୫ ବର୍ଷ ହେଲା ମୁଢ଼ାପଦା ମାର୍କେଟ୍ କମ୍ପ୍ଲେକ୍ସରେ ତାଲା

ଭଣ୍ଡାରିପୋଖରୀ (ଆପ୍ର): ଭଣ୍ଡାରିପୋଖରୀ ବ୍ଲକ୍ର ଷୋଳମପୁର ପଞ୍ଚାୟତର ଏକମାତ୍ର ମାର୍କେଟ୍ କମ୍ଲେକ୍ସ ୫ ବର୍ଷ ହେବ ନିର୍ମିତ ହୋଇ ତାଲା ପଡ଼ିଛି । ଏଥିପାଇଁ ବିଭିନ୍ନ ପର୍ଯ୍ୟାୟରେ ୧୩ ଲକ୍ଷ ବ୍ୟୟ କରାଯାଇଛି । ପଞ୍ଚାୟତର ଆୟ ବୃଦ୍ଧି ପାଇଁ ଉପଯୋଗୀ ହେବା ସ୍ଥାନମାନଙ୍କରେ ୪ଟି ଦୋକାନ ଗୃହ ଓ ସିଡ଼ିଘର ବିଶିଷ୍ଟ ମାର୍କେଟ୍ କମ୍ଲେକ୍ସ ନିର୍ମାଣ କରାଯାଇ ଭଡ଼ାସୂତ୍ରେ ଦେବା ଦ୍ୱାରା ଆୟ ବୃଦ୍ଧି ଲକ୍ଷ୍ୟ ରଖାଯାଇଥିଲା । ଏଥିପାଇଁ ଷୋଳମପୁର ପଞ୍ଚାୟତରେ ମୁଢ଼ାପଦା ମହାବୀର ମନ୍ଦିର ପାଶ୍ୱର୍ରେ ପଞ୍ଚାୟତର ଏକମାତ୍ର ମାର୍କେଟ୍ କମ୍ଲେକ୍ସ ନିର୍ମାଣ ପାଇଁ ୨୦୧୭-୧୮ ଆର୍ଥିକ ବର୍ଷରେ ଏସ୍ଏଫସି ପାଣ୍ଠିରୁ ୫ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ କରାଯାଇଥିଲା । ପୁନଶ୍ଚ ୨୦୧୯-୨୦ ମସିହାରେ ସିଏଫସି ପାଣ୍ଠିରୁ ୨ ଲକ୍ଷ ଟଙ୍କା ଉପଯୋଗ କରାଯାଇ ନିର୍ମାଣ ସମ୍ପୂର୍ଣ୍ଣ କରାଯାଇଥିଲା । ୨୦୨୦-୨୧ ଆର୍ଥିକ ବର୍ଷରେ ସିଏଫସି ପାଣ୍ଠିରୁ ୫ଲକ୍ଷ ଟଙ୍କା ମଧ୍ୟ ବ୍ୟୟ ବରାଦ କରାଯାଇଥିଲା ।
ଚଳିତ ବର୍ଷ ସିଡି ଘର ଉପରେ କରୋଗେଟ ଛପର କରାଯିବା ଓ କବାଟ ଲାଗିବା ପାଇଁ ଏକଲକ୍ଷ ଟଙ୍କା ବ୍ୟୟ ବରାଦ କରାଯାଇଥିଲା । ବିପୁଳ ଅର୍ଥ ବ୍ୟୟବରାଦ କରାଯାଉଥିଲେ ବି ଏହାର ବିନିଯୋଗ କରି ଆୟ ବୃଦ୍ଧି ପାଇଁ ପଞ୍ଚାୟତ ପକ୍ଷରୁ ଉଦାସୀନତା ପ୍ରକାଶ ପାଇଛି । ଦୀର୍ଘ ଦିନ ବିତିଯାଇଥିଲେ ମଧ୍ୟ ପଞ୍ଚାୟତ ପକ୍ଷରୁ କାହାରିକୁ ଭଡ଼ାସୂତ୍ରେ ଏହି ମାର୍କେଟ କମ୍ଲେକ୍ସକୁ ଦିଆଯାଇ ନାହିଁ । ଏହି ମାର୍କେଟ୍ କମ୍ଲେକ୍ସ କୋଠରୀକୁ ଭଡ଼ାସୂତ୍ରେ ନେବା ପାଇଁ ବହୁ ଆଶାୟୀ ଅଛନ୍ତି । ହେଲେ ଅଜଣା କାରଣ ପାଇଁ ଏହାକୁ ମନ୍ଦ ଉଦେ୍ଦଶ୍ୟରେ ଭଡା ଦିଆଯାଉ ନାହିଁ ବୋଲି ଗ୍ରାମର ବହୁ ଅଧିବାସୀ ପ୍ରକାଶ କରିଛନ୍ତି । ଘରୋଇ ଭାବେ ଏହି ମାର୍କେଟ କମ୍ଲେକ୍ସକୁ ବ୍ୟବହାର କରାଯାଉଛି ବୋଲି ସ୍ଥାନୀୟ ଅଧିବାସୀ କହୁଥିବା ବେଳେ ପଞ୍ଚାୟତ ପକ୍ଷରୁ ନୀରବତା ଅବଲମ୍ବନ କରାଯାଉଛି । ପଞ୍ଚାୟତର ଏଭଳି ଆଭିମୁଖ୍ୟକୁ ନେଇ ନାନା ପ୍ରଶ୍ନ ଉଠିଥିବା ବେଳେ ବିଡିଓ ଏହାକୁ ଅନୁଧ୍ୟାନ କରିବେ ବୋଲି ସୂଚନା ଦେଇଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *