ବିଦାୟ ନେଲେ ଦାହିୟା
ବିଶ୍ୱ କୁସ୍ତି ଚାମ୍ପିଅନ୍ସିପ୍
କାଂସ୍ୟ ପାଇଁ ଖେଳିବେ ନବୀନ
ବେଲ୍ଗ୍ରେଡ୍, ୧୬ା୯ (ଏଜେନ୍ସି): ବିଶ୍ୱ କୁସ୍ତି ଚାମ୍ପିଅନ୍ସିପ୍ରେ ଶୁକ୍ରବାର ଭାରତକୁ ଏକ ବଡ଼ ଝଟ୍କା ଲାଗିଛି । ଅଲିମ୍ପିକ୍ରେ ରୌପ୍ୟ ଓ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ବିଜେତା କୁସ୍ତିଯୋଦ୍ଧା ରବି ଦାହିୟା ୫୭ କିଲୋଗ୍ରାମ୍ ବର୍ଗରେ ପ୍ରି-କ୍ୱାର୍ଟର୍ଫାଇନାଲ୍ରେ ହାରି ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ିଛନ୍ତି । ଅନ୍ୟପଟେ, ରାଜ୍ୟଗୋଷ୍ଠୀ ସ୍ୱର୍ଣ୍ଣ ପଦକଧାରୀ ନବୀନ କାଂସ୍ୟ ପଦକ ପାଇଁ ଖେଳିବେ ।
ବିଶ୍ୱର ଦୁଇ ନମ୍ବର ଖେଳାଳି ଦାହିୟାଙ୍କୁ ଉଜ୍ବେକିସ୍ତାନର ଗୁଲୋମଜୋନ୍ ଅବଦୁଲ୍ଲାଏଭ୍ ବୈଷୟିକ ଦକ୍ଷତା ଆଧାରରେ ୧୦-୦ରେ ହରାଇଛନ୍ତି । ଦାହିୟାଙ୍କୁ କୌଣସି ପଦକ ବିନା ଫେରିବାକୁ ହେବ, କାରଣ ତାଙ୍କୁ ହରାଇଥିବା ଉଜ୍ବେକୀ କୁସ୍ତିଯୋଦ୍ଧା କ୍ୱାର୍ଟର୍ଫାଇନାଲ୍ରେ ଆଲ୍ବେନିଆର ଜେଲିମଖାନ ଅବାକୋରୋଭ୍ଙ୍କୁ ମାତ୍ ଦେଇଥିଲେ । ଏହି କାରଣରୁ ଦାହିୟା ରେପଚେଜ୍ ରାଉଣ୍ଡରେ ଖେଳିପାରିବେ ନାହିଁ । ସେ ଏହା ପୂର୍ବରୁ କ୍ୱାଲିଫିକେସନ୍ ରାଉଣ୍ଡରେ ରୋମାନିଆର ରାଜୱାନ୍ ମାରିଅନ୍ କୋଭାକ୍ସଙ୍କୁ ବୈଷୟିକ ଦକ୍ଷତା ଆଧାରରେ ୧୦-୦ରେ ପରାଜିତ କରିଥିଲେ ।
ନବୀନ କାଂସ୍ୟ ପଦକ ମୁକାବିଲାରେ କିର୍ଗିସ୍ତାନର ଅର୍ନାଜାର ଅକମାତାଲିଏଭ୍ଙ୍କୁ ଭେଟିବେ । ସେ ରେପଚେଜ୍ରେ କାଜାଖସ୍ତାନର ସିର୍ବାଜ୍ ତଲଗତଙ୍କୁ ୧୧-୩ରେ ହରାଇଥିଲେ । ଏହାପରେ ପରବର୍ତ୍ତୀ ମ୍ୟାଚ୍ରେ ଉଜବେକିସ୍ତାନର ଲ୍ୟାସ ବେକବୁଲାତୋଭ ଆଘାତଜନିତ କାରଣରୁ ଖେଳିପାରି ନ ଥିଲେ । ଏପରିସ୍ଥଳେ ନବୀନଙ୍କୁ ୱାକ୍ଓଭର୍ ମିଳିଥିଲା ଏବଂ ସେ କାଂସ୍ୟ ପଦକ ମ୍ୟାଚ୍ରେ ପହଞ୍ଚିଥିଲେ ।
ଏହା ପୂର୍ବରୁ ମହିଳା କୁସ୍ତିଯୋଦ୍ଧା ଭିନେଶ ଫୋଗଟ କାଂସ୍ୟ ପଦକ ଜିତିଥିଲେ । ବିଶ୍ୱ ଚାମ୍ପିଅନ୍ସିପ୍ରେ ଏହା ତାଙ୍କର ଦ୍ୱିତୀୟ ପଦକ ଥିଲା ।