ଜଳିଗଲା ୪୨ ମହଲା ବିଲ୍ଡିଂ
ବେଜିଂ (ଏଜେନ୍ସି): ମଧ୍ୟ ଚୀନ୍ର ହୁନାନ୍ ପ୍ରାନ୍ତୀୟ ରାଜଧାନୀ ଚାଙ୍ଗ୍ସା ସହରରେ ଥିବା ଏକ ୪୨ ମହଲା ବିଶିଷ୍ଟ ବିଲ୍ଡିଂରେ ଭୟାବହ ଅଗ୍ନିକାଣ୍ଡରେ ସମ୍ପୂର୍ଣ୍ଣ ଜଳିପୋଡି ଛାରଖାର ହୋଇଯାଇଛି । ଆଖପାଖ ଅଞ୍ଚଳ ସମ୍ପୂର୍ଣ୍ଣ ଧୂଆଁମୟ ହୋଇଯାଇଛି । ଏହି ବିଲ୍ଡିଂରେ ସରକାରୀ ଟେଲିକମ୍ କମ୍ପାନୀ ସମେତ ଅନ୍ୟ କେତେକ ବଡ କମ୍ପାନୀଙ୍କ କାର୍ଯ୍ୟାଳୟ ରହିଥିଲା । ତେବେ ଏହି ଭୟାବହ ଅଗ୍ନିକାଣ୍ଡରେ କିଛି ଲୋକ ଆହତ ହୋଇଥିଲେ ମଧ୍ୟ କେହି ମୃତାହତ ହୋଇନଥିବା ଜଣାପଡିଛି ।
ଶୁକ୍ରବାର ଅପରାହ୍ନ ସାଢ଼େ ୪ଟାରେ ଉକ୍ତ ବିଲ୍ଡିଂରେ ନିଆଁ ଲାଗିଯାଇଥିଲା । ଘଟଣାସ୍ଥଳରେ ୩୬ ଅଗ୍ନିଶମ ବାହିନୀ ପହଞ୍ଚô ନିଆଁ ଲିଭାଇବା ପାଇଁ ଉଦ୍ୟମ କରିଥିଲେ । ଆଖପାଖରେ ଥିବା ବିଲ୍ଡିଂକୁ ଯେପରି ନିଆଁ ସମ୍ପ୍ରସାରିତ ନହୁଏ ସେନେଇ ମଧ୍ୟ ଅଗ୍ନିଶମ ବିଭାଗ ପକ୍ଷରୁ ବ୍ୟାପକ ପ୍ରତିକାର ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ତେବେ କିଛି ଘଣ୍ଟାର ପ୍ରୟାସ ପରେ ନିଆଁକୁ ସମ୍ପୂର୍ଣ୍ଣ ଆୟତ୍ତ କରାଯାଇପାରିଥିବା କୁହାଯାଇଛି ।