ମୁଖ୍ୟମନ୍ତ୍ରୀଙ୍କୁ ମିଶନ୍ ଶକ୍ତି ମା’ଙ୍କ କୃତଜ୍ଞତା

ଭୁବନେଶ୍ୱର, ୧୬ା୯ (ବୁ୍ୟରୋ): ଜାତୀୟ ପତାକା ତିଆରି କରିବାର ସୁଯୋଗ ପାଇ ଆମେ ଗର୍ବିତ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆମ ଉପରେ ଭରସା କରି ଆମକୁ ଏ ମହାନ ସୁଯୋଗ ଦେଇଥିବାରୁ ଆମେ ତାଙ୍କ ନିକଟରେ କୃତଜ୍ଞ । ଶୁକ୍ରବାର ନବୀନ ନିବାସରେ ୬ ଜିଲ୍ଲାର ମିଶନ ଶକ୍ତିର ମା’ମାନେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କୁ ଭେଟି ଏହା କହିଛନ୍ତି । ସନ୍ଧ୍ୟାରେ ଗଞ୍ଜାମ, ଗଜପତି, ନୂଆପଡା, ରାୟଗଡା, କୋରାପୁଟ ଓ ମାଲକାନଗିରିର ୮୪ ମିଶନଶକ୍ତି ଗୋଷ୍ଠୀର ମା’ମାନେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କୁ ଭେଟିଥିଲେ । ଏହି ଅବସରରେ ଗତ ଅଗଷ୍ଟ ୧୫ ତାରିଖ ୭୫ତମ ସ୍ୱାଧୀନତା ଦିବସ ପାଳନରେ ମା’ମାନେ ଜାତୀୟ ପତାକା ତିଆରି ଦାୟିତ୍ୱ ନେଇ ଦକ୍ଷତାର ସହ ତୁଲାଇ ଥିବାରୁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ
ମୁଖ୍ୟମନ୍ତ୍ରୀ କହିଥିଲେ, ଆପଣମାନଙ୍କ ଉପରେ ମୋର ପୁରା ଭରସା ରହିଛି । ଆପଣମାନଙ୍କ ଭିତରେ ବହୁତ କିଛି କରିବାର ସାମର୍ଥ ରହିଛି । ବହୁତ କମ୍ ସମୟ ପାଇ ମଧ୍ୟ ଆପଣମାନେ ୩୦ ଲକ୍ଷ ଜାତୀୟ ପତାକା ତିଆରି କରି ରାଜ୍ୟ ପାଇଁ ଗୌରବ ଆଣିପାରିଛନ୍ତି । ଆପଣମାନଙ୍କୁ ବହୁତ ବହୁତ ଧନ୍ୟବାଦ ।
ମିଶନ ଶକ୍ତିର ମା’ମାନେ କହିଥିଲେ, ଜାତୀୟ ପତାକା ତିଆରି କରିବାର ଆନନ୍ଦ ପାଇ ଆମେ ବହୁତ ଖୁସି । ଆମେ ଏବଂ ମଧ୍ୟାହ୍ନ ଭୋଜନଠାରୁ ଆରମ୍ଭ କରି ଅଙ୍ଗନୱାଡୀ ପିଲାଙ୍କ ଡ୍ରେସ୍ ସିଲେଇ କରିବା, ଇଲେକ୍ଟ୍ରି ବିଲ୍ ଆଦାୟ କରିବା ଆଦି କାମ ବହୁତ ଭଲ ଭାବରେ କରିପାରୁଛୁ । ନୂଆପଡାରେ ଆମେ ଡ୍ରାଇଭିଂ ଶିକ୍ଷା ମଧ୍ୟ ନେଉଛୁ । ଆମେ ବି ପାରିବୁ, ଏ ବିଶ୍ୱାସ ଆମର ବଢିଛି । ଆମେ ସମସ୍ତେ ଏବେ କିଛି ନା କିଛି ଉପଯୋଗୀ କାର୍ଯ୍ୟରେ ନିୟୋଜିତ ହୋଇପାରିଛୁ ବୋଲି ସେମାନେ କହିଥିଲେ । ସୂଚନାଯୋଗ୍ୟ, ଚଳିତ ବର୍ଷ ସ୍ୱାଧୀନତାର ୭୫ତମ ପୂର୍ତ୍ତି ଅବସରରେ ରାଜ୍ୟ ସରକାର ମିଶନ ଶକ୍ତି ମା’ଙ୍କୁ ୩୦ ଲକ୍ଷ ଜାତୀୟ ପତାକା ପ୍ରସ୍ତୁତି ଓ ବଣ୍ଟନ ଦାୟିତ୍ୱ ଦେଇଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *