ପୁତିନ୍ଙ୍କୁ ପୁଣି ହତ୍ୟା ଉଦ୍ୟମ
ମସ୍କୋ, ୧୫ା୯: ରୁଷ୍-ୟୁକ୍ରେନ୍ ଯୁଦ୍ଧ ମଧ୍ୟରେ ରାଷ୍ଟ୍ରପତି ବ୍ଲାଦିମିର ପୁତିନ୍ଙ୍କୁ ଷଷ୍ଠବାର ହତ୍ୟା ଉଦ୍ୟମ ହୋଇଛି । ରୁଷ୍ ପକ୍ଷରୁ ଏ ବିଷୟରେ ଆନୁଷ୍ଠାନିକ ଭାବେ କିଛି କୁହାଯାଇନଥିଲେ ହେଁ, ମିଡିଆ ରିପୋର୍ଟ ଅନୁଯାୟୀ ପୁତିନ୍ ଲିମୋଜିନ୍ କାର୍ ଯୋଗେଁ ଘରକୁ ଫେରୁଥିବା ବେଳେ ଆକ୍ରମଣ ହୋଇଥିଲା । କାର୍ ଉପରକୁ ଫିଙ୍ଗାଯାଇଥିଲା ବୋମା । କେବେ ଓ କେଉଁଠାରେ ଆକ୍ରମଣ ହୋଇଥିଲା, ତାହାର ସ୍ପଷ୍ଟ ସୂଚନା ଗଣମାଧ୍ୟମରେ ଦିଆଯାଇ ନ ଥିଲେ ହେଁ କ୍ରେମ୍ଲିନ୍ ସୂତ୍ର ଅନୁଯାୟୀ ବୁଧବାର ହୋଇଥିଲା ବିସ୍ଫୋରଣ ।
ପୁତିନ୍ଙ୍କ କାର୍କୁ ୫ଟି ଗାଡ଼ି ଏସ୍କର୍ଟ କରୁଥିଲେ । ପ୍ରଥମ ଗାଡ଼ିକୁ ଗୋଟିଏ ଅଜଣା ଆମ୍ବୁଲାନ୍ସ ଅକସ୍ମାତ୍ ରୋକିଦେଇଥିଲା । ଏହାପରେ ଦ୍ୱିତୀୟ ଗାଡ଼ିକୁ ମଧ୍ୟ ଅଟକାଇ ଦିଆଯାଇଥିଲା । ପୁତିନ୍ ତୃତୀୟ ଗାଡ଼ିରେ ବସିଥିଲେ । ତାଙ୍କ ଗାଡ଼ିର ବାମପାଖ ଆଗ ଟାୟର୍ ପାଖରେ ପ୍ରଚଣ୍ଡ ବିସ୍ଫୋରଣ ହେବା ମାତ୍ରେ ସିକ୍ୟୋରିଟି ଗାର୍ଡମାନେ ସୁରକ୍ଷିତ ଭାବେ ତାଙ୍କୁ ଅନ୍ୟତ୍ର ନେଇ ନେଇଯାଇଥିଲେ । ୟୁକ୍ରେନ୍ର ଜଣେ ତୁଙ୍ଗ ଗୁଇନ୍ଦା ଅଧିକାରୀ କହିଛନ୍ତି ଏହାକୁ ମିଶାଇ ୬ ଥର ହତ୍ୟା ଉଦ୍ୟମ ହେଲାଣି । ଦୁଇମାସ ପୂର୍ବେ କକେସସ୍ରେ ପୁତିନ୍ଙ୍କୁ ଅନୁରୂପ ହତ୍ୟା ଉଦ୍ୟମ ହୋଇଥିଲା । ସେଥିରୁ ସେ ଅଳ୍ପକେ ବର୍ତ୍ତିଯାଇଥିଲେ । ବୁଧବାର ଏକ ଅଜଣା ଆମ୍ବୁଲାନ୍ସ କାର୍କେଡର ପ୍ରଥମ କାର୍କୁ ରୋକିଥିଲା । ଆମ୍ବୁଲାନ୍ସ ଡ୍ରାଇଭର୍ଙ୍କ ଶବ ମିଳିଛି । ପ୍ରଥମ କାର୍ରେ ଥିବା ସକ୍ୟୋରିଟି ଅଧିକାରୀଙ୍କ ମଧ୍ୟରୁ ତିନିଜଣ ନିଖୋଜ ରହିଛନ୍ତି । ପୁତିନ୍ଙ୍କ ମୁଖ୍ୟ ବଡ଼ିଗାର୍ଡ଼ ସମେତ ଅନେକ ଗାର୍ଡ଼ଙ୍କୁ ସସ୍ପେଣ୍ଡ ଓ ଗିରଫ କରାଯାଇଛି । ତାର କାରଣ ରାଷ୍ଟ୍ରପତିଙ୍କ ଗସ୍ତ ସମ୍ପର୍କିତ ବିବରଣୀ କେବଳ ସିକ୍ୟୋରିଟ୍ ଗାର୍ଡ଼ମାନଙ୍କୁ ଜଣାଥାଏ । ଘନ ଘନ ହତ୍ୟା ଉଦ୍ୟମ ହେଉଥିବାରୁ ପୁତିନ୍ ତାଙ୍କ ଚାରିପାଖେ ସର୍ବଦା ସ୍ନାଇପର ଟିମ୍କୁ ମୁତୟନ କରିଛନ୍ତି । ୟୁକ୍ରେନ୍ ଯୁଦ୍ଧ ଆରମ୍ଭ ହେବା ଦିନରୁ ଆଜିସୁଦ୍ଧା ପୁତିନ୍ଙ୍କ ୭ଜଣ ଘନିଷ୍ଠ ସହଯୋଗୀ ରହସ୍ୟଜନକ ଭାବେ ପ୍ରାଣ ହରାଇଲେଣି । ପୁତିନ୍ଙ୍କ ଡାହାଣ ହାତ କୁହାଯାଉଥିବା ଆଲେକ୍ଜାଣ୍ଡର୍ ଡୁଗିନ୍ଙ୍କୁ ବୋମାରେ ଉଡ଼ାଇଦେବା ଉଦ୍ୟମ ହୋଇଥିଲା । କିନ୍ତୁ ଦୈବାତ୍ ସେହି ଗାଡ଼ିରେ ସେ ନଥିଲେ, ଥିଲେ ତାଙ୍କ ଝିଅ ଯିଏକି ସେଥିରେ ପ୍ରାଣ ହରାଇଥିଲେ ।