଚରୁ ଘଣ୍ଟା ପ୍ରତି ୧୫ଶହ କିଲୋମିଟର ବେଗରେ ଏଭଳି କଳାକୌଶଳ ପ୍ରଦର୍ଶନ କରିଥିଲେ ବାୟୁବୀରମାନେ । ପାଖାପାଖି ୩୦ ମିନିଟ୍ ଧରି ସୋ’ ଚାଲିଥିବା ବେଳେ ବିମାନ ଉଡ଼ାଣରୁ ନିର୍ଗତ ରଙ୍ଗିନ୍ ଧୂଆଁ କିଛି କ୍ଷଣ ଆକାଶରେ ଇନ୍ଦ୍ରଧନୁର ଭ୍ରମ ସୃଷ୍ଟି କରୁଥିଲା । ବାୟୁସେନାର ଏଭଳି କଳା ଓ ଦକ୍ଷତା ପ୍ରଥମେ ପୁରୀରେ ଅନୁଷ୍ଠିତ ହେଉଥିବାରୁ ପୁରୀବାସୀଙ୍କୁ ଏହା ବେଶ୍ ରୋମାଞ୍ଚ କରିଥିଲା । ଏହି ସୋ’ ଦେଖିବା ଲାଗି ସକାଳ ସାଢ଼େ ୯ଟାରୁ ବ୍ଲୁ-ଫ୍ଲାଗ୍ ବିଚ୍ ସହ ପେଣ୍ଠକଟା ଓ ଦିଗବାରେଣୀ ବେଳାଭୂମି ପାଲଟିଥିଲା ଲୋକାରଣ୍ୟ । ଅନେକ ଲୋକ ମଧ୍ୟ ନିଜ ଘରର ଛାତ ଓ ହୋଟେଲ ଛାତ ଉପରେ ଠିଆ ହୋଇ ବାୟୁସେନାର କଳାପ୍ରଦର୍ଶନକୁ ଉପଭୋଗ କରିଥିଲେ । ସେହିଭଳି ଏୟାର ସୋ’ ସମୟରେ ଭାରତମାତା କି ଜୟ ଧ୍ୱନିରେ ପ୍ରକମ୍ପିତ ହୋଇପଡ଼ିଥିଲା ବେଳାଭୂମି । ଏହି ସୋ’ ଦେଖିବା ଲାଗି ବେଳାଭୂମିରେ ହଜାର ହଜାର ସଂଖ୍ୟାରେ ଦର୍ଶକଙ୍କ ସମାଗମ ହୋଇଥିଲା ।
କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ, ଜିଲ୍ଲାପାଳ ସମର୍ଥ ବର୍ମା, ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ, କୈଳାସ ଚନ୍ଦ୍ର ନାୟକ, ଦିଲ୍ଲୀପ କୁମାର ମହାପାତ୍ର, ପୌରନିର୍ବାହୀ ଅଧିକାରୀ ସରୋଜ କୁମାର ସ୍ୱାଇଁ, ଏସ୍ପି କନୱାର ବିଶାଲ ସିଂହ, ଅତିରିକ୍ତ ଏସ୍ପି ମିହିର କୁମାର ପଣ୍ଡା, ସିଟି ଡିଏସ୍ପି ଜନାର୍ଦ୍ଦନ ପାଢ଼ୀଙ୍କ ସମେତ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ, ସ୍ୱେଚ୍ଛାସେବୀ ଅନୁଷ୍ଠାନ, ଏନ୍ସିସି କ୍ୟାଡେଟ୍, ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀଙ୍କ ସହ ସାଧାରଣ ଲୋକମାନେ ଯୋଗଦେଇ ଏହି ଏହାର ସୋ’କୁ ଉପଭୋଗ କରିଥିଲେ ।
ରବିବାର ଦିନ ସକାଳ ୧୦ଟାରେ ରାଜଭବନ ନିକଟସ୍ଥ ବ୍ଲୁ-ଫ୍ଲାଗ୍ ବିଚ୍ରେ ପୁଣି ଏହାର ସୋ’ ହେବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ଦିଆଯାଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *