ଶାରଳାଙ୍କ ଶାରଦୀୟ ପାର୍ବଣ ପୂଜା ଆରମ୍ଭ

ଝଙ୍କଡ଼ (ଆପ୍ର): ପ୍ରସିଦ୍ଧ ଶକ୍ତିପୀଠ ବାଣୀକ୍ଷେତ୍ର ଝଙ୍କଡ଼ ଅଧିଷ୍ଠାତ୍ରୀ ଦେବୀ ମା’ଶାରଳାଙ୍କ ସାର୍ବଜନୀନ ଶାରଦୀୟ ପାର୍ବଣ ପୂଜା ଶୁଭାରମ୍ଭ ହୋଇଛି । ଆସନ୍ତା ଅକ୍ଟୋବର ୨ ତାରିଖ ମହାଷ୍ଟମୀ ଦିନ ଏହା ଉଦ୍ୟାପିତ ହେବାକୁ ଥିବା ବେଳେ ଦୀର୍ଘ ଷୋଳଦିନ ବ୍ୟାପି ଶାରଦୀୟ ପାର୍ବଣ କରାଯିବ । ପ୍ରତିଦିନ ପ୍ରାତଃ ୫ଟା ବେଳେ ମଙ୍ଗଳଆଳତୀ, ସକାଳ ୭ଟାରେ ମଧୁସ୍ନାନ, ମାର୍ଜନା ଓ ବେଶ ପରେ ମହାପ୍ରସାଦ ସମର୍ପଣ, ପାଞ୍ଜିପାଠ ବାଳଭୋଗ ପୂଜା, ସୂର୍ଯ୍ୟପୂଜା ସମୂହଚଣ୍ଡୀପାଠ ଓ ବିଶ୍ୱଶାନ୍ତି ମହାଯଜ୍ଞରେ ଆହୁତି ପ୍ରଦାନ କରାଯିବ । ଷୋଡଶ ଉପଚାର ପୂଜା ପ୍ରଥମ ପ୍ରହର ଓ ଦ୍ୱିତୀୟ ପ୍ରହରଧୂପ ପରେ ଅପରାହ୍ନ ୩ଟାରେ ପହୁଡ଼ପଡିବ । ପୁନଃଶ୍ଚ ଅପରାହ୍ନ ଚାରିଟାରେ ପହୁଡ଼ ଖୋଲାଯାଇ ମାର୍ଜନା ପରେ ସନ୍ଧ୍ୟାବେଶ ଓ ଆରତୀ ପରେ ଶୁଦ୍ରମୁନି ସାରଳାଦାସଙ୍କ ବିରଚିତ ଚଣ୍ଡୀପୁରାଣ ପାଠ ଜପଯଜ୍ଞ ଅନୁଷ୍ଠିତ ହେବ । ପ୍ରତିଦିନ ରାତି ୧୦ଟାରେ ବଡ଼ସିଂହାର ପରେ ସମ୍ପୂର୍ଣ୍ଣ ସୁନାବେଶରେ ସ୍ୱଳ୍ପସମୟ ପାଇଁ ମା’ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ । ସେପ୍ଟେମ୍ବର ୨୫ରୁ ନବରାତ୍ରି ଉପଲକ୍ଷେ ରାତି ୯ଟା ବେଳେ ମା’ଙ୍କ ଚଳନ୍ତିପ୍ରତିମା ବିଜେ, ପ୍ରତିମା ମହାଷ୍ଟମୀ ପର୍ଯ୍ୟନ୍ତ ଏକ ସୁସଜ୍ଜିତ ବିମାନ ଆରୋହଣ କରି ଦାଣ୍ଡଯାତ୍ରାରେ ନଗର ପରିକ୍ରମା କରିବେ ।
ସେପ୍ଟେମ୍ବର ୩୦ରୁ ଅକ୍ଟୋବର ୨ ପର୍ଯ୍ୟନ୍ତ ୩ ଦିନ ଷଷ୍ଠୀ, ସପ୍ତମୀ ଓ ମହାଷ୍ଟମୀ ଉପଲକ୍ଷେ ସନ୍ଧ୍ୟାରେ ମହିଷା ମର୍ଦ୍ଦିନୀ ବେଶ ହେବା ସହିତ ରାତି ୧୦ଟାରେ କାଳିକା ନୃତ୍ୟ ମନ୍ଦିର ବେଢା ଓ ପୀଠ ପରିକ୍ରମା କରିବ । ରବିବାର ମହାଷ୍ଟମୀ ଦିନ ରାତି ୩ଟାରେ ସନ୍ଧିପୂଜା ଓ ପ୍ରାତଃ ସମୟରେ ପୂର୍ଣ୍ଣାହୁତି ପ୍ରଦାନ କରାଯିବ ବୋଲି ଶାରଳା ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *