ଯନ୍ତ୍ରୀବିହୀନ ପୌର ପରିଷଦ: ଉନ୍ନୟନ ଠପ୍

ଫୁଲବାଣୀ (ବୁ୍ୟରୋ): କନ୍ଧମାଳ ଜିଲ୍ଲା ମୁଖ୍ୟାଳୟ ଫୁଲବାଣୀ ପୈାର ପରିଷଦ ଏବେ ଯନ୍ତ୍ରୀ ବିହୀନ, ଯଦ୍ଦ୍ୱାରା ଉନ୍ନୟନ କାମ ଏକ ପ୍ରକାର ଠପ୍ । ଆବାସ ଯୋଜନାରେ ଘର ତିଆରି କରିଥିବା ହିତାଧିକାରୀ ବିଲ୍ ନ ପାଇ ହନ୍ତସନ୍ତ ହେଉଛନ୍ତି । ପୌର ପରିଷଦ ଅନ୍ତର୍ଗତ ୧୩ଟି ୱାର୍ଡରେ ଆଜକୁ ଦଶଦିନ ଧରି ଉନ୍ନୟନ କାର୍ଯ୍ୟ ବନ୍ଦ ରହିଛି । ବିଲ ପୈଠ ନ ହେବାରୁ ଠିକାଦର ମାନେ ଅନ୍ୟ କାମ କରିପାରୁ ନାହାନ୍ତି । ବହୁ ସ୍ଥାନେ କାମ ଅଧପନ୍ତରିଆ ହୋଇପଡ଼ି ରହିଛି । ଜିଲ୍ଲା ମୁଖ୍ୟାଳୟ ହୋଇଥିଲେ ମଧ୍ୟ କାହାର ନଜର ନାହିଁ । ଏତେ ବଡ଼ ପୌର ପରିଷଦ ହୋଇଥିଲେ ମଧ୍ୟ ଜଣେ ଭଲ ଯନ୍ତ୍ରୀଙ୍କୁ ଦେଉନାହାନ୍ତି ରାଜ୍ୟ ସରାକାର । ଯାହାକୁ ନେଇ ପୌର ପରିଷଦ କାର୍ଯ୍ୟାଳୟରେ ଅସନ୍ତୋଷ ସୃଷ୍ଟି ହୋଇଛି ।
ସମସ୍ତେ ଆସି ହୋ ହଲ୍ଲା କରୁଥିବା ବେଳେ ପୌର ନିର୍ବାହୀ ଅଧିକାରୀ ଏବଂ ପୌରାଧ୍ୟକ୍ଷା କିଛି କାର୍ଯ୍ୟ କରିପାରୁ ନାହାନ୍ତି । ତୁରନ୍ତ ପୌର ପରିଷଦନ କାର୍ଯ୍ୟାଳୟରେ ଯନ୍ତ୍ରୀଙ୍କୁ ନିଯୁକ୍ତ କରିବାକୁ ଦାବି ହେଉଛି । ଫୁଲବାଣୀ ପୌର ପରିଷଦରେ ଯନ୍ତ୍ରୀ ଭାବେ ସନ୍ୟାସି ବାରିକ ଏବଂ ନୀଳକଣ୍ଠ ନାୟକ କାର୍ଯ୍ୟରତ ଥିଲେ । ବହୁ କାର୍ଯ୍ୟ ଏମାନଙ୍କ ଅଧୀନରେ ହେଉଥିଲା । ସର୍ବଶିକ୍ଷାରୁ ଡେପୁଟେସନରେ ଆସି ଶ୍ରୀ ବାରିକ ଏଠାରେ କାର୍ଯ୍ୟରତ ଥିଲେ । ଏବେ ତାଙ୍କୁ ଫିରିଙ୍ଗିଆ ଏବଂ ଖଜୁରୀପଡା ବ୍ଲକ ଦାୟିତ୍ୱ ଦିଆଯାଇଛି । ଗତ ୯ ତାରିଖରେ ଯନ୍ତ୍ରୀ ନାୟକଙ୍କୁ ଜଣେ ଠିକାଦର ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା । ନିଜକୁ ଅସୁରକ୍ଷୀତ ମନେ କରି ସେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଛୁଟିରେ ଅଛନ୍ତି । ଏ ସଂକ୍ରାନ୍ତରେ ପୌର ନିର୍ବାହୀ ଅଧିକାରୀ ବଳଦେବ ବେହେରା କୁହନ୍ତି ଆମର ଏବେ କେହି ହେଲେ ଯନ୍ତ୍ରୀ ନାହାନ୍ତି କିପରି କାମ କରିବୁ । ବହୁ ସ୍ଥାନରେ କାମ ଚାଲିଥିଲା ଯାହା ଏବେ ଠପ୍ ହୋଇଯାଇଛି । ଅନ୍ୟପକ୍ଷରେ ପ୍ରାୟ ୬୦ ଲକ୍ଷରୁ ଊଦ୍ଧ୍ୱର୍ ଟଙ୍କାର ଉନ୍ନୟନମୂଳକ କାର୍ଯ୍ୟ ଆରମ୍ଭ ହୋଇ ଅଧପନ୍ତରିଆ ଭାବେ ପଡ଼ି ରହିଛି । ତୁରନ୍ତ ଏଠାରେ ଯନ୍ତ୍ରୀ ନିୟୋଜିତ ହେଲେ ପୌର ପରିଷଦରେ କାର୍ଯ୍ୟ ଆଗେଇ ଚାଲିବ ବୋଲି ସେ କହିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *