ଭିଜିବ ସାରା ରାଜ୍ୟ
ଆସୁଛି ଆଉ ଏକ ଲଘୁଚାପ
ଭୁବନେଶ୍ୱର, ୧୬ା୯ (ବୁ୍ୟରୋ): କିଛି ଦିନର ବ୍ୟବଧାନ ପରେ ପୁଣି ଥରେ ବର୍ଷାରେ ଭିଜିବ ସାରା ଓଡ଼ିଶା । ଆସନ୍ତା ୧୮ ତାରିଖ ସୁଦ୍ଧା ରାଜ୍ୟରେ ପାଗ ବଦଳିବା ସହ ଏକ ଘୁଣ୍ଣିର୍ବଳୟ ସୃଷ୍ଟି ହେବ । ଯାହାକି ପରବର୍ତ୍ତୀ ୪୮ ଘଣ୍ଟାରେ ଏକ ଲଘୁଚାପ ରୂପ ନେବ । ଆସନ୍ତା ୨୦ ତାରିଖ ବେଳକୁ ଉକ୍ତ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ଥିବା ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପ୍ରକାଶ ପାଇଛି ।
ସେପ୍ଟେମ୍ବର ୧୮ ବେଳକୁ ଉତ୍ତର-ପଶ୍ଚିମ ପାଶ୍ୱର୍ବର୍ତ୍ତୀ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ଫଳରେ ୧୮ରେ ଦକ୍ଷିଣ ଓଡ଼ିଶାରେ ଓ ୧୯ରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ୧୯ ତାରିଖରେ ପ୍ରବଳ ବର୍ଷା ସମ୍ଭାବନା ନେଇ ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଜିଲ୍ଲାଗୁଡ଼ିକ ମଧ୍ୟରେ କୋରାପୁଟ, ନବରଙ୍ଗପୁର, ମାଲକାନଗିରି, ଗଜପତି, ଗଞ୍ଜାମ, କଳାହାଣ୍ଡି, ରାୟଗଡ଼ା, କନ୍ଧମାଳ, ଖୋର୍ଦ୍ଧା, ପୁରୀ, କଟକ ଓ ଜଗତସିଂହପୁର ରହିଛି । ଆସୁଥିବା ଲଘୁଚାପଟି ପ୍ରବଳରୁ ଅତିପ୍ରବଳ ବର୍ଷା କରାଇବା ସମ୍ଭାବନା ରହିଛି । ମୌସୁମୀ ଅପସରଣ ସମୟରେ ସୃଷ୍ଟି ହେଉଥିବା ଘୁର୍ଣ୍ଣିବଳୟ ଅଧିକ ବର୍ଷା ଆଣୁଥିବା ପାଣିପାଗ ବିଜ୍ଞାନୀମାନେ ମତ ରଖିଛନ୍ତି ।
ଲଘୁଚାପ ପ୍ରଭାବରେ ୧୮ ତାରିଖରେ କଳାହାଣ୍ଡି, କନ୍ଧମାଳ, ବଲାଙ୍ଗୀର, ଗଜପତି, ଗଞ୍ଜାମ, ପୁରୀ ଏବଂ ଜଗତସିଂହପୁର ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ଏହିସବୁ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଜିଲ୍ଲାରେ ୭ରୁ ୧୧ ସେଣ୍ଟିମିଟର ବର୍ଷା ସମ୍ଭାବନା ରହିଛି । ସେହିପରି ୨୦ ତାରିଖରେ ବୌଦ୍ଧ, ଅନୁଗୁଳ, ସୋନପୁର, କନ୍ଧମାଳ ଓ କଳାହାଣ୍ଡି ଜିଲ୍ଲାରେ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଏହିସବୁ ଜିଲ୍ଲାରେ ୭ରୁ ୨୦ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ଆଶଙ୍କା କରାଯାଇଥିବାବେଳେ ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ନୟାଗଡ, କଟକ, ଜଗତସିଂହପୁର, ଢ଼େଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ଦେବଗଡ, ସମ୍ବଲପୁର, ବରଗଡ, ବଲାଙ୍ଗୀର, ନୂଆପଡା ଓ ରାୟଗଡା ଜିଲ୍ଲାରେ ୭ରୁ ୧୧ ସେଣ୍ଟିମିଟର ବର୍ଷାର ସମ୍ଭାବନା ରହିଛି ।
ସେପଟେ ଆସନ୍ତାକାଲି ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପ ସାଗର ଓ ଏହା ନିକଟବର୍ତ୍ତୀ ଅଞ୍ଚଳ ଉପରେ ଏକ ଅପର୍ ଏଆର ସର୍କୁଲେସନ୍ ସୃଷ୍ଟି ହେବାକୁ ଯାଉଥିବାରୁ ଏହା ଏହି ଲଘୁଚାପ କ୍ଷେତ୍ର ପ୍ରସ୍ତୁତ କରିବ ବୋଲି କେନ୍ଦ୍ର ପକ୍ଷରୁ ଏକ ବୁଲେଟିନ୍ରେ କୁହାଯାଇଛି । ଏହା ସେପ୍ଟେମ୍ବର ୨୧ରେ ଉତ୍ତର-ପଶ୍ଚିମ ଦିଗରେ ଗତି କରି ପଶ୍ଚିମ ଓଡ଼ିଶା ଓ ଛତିଶଗଡ଼ ଆଡ଼କୁ ମୁହାଁଇବ । ମାତ୍ର ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ସେପ୍ଟେମ୍ବର ୨୦ ପର୍ଯ୍ୟନ୍ତ ବର୍ଷା ଅନୁଭୁତ ହେବ । ଏହାର ପ୍ରଭାବରେ ଆସନ୍ତାକାଲି ଏକାଧିକ ଜିଲ୍ଲାକୁ କାଳବୈଶାଖୀ ଭୟ ପ୍ରକାଶ ପାଇଛି । ଆସନ୍ତାକାଲି ୧୧ ଜିଲ୍ଲାକୁ ଆଞ୍ଚଳିକ ପାଣିପାଗ କେନ୍ଦ୍ର ୟେଲୋ ୱାର୍ଣ୍ଣିଂ ଜାରି କରିଛି ।