ସଡ଼କ ସୁରକ୍ଷା ସୁନିଶ୍ଚିତ କର
ଭୁବନେଶ୍ୱର (ବୁ୍ୟରୋ): ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁଙ୍କ ଅଧ୍ୟକ୍ଷତାରେ ରାଜ୍ୟ ସଡ଼କ ନିରାପତ୍ତା ପରିଷଦର ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି । ଶୁକ୍ରବାର ପୂର୍ବାହ୍ନରେ ଲୋକସେବା ଭବନସ୍ଥିତ ତୃତୀୟ ମହଲା ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ବୈଠକରେ ମନ୍ତ୍ରୀ ଶ୍ରୀମତୀ ସାହୁ କହିଲେ ଯେ, ସଡ଼କ ଦୁର୍ଘଟଣାଜନିତ ମୃତୁ୍ୟ କ୍ଷେତ୍ରରେ ଦେଶର ସ୍ଥିତି ଅତ୍ୟନ୍ତ ଉଦ୍ବେଗଜନକ । ଆମ ରାଜ୍ୟରେ ମଧ୍ୟ ଏହି ସ୍ଥିତି ଚିନ୍ତାଜନକ । ଏଥିପାଇଁ ବ୍ୟାପକ ସଡ଼କ ସୁରକ୍ଷା ସମ୍ପର୍କିତ ସଚେତନତା, ଟ୍ରାଫିକ୍ ନିୟନ୍ତ୍ରଣ, ରାସ୍ତା ମରାମତି ଇତ୍ୟାଦିର ଆବଶ୍ୟକତା ରହିଛି ବୋଲି ମନ୍ତ୍ରୀ ଶ୍ରୀମତୀ ସାହୁ ପ୍ରକାଶ କରିଛନ୍ତି ।
ବୈଠକରେ ରାଜ୍ୟରେ ପଞ୍ଚାୟତିରାଜ ଅନୁଷ୍ଠାନ ଏବଂ ଏନ୍ସିସି କ୍ୟାଡେଟ୍ମାନଙ୍କୁ ସଂଶ୍ଳିଷ୍ଟ କରି ସଡ଼କ ସୁରକ୍ଷା ଉପରେ ବ୍ୟାପକ ଜନସଚେତନତା ସୃଷ୍ଟି କରାଯିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ଦୁଇ ଚକିଆ ଯାନଚଳକଙ୍କ ନିମନ୍ତେ ହେଲ୍ମେଟ୍ ବ୍ୟବହାରକୁ ବାଧ୍ୟତାମୂଳକ କରାଯିବା ସହ ସହର ମଧ୍ୟକୁ ଭାରୀଯାନ ଚଳାଚଳ ଉପରେ କଟକଣା ନିମନ୍ତେ ନିଷ୍ପତ୍ତି ନିଆଯାଇଥିଲା । ଏଥିସହ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କୁ ଜାତୀୟ ରାଜପଥ ନିର୍ମାଣ ଏବଂ ମରାମତି ପାଇଁ ଆବଶ୍ୟକୀୟ ନିଦେ୍ର୍ଦଶ ପ୍ରଦାନ, ମଙ୍ଗୁଳି ଛକଠାରୁ ସମ୍ବଲପୁର ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କାର୍ଯ୍ୟକୁ ତ୍ୱରିତ କରିବା, ନିଶାଦ୍ରବ୍ୟ ସେବନ କରି ଗାଡ଼ିଚାଳନା ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ, ରାସ୍ତା ନିର୍ମାଣ ଓ ମରାମତି ସମ୍ପର୍କିତ ଗୁଣବତ୍ତା ଉପରେ ଗୁରୁତ୍ୱ, ଆସନ୍ତା ଅକ୍ଟୋବରରୁ ଗାଡ଼ି ପଛରେ ନାଲି ଆଲୁଅ ଅଥବା ରିଫ୍ଲେକ୍ଟିଭ୍ ଟେପ୍କୁ ବାଧ୍ୟତାମୂଳକ କରିବା, ଜାତୀୟ ରାଜପଥରେ ପାଟ୍ରୋଲିଂକୁ କଡ଼ାକଡ଼ି କରିବା ଉଦେ୍ଦଶ୍ୟରେ ପୁଲିସ କମିଶନରଙ୍କୁ ଯାନ ଯୋଗାଇଦେବା, ଭୁବନେଶ୍ୱର-କଟକ ରାସ୍ତାରେ ଲେନ୍ ଡ୍ରାଇଭିଂ ବ୍ୟବସ୍ଥାର ପ୍ରଚଳନ ଆଦି ବିଷୟ ନେଇ ବିସ୍ତୃତ ଆଲୋଚନା ହେବା ସହ ଏ ସମ୍ପର୍କରେ ନିଷ୍ପତ୍ତି ନିଆଯାଇଥିଲା ।