ଅବସର ନେଲେ ହକି ଅଲିମ୍ପିଆନ୍ ନମିତା

ଦୁଇ ଥର ଏସିଆଡ୍ ପଦକ
ବିଜେତା ଟିମ୍ର ସଦସ୍ୟ
ଖେଳିଛନ୍ତି ୧୬୮ ଆନ୍ତର୍ଜାତିକ ମ୍ୟାଚ୍
ନୂଆଦିଲ୍ଲୀ, ୧୫ା୯ (ଏଜେନ୍ସି): ଭାରତର ଅଭିଜ୍ଞ ମିଡ୍ଫିଲ୍ଡର, ଅଲିମ୍ପିଆନ୍ ଓଡ଼ିଶାର ନମିତା ଟପ୍ପୋ ଗୁରୁବାର ହକିରୁ ଅବସର ଘୋଷଣା କରିଛନ୍ତି । ସୁନ୍ଦରଗଡ଼ର ୨୭ବର୍ଷୀୟା ନମିତା ୨୦୧୪ ଏସିଆଡ୍ର କାଂସ୍ୟ ଏବଂ ୨୦୧୮ ଏସିଆଡ୍ରେ ରୌପ୍ୟ ପଦକ ବିଜେତା ଟିମ୍ର ଅଂଶବିଶେଷ ଥିଲେ । ୨୦୧୨ରେ ବରିଷ୍ଠ ଟିମ୍ରେ ପଦାର୍ପଣ କରିଥିବା ନମିତା ୧୫୦ରୁ ଅଧିକ ଆନ୍ତର୍ଜାତିକ ମ୍ୟାଚ୍ ଖେଳିଛନ୍ତି । ହକି ଇଣ୍ଡିଆର ବିଜ୍ଞପ୍ତିରେ ଟପ୍ପୋ କହିଛନ୍ତି, “ଶେଷ ୧୦ ବର୍ଷ ନିଶ୍ଚିତରୂପେ ମୋ ଜୀବନର ସର୍ବଶ୍ରେଷ୍ଠ ସମୟ ରହିଆସିଛି । ବଡ଼ ମଞ୍ଚରେ ମୋ ଦେଶ ପାଇଁ ଖେଳିବା ମୋର ଏକ ସ୍ୱପ୍ନ ଥିଲା ଏବଂ ମୋ ସ୍ୱପ୍ନକୁ ହାସଲ କରିବାରେ ସକ୍ଷମ ହୋଇଥିବାରୁ ମୁଁ ଖୁବ୍ ଆନନ୍ଦିତ ।” ସେ ଆହୁରି ମଧ୍ୟ କହିଛନ୍ତି, “ମୁଁ ଆଶା କରୁଛି ଯେ ମୁଁ ଏକ ବଡ଼ ପ୍ରଭାବ ପକାଇଛି ଏବଂ ଗତ ଦଶନ୍ଧିରେ ଭାରତୀୟ ମହିଳା ହକି ଟିମ୍ର ଅଗ୍ରଗତି ମୋତେ ରୋମାଞ୍ଚିତ ହୋଇଛି । ମୁଁ ମୋ ଜୀବନର ନୂଆ ଅଧ୍ୟାୟ ଆଡ଼କୁ ଗତି କରୁଛି, ତେବେ ମୁଁ ଟିମ୍କୁ ଉତ୍ସାହିତ ଓ ସମର୍ଥନ ଜାରି ରଖିବି । ନମିତା ରାଉରକେଲାର ପାନପୋଷସ୍ଥିତ କ୍ରୀଡ଼ା ଛାତ୍ରାବାସରୁ ପ୍ରଶିକ୍ଷଣ ପାଇଛନ୍ତି । ସେ ୨୦୦୭ରେ ପ୍ରଥମ ଥର ରାଜ୍ୟ ତରଫରୁ ପ୍ରତିନିଧିତ୍ୱ କରିଥିଲେ । ଘରୋଇ ପ୍ରତିଯୋଗିତାରେ ତାଙ୍କ ପ୍ରଦର୍ଶନକୁ ଦେଖି ତାଙ୍କୁ ୨୦୧୧ରେ ଥାଇଲାଣ୍ଡର ବ୍ୟାଙ୍କକ୍ ଠାରେ ଆୟୋଜିତ ୧୮ ବର୍ଷରୁ କମ୍ ବାଳିକା ଏସିଆ କପ୍ ପାଇଁ ଟିମ୍ରେ ମନୋନିତ କରାଯାଇଥିଲା । ସେ ୨୦୧୨ରେ ଡବ୍ଲିନ୍ ଠାରେ ଖେଳାଯାଇଥିବା ଏଫ୍ଆଇଏଚ୍ ଚାମ୍ପିଅନ୍ସ ଚାଲେଞ୍ଜ୍ ୧ରେ ପ୍ରଥମ ଥର ଜାତୀୟ ବରିଷ୍ଠ ଟିମ୍ରେ ସ୍ଥାନ ପାଇଥିଲେ ।
ଜର୍ମାନୀରେ ଅନୁଷ୍ଠିତ ୨୦୧୩ ଏଫ୍ଆଇଏଚ୍ ମହିଳା କନିଷ୍ଠ ବିଶ୍ୱକପ୍ରେ ସେ ଭାରତୀୟ ଟିମ୍ରେ ସାମିଲ୍ ହୋଇଥିଲା । ଟିମ୍ ଏଥିରେ କାଂସ୍ୟ ପଦକ ଜିତିଥିଲା । ଏହାପରେ ସେ ଅନ୍ୟ ବଡ଼ ଟୁର୍ଣ୍ଣାମେଣ୍ଟ ୨୦୧୩ରେ ଏଫ୍ଆଇଏଚ୍ ମହିଳା ବିଶ୍ୱ ଲିଗ୍ ରାଉଣ୍ଡ-୨ (ଭାରତ ଏଥିରେ ସ୍ୱର୍ଣ୍ଣ ଜିତିଥିଲା) ଓ ତୃତୀୟ ମହିଳା ଏସିଆନ୍ ଚାମ୍ପିଅନ୍ସ ଟ୍ରଫି (ଭାରତ ରୌପ୍ୟ ଜିତିଥିଲା)ରେ ଭାଗ ନେଇଥିଲେ । ନମିତା ମଧ୍ୟ ୨୦୧୪ ରାଜ୍ୟଗୋଷ୍ଠୀ କ୍ରୀଡ଼ା, ୨୦୧୪ ଏସିଆଡ୍ ଓ ୨୦୧୬ ରିଓ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିଥିଲେ । ସେ ମୋଟ୍ ୧୬୮ ଆନ୍ତର୍ଜାତିକ ମ୍ୟାଚ୍ ଖେଳିଛନ୍ତି । ଦୁଇ ଥର ଏସିଆଡ୍ ପଦକଧାରିଣୀ ନମିତାଙ୍କୁ ହକି ଇଣ୍ଡିଆ ଅବସର ନେବା ନେଇ ଅଭିନନ୍ଦନ ଜଣାଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *