କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ସମୀକ୍ଷା କଲେ ମନ୍ତ୍ରୀ
ଭୁବନେଶ୍ୱର (ବୁ୍ୟରୋ): ରାଜ୍ୟ ଜଳସମ୍ପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ ବିଭାଗୀୟ ଯନ୍ତ୍ରୀ ଓ କ୍ଷେତ୍ରସ୍ତରୀୟ ଅଧିକାରୀଙ୍କ ସହ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ କାର୍ଯ୍ୟକାରିତା ଓ ନିର୍ମାଣାଧୀନ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି । ଭୁବନେଶ୍ୱର ସ୍ଥିତ କ୍ଷୁଦ୍ର ଜଳସେଚନ ଡିଭିଜନ ମୁଖ୍ୟ ଯନ୍ତ୍ରୀଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ବୈଠକରେ ମନ୍ତ୍ରୀ ଶ୍ରୀମତୀ ସାହୁ ରାଜ୍ୟରେ ଥିବା ବିଭିନ୍ନ କ୍ଷୁଦ୍ର ଜଳସେଚନ ପ୍ରକଳ୍ପର ରକ୍ଷଣାବେକ୍ଷଣ ଉପରେ ଗୁରୁତ୍ୱାରୋପ କରିଥିଲେ । ଅଧିକାରୀମାନେ ଅଧିକରୁ ଅଧିକ କ୍ଷେତ୍ର ପରିଦର୍ଶନ କରି ପ୍ରକଳ୍ପର ବାସ୍ତବ ସ୍ଥିତି ଅନୁଧ୍ୟାନ କରିବା ସହ ସେସବୁର ରକ୍ଷଣାବେକ୍ଷଣ ପାଇଁ ପଦକ୍ଷେପ ନେବାକୁ ନିଦେ୍ର୍ଦଶ ଦେଇଥିଲେ । ସମ୍ପୃକ୍ତ ଅଞ୍ଚଳର ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଜିଲ୍ଲାସ୍ତରୀୟ ଅଧିକାରୀ, ଜନ ପ୍ରତିନିଧି ଓ ପାଣି ପଞ୍ଚୟତ ସହ ଆଲୋଚନା କରି ଏ ଦିଗରେ ଉଚିତ୍ ପଦକ୍ଷେପ ନେବାକୁ ମନ୍ତ୍ରୀ ଶ୍ରୀମତୀ ସାହୁ କହିଥିଲେ ।
ବୈଠକରେ ଡିଭିଜନର ମୁଖ୍ୟାଳୟରେ କ୍ଷୁଦ୍ର ଜଳସେଚନ ମୁଖ୍ୟ ଯନ୍ତ୍ରୀ ଚିନ୍ମୟ ରଞ୍ଜନ ରାଉତଙ୍କ ସମେତ ଅନ୍ୟ ବରିଷ୍ଠ ଯନ୍ତ୍ରୀ ଓ ପଦାଧିକାରୀ ଉପସ୍ଥିତ ଥିବାବେଳେ କ୍ଷେତ୍ରସ୍ତରରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ କ୍ଷୁଦ୍ର ଜଳସେଚନ ଡିଭିଜନର ଯନ୍ତ୍ରୀମାନେ ବୈଠକରେ ଆଭାସୀ ମାଧ୍ୟମରେ ଯୋଗଦେଇଥିଲେ ।