ଲକ୍ଷ୍ନୌରେ ଲଗାଣ ବର୍ଷା, ୯ ମୃତ

ମହାରାଷ୍ଟ୍ର ସମେତ ଅନେକ ରାଜ୍ୟକୁ ସତର୍କ ସୂଚନା
ଲକ୍ଷ୍ନୌ/ ମୁମ୍ବାଇ (ଏଜେନ୍ସି): ଗୁରୁବାର ରାତିରୁ ଉତ୍ତରପ୍ରଦେଶ ଏବଂ ମହାରାଷ୍ଟ୍ରରେ ପ୍ରବଳରୁ ବର୍ଷା ଜାରି ରହିଛି । ଲଗାଣ ବର୍ଷା କାରଣରୁ ଉତ୍ତରପ୍ରଦେଶର କେତେକ ଅଞ୍ଚଳ ଜଳମଗ୍ନ ହୋଇ ବାହ୍ୟ ଅଞ୍ଚଳରୁ ବିଚ୍ଛିନ୍ନ ହୋଇଯାଇଛି । ରାଜଧାନୀ ଲକ୍ଷ୍ନୌ ସହରରେ ମଧ୍ୟ ବର୍ଷା ବିତ୍ପାତ ଦେଖିବାକୁ ମିଳିଛି । ଏଠାରେ ପ୍ରବଳ ବର୍ଷା ହେତୁ ବଡ ଅଘଟଣ ଘଟିଛି । ଦିଲକୁଶା ଅଞ୍ଚଳରେ ଲଗାଣ ବର୍ଷା ଯୋଗୁ କାନ୍ଥ ଭୁଶୁଡ଼ି ୯ ଜଣଙ୍କ ପ୍ରାଣହାନୀ ହୋଇଥିବା ବେଳେ ୨/୩ଜଣ ଗୁରୁତର ହୋଇଛନ୍ତି । ମୃତକଙ୍କ ମଧ୍ୟରେ ଏକାଧିକ ମହିଳା ଓ ଶିଶୁ ରହିଥିବା ଜଣାପଡ଼ିଛି ।
ଏସମ୍ପର୍କରେ ଯୁଗ୍ମ କମିଶନର ଅଫ୍ ପୁଲିସ୍ (ଆଇନ ଶୃଙ୍ଖଳା) ପୀୟୂଷ ମୋରଡିଆ କହିଛନ୍ତି, ଦିଲକୁଶା ଅଞ୍ଚଳରେ ଥିବା ଏକ ଆର୍ମି ଏନ୍କ୍ଲେଭ ପାଚେରୀକୁ ଲାଗି କିଛି ଶ୍ରମିକ ଝାଟିମାଟି ଘର କରି ରହୁଥିଲେ । ତେବେ ଲଗାଣ ବର୍ଷା କାରଣରୁ ପାଚେରୀ କାନ୍ଥଟି ଭୁଶୁଡ଼ି ପଡ଼ିଥିଲା । ଏମିତିକି ଶ୍ରମିକମାନେ ରହୁଥିବା ଘର ଉପରେ ପଡ଼ିଯିବାରୁ ଏହା ତଳେ ପ୍ରାୟ ୧୨ ଜଣ ଲୋକ ଚାପି ହୋଇଯାଇଥିଲେ । ଏହି ଅଘଟଣରେ ଦୁଃଖପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ମୃତକଙ୍କ ପରିବାରକୁ ୪ ଲକ୍ଷ ଲେଖାଏଁ ସହାୟତା ଘୋଷଣା କରିଛନ୍ତି । ଏହାସହ ଆହତଙ୍କ ଚିକିତ୍ସା ଲାଗି ୨ ଲକ୍ଷ ଲେଖାଏଁ ସହାୟତା ଦେବାକୁ ଘୋଷଣା କରିଛନ୍ତି ।
ସୂଚନାଯୋଗ୍ୟ, ଉତ୍ତରପ୍ରଦେଶର ବିଭିନ୍ନ ସ୍ଥାନରେ ଗତ ୨୪ ଘଣ୍ଟା ହେଲା ଲଗାଣ ବର୍ଷା ଲାଗି ରହିଛି । ଏଥିଯୋଗୁ ତଳିଆ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଭୀଷଣ ବର୍ଷା ଯୋଗୁ ଶୁକ୍ରବାର ଲକ୍ଷ୍ନୌରେ ସରକାରୀ ଓ ଘରୋଇ କାର୍ଯ୍ୟାଳୟ ମଧ୍ୟ ବନ୍ଦ ଘୋଷଣା କରାଯାଇଛି । ପ୍ରଶାସନ ଲୋକଙ୍କୁ ଘରେ ରହିବାକୁ ଅନୁରୋଧ କରିଛି । ଯଦି ସେପରି କୌଣସି ଜରୁରି କାମ ନାହିଁ ତେବେ ଲୋକଙ୍କୁ ଘରୁ ନ ବାହାରିବାକୁ କୁହାଯାଇଛି । ପରିସ୍ଥିତିକୁ ଦେଖି ନଗର କମିଶନର ଡ. ରୋସନ ଜାକୋବ୍ ଜିଲ୍ଲାର ସବୁ ସରକାରୀ, ଘରୋଇ ଓ ମାନ୍ୟତାପ୍ରାପ୍ତ ସ୍କୁଲଗୁଡ଼ିକୁ ଛୁଟି ଘୋଷଣା କରିଛନ୍ତି । ସେହିପରି ଅନେକ ଅଞ୍ଚଳରେ ଗଛ ଉପୁଡ଼ି ବିଦୁ୍ୟତ୍ ତାର ଛିଣ୍ଡି ଯାଇଥିବାରୁ ବିଦୁ୍ୟତ୍ ସରବରାହକୁ ମଧ୍ୟ ବନ୍ଦ କରିଦିଆଯାଇଛି ।
ଅନ୍ୟ ଏକ ରିପୋର୍ଟ ଅନୁସାରେ ମହାରାଷ୍ଟ୍ରର ମୁମ୍ବାଇ, ଥାଣେ, ପାଲଘର ଏବଂ ରାଇଗଡ ଆଦି ଅଞ୍ଚଳ ପାଇଁ ମଧ୍ୟ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । ଆଗାମୀ ୨ ଦିନ ପର୍ଯ୍ୟନ୍ତ ଏସବୁ ଅଞ୍ଚଳରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ସତର୍କ କରିଛି । ମହାରାଷ୍ଟ୍ର ବ୍ୟତୀତ ଉତ୍ତରାଖଣ୍ଡ, ବିହାର, ସିକ୍କିମ୍, ଗୁଜରାଟ, ଛତିଶଗଡ଼, ଓଡ଼ିଶା ଏବଂ ମଧ୍ୟପ୍ରଦେଶ ପାଇଁ ପାଣିପାଗ ବିଭାଗ ଆଗାମୀ ଦୁଇ ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *