‘ବାଲି ବାହାରିଲେ କ୍ଷତି ହେବନି’
ସୂର୍ଯ୍ୟମନ୍ଦିର ସ୍ଥିତି ପରଖିଲେ ଆମିକସ୍ କୁ୍ୟରୀ
କୋଣାର୍କ (ଆପ୍ର): ବିଶ୍ୱଐତିହ୍ୟ କୋଣାର୍କ ସୂର୍ଯ୍ୟମନ୍ଦିରର ଜଗମୋହନରୁ ବାଲି ବାହାରିବ । ଏନେଇ ଶୁକ୍ରବାର ଅପରାହ୍ନରେ ହାଇକୋର୍ଟଙ୍କ ଦ୍ୱାରା ନିଯୁକ୍ତ ଆମିକସ୍ କୁ୍ୟରୀ ନଗେନ୍ଦ୍ର ମହାନ୍ତି ସୂର୍ଯ୍ୟମନ୍ଦିରର ବିଭିନ୍ନ କାର୍ଯ୍ୟ ସମେତ ଜଗମୋହନରୁ ବଲି କାଢ଼ିବା ପ୍ରକ୍ରିୟାକୁ ଟିକିନିଖି ଅନୁଧ୍ୟାନ କରିଥିଲେ । ତାଙ୍କ ସହିତ ଏଏସ୍ଆଇର ଓଡ଼ିଶା ସର୍କଲ ସୁପେରିଟେଣ୍ଡେଣ୍ଟ ଅରୁଣ କୁମାର ମଲ୍ଲିକ, ଡେପୁଟି ସୁପରିଟେଣ୍ଡେଣ୍ଟ ଚିତ୍ତରଞ୍ଜନ ଦାଶ, ଏକ୍ସପର୍ଟ କମିଟିର ଡ. ଏନ୍ସି ପାଲ ପ୍ରମୁଖ ଉପସ୍ଥିତ ଥିଲେ । ଆମିକସ୍ କୁ୍ୟରୀ ମନ୍ଦିରରେ ଏକ ଘଣ୍ଟାରୁ ଅଧିକ ସମୟ ରହି ମନ୍ଦିରର ଉତ୍ତର ଓ ଦକ୍ଷିଣ ଦ୍ୱାର, ଜଗମୋହନ ଆଦି ସ୍ଥାନ ଦେଖିବା ସହିତ ବିଭିନ୍ନ କାର୍ଯ୍ୟ ଅନୁଧ୍ୟାନ କରିଥିଲେ । ସୂର୍ଯ୍ୟମନ୍ଦିର ଆମ ଓଡ଼ିଶାର ଲାଇଫ୍ ଲାଇନ, ଏଏସ୍ଆଇ ସବୁ ଠିକ୍ କାର୍ଯ୍ୟ କରୁଛି ଓ ଜଗମୋହନରୁ ସୁରକ୍ଷିତ ଉପାୟରେ ବାଲି କାଢ଼ିବ ଓ ବାଲି ବାହାରିଲେ ମନ୍ଦିରର କିଛି କ୍ଷତି ହେବ ନାହିଁ ବୋଲି ସେ କହିଥିଲେ । ଏଥିରୁ ବାଲି ବାହାର କରାଯାଇ ଗର୍ଭଗୃହ କାରୁକାର୍ଯ୍ୟକୁ ସୁରକ୍ଷିତ କରାଯିବ । ଏହାର ସୌନ୍ଦର୍ଯ୍ୟକୁ ପର୍ଯ୍ୟଟକମାନେ ଯେପରି ଉପଭୋଗ କରିପାରିବେ ସେନେଇ ଏହାକୁ ଠିକ୍ ଭାବେ ଉନ୍ନତ ଜ୍ଞାନକୌଶଳ ପ୍ରୟୋଗ କରାଯାଇ ଏହି ବାଲି କାଢ଼ିବା ପ୍ରକ୍ରିୟା କରାଯିବ ।
ପର୍ଯ୍ୟାୟକ୍ରମେ ଜଗମୋହନରୁ ଏହି ବାଲି ବୈଷୟିକ କୌଶଳ ପ୍ରୟୋଗ କରାଯାଇ ଜଗମୋହନରେ ପ୍ରଥମେ ଏହାର ଉପରିଭାଗ ପଶ୍ଚିମ ପଟ ପଛପାଶ୍ୱର୍ରେ ୫³୬ ଫୁଟର ପଥର କଟାଯାଇ ଏକ ଗର୍ତ୍ତ କରାଯାଇ କ୍ୟାମେରା ମାଧ୍ୟମରେ ଏହାକୁ ସ୍କାନିଂ କରାଯିବା ପରେ ତଥ୍ୟକୁ ଆଧାର କରି ପ୍ରଥମେ ୬ ଫୁଟ ଗଭୀର ପର୍ଯ୍ୟନ୍ତ ସୁରକ୍ଷିତ ଥିବା ସ୍ଥାନରୁ ବାଲି କଢ଼ାଯିବ । ପରବର୍ତ୍ତୀ ପର୍ଯ୍ୟାୟରେ ଯଦି ବାଲି କାଢ଼ିବା ମନ୍ଦିର ପ୍ରତି ସୁରକ୍ଷିତ ନୁହେଁ ଅନୁଭବ କରାଗଲା ତା’ ହେଲେ ବାଲି କାଢ଼ିବା ପ୍ରକ୍ରିୟା ବନ୍ଦ କରି ଦିଆଯିବ । ନଚେତ ସମସ୍ତ ଯୋଜନା ଅନୁଯାୟୀ ସୂର୍ଯ୍ୟମନ୍ଦିରରୁ ସମସ୍ତ ବାଲି କଢ଼ାଯାଇ ୩ ଦ୍ୱାର ଖୋଲାଯାଇ କାର୍ଯ୍ୟ କରାଯିବ । ମୋର ବିଶ୍ୱାସ ଅଛି, ବାଲି କାଢ଼ିବା ଦ୍ୱାରା ମନ୍ଦିର ସୁରକ୍ଷିତ ରହିବ ଓ ଏହାର ସଠିକ୍ ସଂରକ୍ଷଣ ଦ୍ୱାରା କରାଯାଇପାରିବ ବୋଲି ଆମିକସ୍ କୁ୍ୟରୀ ଶ୍ରୀ ମହାନ୍ତି ସୂଚନା ଦେଇଥିଲେ ।