ଟେନିସ୍ରେ ଫେଡ଼ରର୍ ଯୁଗର ଅବସାନ

ଲାଭେର୍ କପ୍ ହେବ ଶେଷ ଟୁର୍ଣ୍ଣାମେଣ୍ଟ
ବର୍ନ, ୧୫ା୯ (ଏଜେନ୍ସି): ଟେନିସ୍ ଜଗତରେ ପୂର୍ବତନ ଏକ ନମ୍ବର ଖେଳାଳି ରୋଜର୍ ଫେଡ଼ରର୍ଙ୍କ ଯୁ୍ଗର ଅବସାନ ଘଟିବାକୁ ଯାଉଛି । ୨୦ ଗ୍ରାଣ୍ଡ୍ସ୍ଲାମ୍ ବିଜେତା ସ୍ୱିସ୍ ସୁପର୍ଷ୍ଟାର୍ ଫେଡରର୍ ଗୁରୁବାର ପ୍ରତିଦ୍ୱନ୍ଦ୍ୱିତାମୂଳକ ଟେନିସ୍ରୁ ଅବସର ଘୋଷଣା କରିଛନ୍ତି । ଆସନ୍ତା ସପ୍ତାହରେ ହେବାକୁ ଥିବା ଲାଭେର କପ୍ ତାଙ୍କ ଶେଷ ଏଟିପି ଇଭେଣ୍ଟ ହେବ ।
ଦ୍ଭ ୨ଠ ଗ୍ରାଣ୍ଡ୍ସ୍ଲାମ୍ ଜିତିବାରେ
ବିଶ୍ୱର ପ୍ରଥମ ପୁରୁଷ ଖେଳାଳି
ଗ୍ରାସ୍କୋର୍ଟର ସର୍ବକାଳୀନ ସର୍ବଶ୍ରେଷ୍ଠ ଖେଳାଳିଙ୍କ ମଧ୍ୟରେ ପରିଗଣିତ ଫେଡ଼ରର୍ ସର୍ବାଧିକ ଆଠ ଥର ୱିମ୍ବଲଡନ୍ ପୁରୁଷ ଏକକ ମୁକୁଟ ଜିତିଛନ୍ତି । ତାଙ୍କ ନାମରେ ଛଅ ଅଷ୍ଟ୍ରେଲିଆନ୍ ଓପନ୍, ପାଞ୍ଚ ୟୁଏସ୍ ଓପନ୍ ଓ ଗୋଟିଏ ଫ୍ରେଞ୍ଚ୍ ଓପନ୍ ମୁକୁଟ ରହିଛି । ଏହାଛଡ଼ା ସେ ୧୦୩ ଏଟିପି ମୁକୁଟ ବି ହାସଲ କରିଛନ୍ତି ।
୪୧ବର୍ଷୀୟ ଫେଡ଼ରର୍ ଟ୍ୱିଟର୍ରେ ଆବେଗାତ୍ମକ ପୋଷ୍ଟ ସେୟାର୍ କରି ଏହି ଘୋଷଣା କରିଥିଲେ । ସେ ପୁରୁଷ ଏକକରେ ସର୍ବାଧିକ ଗ୍ରାଣ୍ଡ୍ସ୍ଲାମ୍ ଜିତିବା ତାଲିକାରେ ତୃତୀୟ ସ୍ଥାନରେ ଅଛନ୍ତି । ସେ ୨୦ ଗ୍ରାଣ୍ଡ୍ସ୍ଲାମ୍ ଜିତିବାରେ ବିଶ୍ୱର ପ୍ରଥମ ପୁରୁଷ ଖେଳାଳି ହୋଇପାରିଥିଲେ । ଏବେ ଏହି ରେକର୍ଡ ସ୍ପେନ୍ୀୟ ରାଫେଲ୍ ନାଡ଼ାଲ୍ଙ୍କ ନାମରେ ରହିଛି, ଯିଏକି ୨୨ ମେଜର୍ ମୁକୁଟ ଜିତିଛନ୍ତି । ସର୍ବୀୟ ନୋଭାକ୍ ଜୋକୋଭିଚ୍ଙ୍କ ନାମରେ ୨୧ ମେଜର୍ ମୁକୁଟ ରହିଛି ।
ଦ୍ଭ ୩୧ଠ ସପ୍ତାହ ଧରି ଥିଲେ ଶୀର୍ଷରେ
ଫେଡ଼ରର୍ ୧୯୯୮ରେ ପେସାଦାର ଟେନିସ୍ କ୍ୟାରିଅର ଆରମ୍ଭ କରିଥିଲେ । ୨୦୧୮ରେ ସେ ବିଶ୍ୱର ଏକ ନମ୍ବର ଖେଳାଳି ହେବାରେ ସର୍ବବରିଷ୍ଠ ଥିଲେ । ସର୍ବୀୟ ନୋଭାକ୍ ଜୋକୋଭିଚ୍ଙ୍କ ପୂର୍ବରୁ ତାଙ୍କ ନାମରେ ସର୍ବାଧିକ ସମୟ ମାନ୍ୟତାର ଶୀର୍ଷରେ ରହିବାର ରେକର୍ଡ ଥିଲା । ସେ ୩୧୦ ସପ୍ତାହ ଧରି ଏକ ନମ୍ବରରେ ଥିଲେ ।
୨୦୨୦ରେ ସେ ଆଣ୍ଠୁରେ ସର୍ଜରୀ କରାଇଥିଲେହେଁ ସମ୍ପୂର୍ଣ୍ଣ ଫିଟ୍ନେସ୍ ହାସଲ କରିପାରି ନ ଥିଲେ । ସେ ଗତ ତିନି ବର୍ଷ ହେଲା କୋର୍ଟକୁ ପ୍ରତ୍ୟାବର୍ତ୍ତନ ପାଇଁ ସଂଘର୍ଷ କରିଆସୁଛନ୍ତି ।
ଦ୍ଭ ହସିଛି, କାନ୍ଦିଛି ବି…
ଫେଡ଼ରର୍ ତାଙ୍କ ୨୪ ବର୍ଷର ଯାତ୍ରାରେ ନିଜ ପ୍ରଶଂସକ ଓ ପ୍ରତିଦ୍ୱନ୍ଦ୍ୱୀ ଖେଳାଳିଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେ କହିଛନ୍ତି, “ମତେ ୪୧ ବର୍ଷ ବୟସ ହେଲାଣି । ମୁଁ ୨୪ ବର୍ଷ ମଧ୍ୟରେ ୧୫୦୦ରୁ ଅଧିକ ମ୍ୟାଚ୍ ଖେଳିଛି । ଟେନିସ୍ ମୋ ସହ ପୂର୍ବାପେକ୍ଷା ଅଧିକ ଉଦାରତାର ସହ ବ୍ୟବହାର କରିଛି ଏବଂ ଏବେ ମତେ ସନ୍ଧାନ କରିବାକୁ ହେବ ଯେ ମୋ ପ୍ରତିଦ୍ୱନ୍ଦ୍ୱିତାମୂଳକ କ୍ୟାରିଅରର ସମାପ୍ତ ସମୟ କେବେ । ଆସନ୍ତା ସପ୍ତାହରେ ଲଣ୍ଡନରେ ହେବାକୁ ଥିବା ଲାଭେର କପ୍ ମୋର ଶେଷ ଏଟିପି ଇଭେଣ୍ଟ ହେବ । ମୁଁ ନିଶ୍ଚିତରୂପେ ଭବିଷ୍ୟତରେ ଆହୁରି ଅଧିକ ଟେନିସ୍ ଖେଳିବି, ହେଲେ ଏହା କୌଣସି ଗ୍ରାଣ୍ଡ୍ସ୍ଲାମ୍ ଅଥବା କୌଣସି ଟୁର୍ ମ୍ୟାଚ୍ ହେବ ନାହିଁ ।”
ଫେଡ଼ରର୍ ଆହୁରି ମଧ୍ୟ ଲେଖିଛନ୍ତି, “ଗତ ୨୪ ବର୍ଷ ମୋ ପାଇଁ ଚମକ୍ପ୍ରଦ ଥିଲା । କେବେ କେବେ ମନେହୁଏ, ଏହି ୨୪ ବର୍ଷ ମାତ୍ର ୨୪ ଘଣ୍ଟାରେହିଁ ହୋଇଛି । ଏହା ଏଭଳି ଏକ ଅନୁଭବ, ଯେମିତି ମୁଁ ପୂରା ଜୀବନ ଜିଇଁନେଇଛି । ମୋର ସୌଭାଗ୍ୟ ହେଉଛି, ମତେ ଆପଣଙ୍କ ଭଳି ଦର୍ଶକଙ୍କ ଆଗରେ ଓ ୪୦ ଭିନ୍ନ ଭିନ୍ନ ଦେଶରେ ଖେଳିବାର ସୁଯୋଗ ମିଳିଛି । ଏହି ସମୟରେ ମୁଁ ହସିଛି ଓ କାନ୍ଦିଛି ବି, ଖୁସି ମିଳିଛି ଓ ଯନ୍ତ୍ରଣା ବି; କିନ୍ତୁ ମୁଁ ନିଜ ପାଇଁ ଭଲ ଅନୁଭବ କରିଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *