ଭିସୁଟ୍ ମାଷ୍ଟର୍ ପ୍ଲାନ୍ ଅନୁମୋଦିତ

ଭୁବନେଶ୍ୱର (ବୁ୍ୟରୋ): ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଶନିବାର ବୁର୍ଲାସ୍ଥିତ ବୀର ସୁରେନ୍ଦ୍ରସାଏ ୟୁନିଭରସିଟି ଅଫ ଟେକ୍ନୋଲେଜି (ଭିସୁଟ୍)ର ଉନ୍ନତିକରଣ ପାଇଁ ପ୍ରସ୍ତାବିତ ମାଷ୍ଟରପ୍ଲାନକୁ ଅନୁମୋଦିତ କରିଛନ୍ତି । ୨୦୨୬ସୁଦ୍ଧା ଏହି ଅନୁଷ୍ଠାନରେ ୨୪ ଅଣ୍ଡର ଗ୍ରାଜୁଏଟ ବିଭାଗରେ ୧୦ ହଜାରରୁ ଅଧିକ ଛାତ୍ରଛାତ୍ରୀ ପାଠ ପଢିବାର ବ୍ୟବସ୍ଥା କରାଯିବ । ଏଥିପାଇଁ ୩ ପର୍ଯ୍ୟାୟରେ ୨୦୦୦ କୋଟି ଟଙ୍କା ଖର୍ଚ୍ଚ କରାଯିବ ।
ସୂଚନାଯୋଗ୍ୟ, ଗତ ଅଗଷ୍ଟ ୨୫ରେ ମୁଖ୍ୟ ଶାସନ ସଚିବ, ମୁଖ୍ୟମନ୍ତ୍ରୀଙ୍କ ୫-ଟି ସଚିବ ମୁଖ୍ୟମନ୍ତ୍ରୀଙ୍କ ନିଦେ୍ର୍ଦଶକ୍ରମେ ବୁର୍ଲା ଗସ୍ତ କରି ଏହାକୁ ଏକ ଉକ୍ରର୍ଷ କେନ୍ଦ୍ର ଭାବରେ ବିକଷିତ କରିବା ପାଇଁ ମାଷ୍ଟର ପ୍ଲାନ ପ୍ରସ୍ତୁତ କରିବାକୁ ପରାମର୍ଶ ଦେଇଥିଲେ । ଏହି ମାଷ୍ଟରପ୍ଲାନ ଅନୁଯାୟୀ ୨୦୩୦ ସୁଦ୍ଧା ଏହାକୁ ଏକ ମଲ୍ଟି ଡିସିପ୍ଲିନାରି ଇଞ୍ଜିନିୟରି ଓ ରିସର୍ଚ୍ଚ ୟୁନୁଭର୍ସିଟି ଭାବରେ ବିକଶିତ କରାଯିବ । ଏହା ଦେଶର ପ୍ରମୁଖ ଇଞ୍ଜିନିୟରିଂ ଅନୁଷ୍ଠାନ ଆଇଆଇଟି ଓ ଏନ୍ଆଇଟି ପରି ସଂସ୍ଥାଙ୍କ ସହ ସମକକ୍ଷ ହେବ । ଏଥିରେ ସ୍କୁଲ୍ ଅଫ୍ ଇଞ୍ଜିନିୟରିଂ, ସ୍କିଲ୍ ଡେଭ୍ଲପ୍ମେଣ୍ଟ୍ ସେଣ୍ଟର, ସ୍କୁଲ୍ ଅଫ୍ ମେଡିକାଲ ସାଇନ୍ସ ଓ ସ୍କୁଲ୍ ଅଫ୍ ବେସିକ୍ ସାଇନ୍ସ ପରି ୭ ସ୍କୁଲ ରହିବ ।
ମାଷ୍ଟରପ୍ଲାନ ଅନୁଯାୟୀ ଅନୁଷ୍ଠାନରେ ୧୦,୮୬୪ ଜଣ ଛାତ୍ରଛାତ୍ରୀ ପାଠ ପଢିବା ପାଇଁ ବ୍ୟବସ୍ଥା କରାଯିବ । ବର୍ତ୍ତମାନ ୨୮୪୯ ଛାତ୍ରଛାତ୍ରୀ ବିଭିନ୍ନ କୋର୍ସରେ ପାଠ ପଢୁଛନ୍ତି । ଏଥିରେ ୭ ସ୍କୁଲରେ ୨୪ ଇଞ୍ଜିନିୟରିଂ ପ୍ରୋଗ୍ରାମ, ୧୪ରୁ ଅଧିକ ବିଭାଗ ଓ ୨୭ରୁ ଅଧିକ ଉକ୍ରର୍ଷ କେନ୍ଦ୍ର ଗଠନ କରାଯିବ । ପ୍ରତ୍ୟେକ ସ୍କୁଲରେ ଶ୍ରେଣୀ ଗୃହ, ଲାବୋରେଟୋରୀ, ପ୍ରଫେସରଙ୍କ ଚାମ୍ବର ଓ ଗ୍ୟାଲେରୀ ରହିବ । ସମସ୍ତ ସ୍କୁଲରେ ଅତ୍ୟାଧୁନିକ ଗବେଷଣା କେନ୍ଦ୍ର ଓ ଲାବୋରେଟୋରୀ ସୁବିଧା ଉପଲବ୍ଧ ହେବ । ପ୍ରତ୍ୟେକ ଉକ୍ରର୍ଷ କେନ୍ଦ୍ର ସହ ଶିଳ୍ପାନୁଷ୍ଠାନର ସହଭାଗୀତା କରାଯିବ ଏବଂ ଏଥିରେ ଅତି କମ୍ରେ ଜଣେ ପୂର୍ବତନ ଛାତ୍ର ମେଣ୍ଟର ଭାବରେ ଦାୟିତ୍ୱ ଗ୍ରହଣ କରିବେ । ଏହାଦ୍ୱାରା ପ୍ରତ୍ୟେକ ଉକ୍ରର୍ଷ କେନ୍ଦ୍ର ଶିଳ୍ପାନୁଷ୍ଠାନ ପାଇଁ ଅତ୍ୟାଧୁନିକ ଗବେଷଣା ଓ ପରାମର୍ଶ କେନ୍ଦ୍ର ଭାବରେ କାର୍ଯ୍ୟ କରିପାରିବ ଏବଂ ଗ୍ରାମ୍ୟ ଓ ସହରାଞ୍ଚଳର ଉନ୍ନତିକରଣ ପାଇଁ ଏକ ନୋଡାଲ ସେଣ୍ଟର ଭାବରେ ମଧ୍ୟ କାର୍ଯ୍ୟ କରିପାରିବ ।
ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩ ମାସ ମଧ୍ୟରେ ସମସ୍ତ ସ୍ମାର୍ଟ କ୍ଲାସ ରୁମ୍ ନିର୍ମାଣ କାମ ସମ୍ପୂର୍ଣ୍ଣ କରିବାକୁ ନିଦେ୍ର୍ଦଶ ଦେଇଥିଲେ । ହଷ୍ଟେଲ ଓ ଅନ୍ୟାନ୍ୟ ସାଧାରଣ ମରାମତି କାମକୁ ତୁରନ୍ତ ଶେଷ କରାଯିବ ଏବଂ ଅନୁଷ୍ଠାନକୁ ୨୪ ଘଣ୍ଟିଆ ବିଦୁ୍ୟତ ବ୍ୟବସ୍ଥାର ସୁବିଧା କରାଯିବ । ମୁଖ୍ୟମନ୍ତ୍ରୀ ବିଶ୍ୱବିଦ୍ୟାଳୟର କୁଳପତି ଓ ପ୍ରଫେସରଙ୍କ ସହ ଆଲୋଚନା କରିଥିଲେ । ସେମାନେ ସମସ୍ତେ ଏହି ରୂପାନ୍ତର କାର୍ଯ୍ୟର ଉଚ୍ଚପ୍ରଶଂସା କରିବା ସହ ଏଥିପାଇଁ ପ୍ରତିବଦ୍ଧତା ସହ କାମ କରିବେ ବୋଲି ପ୍ରତିଶୃତି ଦେଇଥିଲେ । ଆଲୋଚନାରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଓ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ । ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ ପାଣ୍ଡିଆନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଦକ୍ଷତା ବିକାଶ ବିଭାଗ ପ୍ରମୁଖ ସଚିବ ହେମନ୍ତ ଶର୍ମା ଉପସ୍ଥାପନା ରଖିଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *