ପ୍ରଶାସନର ମାପଚୁପ ଆରମ୍ଭ

ବାଲିସାହି-ସ୍ୱର୍ଗଦ୍ୱାର-ଲୋକନାଥ ମନ୍ଦିର ରାସ୍ତା ପ୍ରଶସ୍ତୀକରଣ
ପୁରୀ (ବୁ୍ୟରୋ): ଶ୍ରୀମନ୍ଦିର ଐତିହ୍ୟ କରିଡର୍ ପରେ ଏବେ ପ୍ରଶସ୍ତ ହେବ ସିଂହଦ୍ୱାର ଠାରୁ-ବାଲିସାହି-ସ୍ୱର୍ଗଦ୍ୱାର ରାସ୍ତା । ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଗୁରୁବାର ପ୍ରସ୍ତୁତି ସହ ମାପଚୁପ ଆରମ୍ଭ ହୋଇଛି । ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଉପସ୍ଥିତିରେ ଏହି ମାପଚୁପ କାର୍ଯ୍ୟ ଜାରି ରହିଥିଲା । ପ୍ରଥମେ ଜିଲ୍ଲାପାଳ ଶ୍ରୀ ବର୍ମାଙ୍କ ନେତୃତ୍ୱରେ ଏକ ଟିମ୍ ବାଲିସାହି ଗସ୍ତ କରି ସ୍ଥାନୀୟ ବାସିନ୍ଦାଙ୍କ ସହ ଆଲୋଚନା କରିଥିଲେ । ଆଲୋଚନା ସମୟରେ ଉଭୟ ପାଶ୍ୱର୍ର ସ୍ଥାନୀୟ ବାସିନ୍ଦାମାନେ ଜିଲ୍ଲା ପ୍ରଶାସନକୁ ଅବଗତ କରିଥିଲେ ଯେ, ଉଚ୍ଛେଦ କାର୍ଯ୍ୟକୁ ସ୍ୱାଗତ କରୁଛି । କିନ୍ତୁ ୪ଠ ଫୁଟ୍ ଚଉଡ଼ା ଉଚ୍ଛେଦ ନ କରାଯାଇ ୩ଠ ଫୁଟ୍ ଉଚ୍ଛେଦ କରିବାକୁ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଥିଲେ । ପରେ ଜିଲ୍ଲାପାଳ ସେମାନଙ୍କ ସହ ଆଲୋଚନା କରି ପ୍ରଥମେ ମାପଚୁପ ଆରମ୍ଭ ହେଉ, ପରେ ଦେଖିବା ବୋଲି ଆଶ୍ୱାସନା ଦେଇଥିଲେ ।
ଏହି ପ୍ରକଳ୍ପ କାକୁଡ଼ିଖାଇ ଛକଠାରୁ ବାଲିସାହି ଦେଇ ସ୍ୱର୍ଗଦ୍ୱାର ବେଳାଭୂମି ରାସ୍ତାକୁ ସଂଯୋଗ କରିବ । ଏଥିଲାଗି ରାସ୍ତାର ଓସାର ୪୦ଫୁଟ୍ ହେବ । ଯେଭଳି ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଠିଆ ହେଲେ ସମୁଦ୍ର ଦେଖାଯିବ । ସେହିପରି ଶ୍ରୀମନ୍ଦିରର ଦକ୍ଷିଣଦ୍ୱାର ଠାରୁ ଗାଣ୍ଡୁଆଚଉରା ଛକ ଦେଇ ଲୋକନାଥ ମନ୍ଦିରର ରାସ୍ତା ମଧ୍ୟ ପ୍ରଶସ୍ତୀକରଣ କରାଯିବ । ସେଥିଲାଗି ନିଷ୍ପତ୍ତି ଶେଷ ହୋଇଛି । ବାଲିସାହି-ସ୍ୱର୍ଗଦ୍ୱାର ରାସ୍ତା ଭଳି ଲୋକନାଥ ମନ୍ଦିର ରାସ୍ତାକୁ ମଧ୍ୟ ୪୦ ଫୁଟ୍ ଓସାର କରାଯିବ । ଉଭୟ ରାସ୍ତା ପ୍ରକଳ୍ପ କାର୍ଯ୍ୟ ଖୁବ୍ଶୀଘ୍ର ଆରମ୍ଭ କରାଯିବ । କେବଳ କ୍ଷତିଗ୍ରସ୍ତ ପରିବାର, ବ୍ୟବସାୟୀ ଅନୁଷ୍ଠାନ ଓ ମଠମାନଙ୍କ ସହ ଆଲୋଚନା କରାଯାଇ ଉଚ୍ଛେଦ କରାଯିବ ବୋଲି ଜଣାପଡ଼ିଛି । ଏଥିଲାଗି ଜିଲ୍ଲା ପ୍ରଶାସନ ପ୍ରକି୍ରୟା ଆରମ୍ଭ କରିଥିବା ବେଳେ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଭାଳେଣି ପଡ଼ିଲାଣି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ଅଧିକ ସଶକ୍ତ ଓ ସୌନ୍ଦର୍ଯ୍ୟକରଣ କରାଯିବ ବୋଲି ବ୍ଲୁ-ପ୍ରିଣ୍ଟକୁ କାର୍ଯ୍ୟକାରୀ କରିବାକୁ ପ୍ରଶାସନ ଅଣ୍ଟା ଭିଡ଼ିଛି । ଏହାରି ମଧ୍ୟରେ ଜିଲ୍ଲା ପ୍ରଶାସନ ଭିତିରି ବାଲିସାହିର କିଛି ମୁରବୀମାନଙ୍କ ସହ ପ୍ରଥମ ପର୍ଯ୍ୟାୟ ଆଲୋଚନା କରିଛନ୍ତି । ଏହି ଆଲୋଚନାରେ ପ୍ରଶାସନ ପକ୍ଷରୁ ୬୦ ଫୁଟ ଉଚ୍ଛେଦ କରିବାକୁ ଯୋଜନା କରୁଥିଲା । ହେଲେ କଡ଼ା ବିରୋଧ ହେବାରୁ ଏହାକୁ କମାଇ ୪୦ ଫୁଟ୍ ରଖିବାକୁ ପ୍ରଶାସନ ପ୍ରସ୍ତାବ ଦେଇଛି । କିନ୍ତୁ ସ୍ଥାନୀୟ ବାସିନ୍ଦା ୩୦ଫୁଟ୍ ମଧ୍ୟରେ ରାସ୍ତା ପ୍ରଶସ୍ତିକରଣ ସୀମିତ ରଖିବାକୁ ପ୍ରସ୍ତାବ ଦେଇଥିବା ଜଣାପଡିଛି । ପ୍ରଶାସନ ୪୦ ଫୁଟ୍ ଉଚ୍ଛେଦ କରିବ ବୋଲି ଆଲୋଚନା ଜୋର୍ ଧରିଛି ।
ଅନ୍ୟପକ୍ଷରେ ଶ୍ରୀମନ୍ଦିରର ଦକ୍ଷିଣଦ୍ୱାର ନିକଟ କାକୁଡ଼ିଖାଇ ଛକ ପାଖରୁ ସ୍ୱର୍ଗଦ୍ୱାର ବେଳାଭୂମି ପର୍ଯ୍ୟନ୍ତ ଯାଇଥିବା ବାଲିସାହି ରାସ୍ତାଟି ସବୁବେଳେ ଜନଗହିଳପୂର୍ଣ୍ଣ । ସମୁଦ୍ରରୁ ସ୍ନାନ ସାରି ପର୍ଯ୍ୟଟକମାନେ ସିଧାସଳଖ ଉକ୍ତ ରାସ୍ତା ଦେଇ ଶ୍ରୀମନ୍ଦିରକୁ ଆସିଥାନ୍ତି । ଏହି ରାସ୍ତା ଅତ୍ୟନ୍ତ ଅଣଓସାରିଆ ହୋଇଥିବା ବେଳେ ଚାରିଚକିଆ ଯାନ ଯିବା ଅସମ୍ଭବ । ସେହିଭଳି ଉକ୍ତ ରାସ୍ତା ପାଶ୍ୱର୍ରେ ଦୋକାନ ଘର ସହ ମଠ ମନ୍ଦିର ରହିଛି । ଉକ୍ତ ରାସ୍ତାରେ ଶହ ଶହ ବ୍ୟବସାୟୀ ସେମାନଙ୍କ ପରିବାର ପ୍ରତିପୋଷଣ କରୁଛନ୍ତି । ସେମାନେ ରାସ୍ତା ପ୍ରଶସ୍ତିକରଣ ହେବା ଲାଗି ଉଚ୍ଛେଦ ହେବା ଘଟଣା ଶୁଣି ବ୍ୟବସାୟୀଙ୍କ ମଧ୍ୟରେ ଛନକା ପଶିଲାଣି । ଏହି ମାପଚୁପ ସମୟରେ ଉପଜିଲ୍ଲାପାଳ ଭବତାରଣ ସାହୁଙ୍କ ସମେତ ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀ ଓ ସ୍ଥାନୀୟ ବାସିନ୍ଦା ଉପସ୍ଥିତ ଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *