ସିଜେଆଇଙ୍କ ନିଷ୍ପତ୍ତିରେ ବେଞ୍ଚ ନାରାଜ
ନୂଆଦିଲ୍ଲୀ, ୧୫ା୯: ସୁପ୍ରିମ୍ କୋଟରେ କେସ୍ ଲିଷ୍ଟିଂକୁ ନେଇ ଦୁଇଜଣ ଜଜ୍ ପ୍ରଧାନ ବିଚାରପତି (ସିଜେଆଇ) ୟୁ ୟୁ ଲଳିତଙ୍କ ନିଦେ୍ର୍ଦଶ ଉପରେ ପ୍ରଶ୍ନ ଉଠାଇଛନ୍ତି । ଭାରତୀୟ ନ୍ୟାୟପାଳିକା ଇତିହାସରେ ଏହା ଏକ ବିରଳ ଘଟଣା । ଜଷ୍ଟିସ୍ ସଞ୍ଜୟ କିସନ୍ କୌଲ ଓ ଜଷ୍ଟିସ୍ ଅଭୟ ଏସ୍ ଓକାଙ୍କ ବେଞ୍ଚ ଲିଷ୍ଟିଂ ସିଷ୍ଟମ୍କୁ ସମାଲୋଚନା କରିଛନ୍ତି । ଏକ ମାମଲାର ଶୁଣାଣି ମଧ୍ୟରେ ଏହି ନ୍ୟାୟପୀଠ କହିଛନ୍ତି ଅପରାହ୍ଣ ସତ୍ର (ସେସନ)ରେ ବହୁ ସଂଖ୍ୟକ କେସ୍ ପଡ଼ୁଛି । ତେଣୁ ସେଗୁଡ଼ିକର ଫଇସଲା କରିବାକୁ ସମୟ ମିଳୁନାହିଁ । ଏଥିପାଇଁ ନୂଆ ଲିଷ୍ଟିଂ ପଦ୍ଧତି ଦାୟୀ । ପ୍ରଧାନ ବିଚାରପତିଙ୍କ ଦ୍ୱାରା ଲାଗୁ କରାଯାଇଥିବା ନୂଆ ପ୍ରଣାଳୀରେ ସୁପ୍ରିମ୍କୋର୍ଟର ସମସ୍ତ ୩୦ ବିଚାରପତିଙ୍କୁ ପ୍ରତିଦିନ ୨ସିଫ୍ଟରେ କାମ କରିବାକୁ ପଡ଼ୁଛି । ସୋମବାରଠାରୁ ଶୁକ୍ରବାର ପର୍ଯ୍ୟନ୍ତ ନୂଆ ମାମଲାଗୁଡ଼ିକର ଶୁଣାଣି ପାଇଁ ୧୫ଟି ଭିନ୍ନ ଭିନ୍ନ ନ୍ୟାୟପୀଠ (ବେଞ୍ଚ)ରେ ସେମାନଙ୍କୁ ବସିବାକୁ ପଡ଼ୁଛି । ପ୍ରତିଦିନ ସେମାନେ ୬୦ ମାମଲାର ଶୁଣାଣି କରୁଛନ୍ତି । ତିନିଜଣିଆ ନ୍ୟାୟ ପୀଠର ସବୁ ଜଜ୍ଙ୍କୁ ମଙ୍ଗଳବାର, ବୁଧବାର ଓ ଗୁରୁବାର ପୂର୍ବାହ୍ଣ ସାଢ଼େ୧୦ଟାରୁ ଅପରାହ୍ଣ ଗୋଟାଏ ପର୍ଯ୍ୟନ୍ତ ପ୍ରଥମ ସିଫ୍ଟ୍ରେ ପୁରୁଣା ମାମଲା ଶୁଣାଣି କରିବାକୁ ପଡ଼ୁଛି । ଏହି ତିନିଦିନ ପ୍ରତ୍ୟହ ଅପରାହ୍ମ ସିଫ୍ଟରେ ଦୁଇଜଣିଆ ବେଞ୍ଚକୁ ୩୦ଟି ଲେଖାଏଁ କେସ୍ ଦିଆଯାଉଛି । ୩୦କେସ୍ ପାଇଁ ସେମାନଙ୍କ ହାତରେ ରହୁଛି ମାତ୍ର ୨ଘଣ୍ଟା । ଏହାର ଅର୍ଥ, ମାତ୍ର ପ୍ରତି ୪ମିିନିଟ୍ରେ ଗୋଟିଏ ଲେଖାଏଁ ମାମଲାର ଫଇସଲା କରାଯାଉଛି । ଅବଶ୍ୟ ସିଜେଆଇ ମଙ୍ଗଳବାର ଠାରୁ କେସ୍ ସଂଖ୍ୟା ୩୦ରୁ କମାଇ ୨୦ କରିଦେଇଛନ୍ତି । ଫଳତଃ ଏବେ ୧୨୦ମିନିଟ୍ରେ ୨୦କେସ୍ର ଶୁଣାଣି ହେଉଛି । ଏହି ପରିପ୍ରେକ୍ଷୀରେ ପୂର୍ବୋକ୍ତ ଦୁଇ ଜର୍ଜଙ୍କ ପିଠ କହିଛନ୍ତି, ଯେଉଁ ମାମଲାର ଫାଇଲ୍ ଆମେ ପଢ଼ିଛୁ ତାହାକୁ ଆମେ ଆଉଥରେ ପଢ଼ିବୁ ବୋଲି ଆଡ଼ଭୋକେଟ୍ ଆଶାକରିବା ଅନୁଚିତ୍ । ମିଡିଆ ରିପୋର୍ଟ ଅନୁଯାୟୀ ୪୯ତମ ପ୍ରଧାନ ବିଚାରପତି ରୂପେ ଜଷ୍ଟିସ୍ ଲଳିତ ଅଗଷ୍ଟ ୨୭ରେ ପଦଭାର ଗ୍ରହଣ କରିବା ପରଠାରୁ ଏହି ପର୍ଯ୍ୟନ୍ତ ୫ହଜାରରୁ ଅଧିକ ମାମଲାର ଫଇସଲା ହେଲାଣି । ମାତ୍ର ୧୩ଟି କାର୍ଯ୍ୟଦିବସରେ ୩୫୦୦ରୁ ଅଧିକ ବିବିଧ ମାମଲା (ମିସେଲାନିଅସ୍ କେସ୍), ୨୫୦ରୁ ଅଧିକ ନିୟମିତ ଶୁଣାଣି ମାମଲା (ରେଗୁଲାର୍ କେସ୍) ଓ ୧୨୦୦ରୁ ଅଧିକ ସ୍ଥାନାନ୍ତରଣ ଆବେଦନ (ଟ୍ରାନ୍ସଫର୍ ପିଟିସନ୍)ର ଫଇସଲା କରାଯାଇଛି । ବର୍ଷ ବର୍ଷ ଧରି ପଡ଼ିରହିଥିବା ମାମଲା ଗୁଡ଼ିକୁ ଶିଘ୍ର ତୁଟାଇବା ଉଦେ୍ଦଶ୍ୟରେ ସିଜିଆଇ ଏଭଳି ନୂଆ ବ୍ୟବସ୍ଥା କରିଛନ୍ତି । ଫାଷ୍ଟଟ୍ରାକ୍ ତରିକାରେ କେସ୍ ଫଇସଲା କରାଯାଉଛି । ସୁପି୍ରମ୍ କୋର୍ଟ ଅନୁଯାୟୀ ଅଗଷ୍ଟ ୨୬ ସୁଦ୍ଧା ଶୀର୍ଷ ଅଦାଲତରେ ୭୧,୪୧୧ ମାମଲା ବିଚାରାଧୀନ ଥିଲା । ସେଥିରେ ଅନୁଚ୍ଛେଦ ୩୭୦, ନୋଟ୍ବନ୍ଦୀ, ସିଏଏ, ଇଲେକ୍ଟୋରାଲ୍ ବଣ୍ଡ୍, ୟୁଏପିଏ ଓ ସବରିମାଳା ଭଳି ଗୁରୁତ୍ୱପୂର୍ଣ୍ଣ ମାମଲା ଅନ୍ତର୍ଭୁକ୍ତ । ପ୍ରଧାନ ବିଚାରପତି ଶୁକ୍ରବାର ବାର୍ କାଉନ୍ସିଲ୍ ପକ୍ଷରୁ ତାଙ୍କ ସମ୍ମାନାର୍ଥେ ଆୟୋଜିତ କାର୍ଯ୍ୟକ୍ରମରେ ଏହିକଥା ପ୍ରକାଶ କରିଥିଲେ । ସେ କହିଥିଲେ ଆମେ ରେଗୁଲାର୍ କେସ୍ଗୁଡ଼ିକୁ ତୁଟାଇବା ଉପରେ ଅଧିକ ଜୋର୍ ଦେଉଛୁ । ଏହି ଧାରା ଜାରି ରହିବ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ ।
ଉଲ୍ଲେଖଯୋଗ୍ୟ ଯେ, ପ୍ରଧାନ ବିଚାରପତି ଲଳିତ ନଭେମ୍ବର ୮ରେ ସେବାନିବୃତ୍ତ ହେବେ ।