ଯୁଦ୍ଧ ଯୁଗ ଆଉ ନାହିଁ: ମୋଦି

ସମରକନ୍ଦ, ୧୬ା୯: ଉଜ୍ବେକିସ୍ତାନର ସମକନ୍ଦଠାରେ ଶଙ୍ଘାଇ ସହଯୋଗ ସଂଗଠନ (ଏସ୍ସିଓ) ଶିଖର ସମ୍ମିଳନୀ ଶୁକ୍ରବାର ଶେଷ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଚୀନ ରାଷ୍ଟ୍ରପତି ଶି ଜିଙ୍ଗ୍ପିଙ୍ଗ୍, ରୁଷ୍ ରାଷ୍ଟ୍ରପତି ବ୍ଲାଦିମିର ପୁତିନ ଓ ଅନ୍ୟ ବିଶ୍ୱ ନେତୃବର୍ଗ ଏହି ବାର୍ଷିକ ଶୀର୍ଷ ସମ୍ମିଳନୀରେ ଆଞ୍ଚଳିକ ସୁରକ୍ଷା ସ୍ଥିତି ଏବଂ ବାଣିଜ୍ୟ ବିଷୟରେ ଆଲୋଚନା କରିଛନ୍ତି ।
ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦି ହିନ୍ଦୀରେ ଭାଷଣ ଦେଇଥିଲେ । ପରେ ପୁତିନ୍ଙ୍କ ସହ ୫୦ ମିନିଟ୍ ଧରି ଦ୍ୱିପାକ୍ଷିକ ଆଲୋଚନା ମଧ୍ୟରେ ୟୁକ୍ରେନ୍ ଯୁଦ୍ଧ ପ୍ରସଙ୍ଗରେ ପରାମର୍ଶ ଦେଇ ମୋଦି କହିଥିଲେ, ଏବେ ଆଉ ଯୁଦ୍ଧର ଯୁଗ ନାହିଁ । ଶାନ୍ତି, ସ୍ଥିରତା ତଥା ବିକାଶ ଉପରେ ସମସ୍ତେ ଧ୍ୟାନ ଦେବା ଆବଶ୍ୟକ । ରୁଷ୍ ଗସ୍ତ ପାଇଁ ପୁତିନ୍ ମୋଦିଙ୍କୁ ଆମନ୍ତ୍ରିତ କରିଛନ୍ତି । ମୋଦି ଓ ପୁତିନ୍ଙ୍କ ମଧ୍ୟରେ ୨୨ ବର୍ଷ ଧରି ବନ୍ଧୁତା ରହିଆସିଛି ।
ଶୁକ୍ରବାର ମୋଦି ଓ ତୁର୍କୀ ରାଷ୍ଟ୍ରପତି ତୈୟପ ଏର୍ଦୋଗନ୍ ମଧ୍ୟ ଦ୍ୱିପାକ୍ଷିକ ସମ୍ପର୍କ ନେଇ ଆଲୋଚନା କରିଛନ୍ତି । କିନ୍ତୁ ଚୀନ୍ ରାଷ୍ଟ୍ରପତିଙ୍କ ସହ ଆଲୋଚନା ହେବା ନେଇ ସଂଶୟ ରହିଛି । ଶିଖର ସମ୍ମିଳନୀରେ ମୋଦି ଏସ୍ସିଓ ରାଷ୍ଟ୍ରମାନଙ୍କ ମଧ୍ୟରେ ପାରମ୍ପରିକ ଔଷଧକୁ ପ୍ରୋତ୍ସାହନ ଦିଆଯିବା ଉପରେ ଗୁରୁତ୍ୱ ଦେଇଥିଲେ ।
ଆସନ୍ତା ବର୍ଷ ଭାରତର ଅଧ୍ୟକ୍ଷତାରେ ଏସ୍ସିଓ ଶିଖର ସମ୍ମିଳନୀ ଅନୁଷ୍ଠିତ ହେବ ବୋଲି ନିଷ୍ପତ୍ତି ନିଆଯାଇଛି । ଉଲ୍ଲେଖଯୋଗ୍ୟ ଯେ ୨୦୦୧ରେ ଏହି ସଂଗଠନ ଗଢାଯାଇଥିଲା । ଏହା ଏକ ରାଜନୈତିକ, ଅର୍ଥନୈତିକ ଓ ନିରାପତ୍ତା ସମ୍ବନ୍ଧୀୟ ସଂସ୍ଥା । ଭାରତ, ରୁଷ, ଚୀନ୍, ପାକିସ୍ତାନ, ଉଜ୍ବିକ୍ସ୍ତାନ, କିର୍ଗୀସ୍ତାନ ଓ କଜାକିସ୍ତାନ ଏହି ୮ଟି ଦେଶ ଏହାର ସଦସ୍ୟ । ପ୍ରଥମେ ଏଥିରେ ଥିଲେ ୬ ସଦସ୍ୟ । ଭାରତ ଓ ପାକିସ୍ତାନ ୨୦୧୭ରେ ଏସ୍ସିଓରେ ଯୋଗଦେଇଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *