୩ ଦିନ ବର୍ଷା ପରିମାଣ କମିବ
ଭୁବନେଶ୍ୱର, ୧୫ା୯ (ବୁ୍ୟରୋ): ଆଗାମୀ ୨ରୁ ୩ ଦିନ ଯାଏଁ ରାଜ୍ୟରେ ବିଶେଷ ବର୍ଷା ସମ୍ଭାବନା ନଥିବାରୁ ଦିନ ତାପମାତ୍ରାରେ ବୃଦ୍ଧି ସମ୍ଭାବନା ରହିଛି । ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ସୂଚନାରେ ଆହୁରି ମଧ୍ୟ କୁହାଯାଇଛି ଉପକୂଳ ଓଡ଼ିଶା ସମେତ ପାର୍ଶବର୍ତ୍ତୀ ଅଞ୍ଚଳରେ ଗୁଳୁଗୁଳି ଅନୁଭୂତ ହେବାର ସମ୍ଭାବନା ରହିଛି । ଉତ୍ତପ୍ତ ବାୟୁମଣ୍ଡଳ ସଂସ୍ପର୍ଶରେ ଆସି ଜଳୀୟବାଷ୍ପ କିଛି ଜିଲ୍ଲାରେ ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା ଥିବାର ବି, ଚେତାବନୀ ଜାରି କରାଯାଇଛି । ୧୫ରୁ ୧୭ ତାରିଖ ପର୍ଯ୍ୟନ୍ତ କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ ଏବଂ ୧୮ ତାରିଖଠାରୁ ବର୍ଷା ପରିମାଣ ବଢ଼ିବ । ଏନେଇ ଆସନ୍ତାକାଲି ଉପକୂଳ ଓଡ଼ିଶଶର ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।
ମୌସୁମୀ ଏବେ ଦୁର୍ବଳ ରହିଥିବାରୁ ଅଧିକ ବର୍ଷା ହେବାର ସମ୍ଭାବନା ନାହିଁ । ମୌସୁମୀ ବର୍ଷା କଥା ଯଦି ଦେଖିବା ଜୁନ୍ ପହିଲାରୁ ଏଯାବତ୍ ରାଜ୍ୟରେ ସ୍ୱାଭାବିକ ଭାବେ ୧୦୪୪.୯ ମିମି ବର୍ଷା ହେବା କଥା ।ମାତ୍ର ଚଳିତବର୍ଷ ଏହି ସମୟ ମଧ୍ୟରେ ୧୦୯୦.୪ ମିମି ବର୍ଷା ରେକର୍ଡ କରାଯାଇଛି । ଯାହା ସ୍ୱାଭାବିକଠୁ ଅଧିକ ରହିଛି । ଏଣେ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ବିଭିନ୍ନ ଅନ୍ତର୍ଜାତୀୟ ସଂସ୍ଥାଙ୍କ ଦ୍ୱାରା କରାଯାଇଥିବା ଆକଳନ ଅନୁଯାୟୀ ଅକ୍ଟୋବରରେ ରାଜ୍ୟରେ ସ୍ୱାଭାବିକଠାରୁ ଅଧିକ ବର୍ଷା ହେବ । ସବୁ ଉପକୂଳ ଜିଲ୍ଲାରେ ବର୍ଷା ପରିମାଣ ଅଧିକ ରହିବ । ଉପକୂଳବର୍ତ୍ତୀ ଜିଲ୍ଲା ସଂଲଗ୍ନ ଅଞ୍ଚଳରେ ସ୍ୱାଭାବିକଠାରୁ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି । ଉଭୟ ଅକ୍ଟୋବର ଓ ନଭେମ୍ବର ମାସରେ ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହିବ । ଫଳରେ ରାଜ୍ୟକୁ ବିଳମ୍ବରେ ଶୀତ ଆସିବ । ଡିସେମ୍ବରରେ ତାପମାତ୍ରା ସ୍ୱାଭାବିକ ରହିବ । ଅକ୍ଟୋବର ମାସର ଅଧିକ ବର୍ଷା ସଅଳ ଧାନ ଫସଲ ପାଇଁ ଅସୁବିଧା କରିପାରେ । ରବି ଅଣଧାନ ଫସଲ ପାଇଁ ପାଣିପାଗ ଅନୁକୂଳ ରହିବାର ସମ୍ଭାବନା ଅଧିକ ରହିଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପ୍ରକାଶ ପାଇଛି । ।