ସବୁ ସହାୟତା ମିଳିବ
ମୁମ୍ବାଇ ନିବେଶକ ସମ୍ମିଳନୀରେ ଶିଳ୍ପପତିଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ
ଭୁବନେଶ୍ୱର, ୧୪ା୯ (ବୁ୍ୟରୋ): ଓଡ଼ିଶାର ଅର୍ଥନୀତି ସମଗ୍ର ଦେଶର ସବୁଠୁ ଦ୍ରୁତ ଅଭିବୃଦ୍ଧି କରୁଥିବା ଅର୍ଥନୀତି । ଗତ ଦେଢ଼ ଦଶନ୍ଧି ଧରି ଓଡ଼ିଶାର ଆର୍ଥିକ ଅଭିବୃଦ୍ଧି ହାର ଜାତୀୟ ହାର ତୁଳନାରେ ଅଧିକ । ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ପ୍ରବଳ ସମ୍ଭାବନା ରହିଛି । ଓଡ଼ିଶାର ସବୁ କ୍ଷେତ୍ରରେ ନିବେଶ ହୋଇପାରିବ । ଏନେଇ ସବୁ ବିଭାଗ ଖେଶଲା ଅଛି । ଶିଳ୍ପ ତଥା ଉଦ୍ୟୋଗକୁ ଆଗକୁ ବଢ଼ାଇବା ପାଇଁ ରାଜ୍ୟ ସରକାର ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ ଯୋଗାଇଦେବେ । ଏହାର ଫାଇଦା ନେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିବେଶକଙ୍କୁ ଆହ୍ୱାନ କରିଛନ୍ତି । ମୁମ୍ବାଇରେ ବୁଧବାର ସନ୍ଧ୍ୟାରେ ଆୟୋଜିତ ନିବେଶକ ସମ୍ମିଳନୀରେ ଯୋଗ ଦେବା ସହ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଶିଳ୍ପପତିଙ୍କୁ ଓଡ଼ିଶାରେ ନିବେଶ କରିବା ସହ ଆସନ୍ତା ନଭେମ୍ବର ୩୦ରୁ ଡିସେମ୍ବର ୪ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ‘ମେକ୍ ଇନ ଓଡ଼ିଶାର ସଂସ୍କରଣ ୩’ରେ ସାମିଲ ହେବାକୁ ଆମନ୍ତ୍ରଣ ଦେଇଛନ୍ତି ।
ମୁମ୍ବାଇର ଏକ ତାରକା ହାଟେଲରେ ଆୟୋଜିିତ ନିବେଶକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ, ବର୍ତ୍ତମାନ ସ୍ଥିତିରେ ଓଡ଼ିଶାରେ ନିବେଶ ଲାଭଦାୟକ । ବଦଳୁଥିବା ସମୟ ସହ ଓଡ଼ିଶା ବିକାଶର ସିଢ଼ି ଚଢ଼ୁଛି । ଏବେ ଓଡ଼ିଶାର ସବୁ ଅଞ୍ଚଳରେ ବିକାଶ ଧାରା ଜାରି ରହିଛି । ଏବେ ଓଡ଼ିଶା ପୁଞ୍ଜିପତିଙ୍କ ପ୍ରଥମ ପସନ୍ଦ ରହିଛି । ବିଗତ ଦିନରେ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଓଡ଼ିଶଶ ଦେଶର ନଂ ୧ ହୋଇଛି । ଖଣି ହେଉ କି ଖାଦ୍ୟ ପ୍ରକ୍ରିୟା କରଣ ସବୁଥିରେ ଓଡ଼ିଶଶ ଏବେ ଆଗରେ ରହିଛି । ଏହି ସ୍ଥିତିରେ ଓଡ଼ିଶାରେ ନିବେଶ ଶିଳ୍ପପତିଙ୍କ ଲାଭବାନ ହେବ । ୨ ଦଶନ୍ଧିରେ ରାଜ୍ୟ ସରକାର ଶିଳ୍ପ କ୍ଷେତ୍ରରେ ବ୍ୟାପକ ଅଭିବୃଦ୍ଧି ଆଣିଛନ୍ତି । ୨ ଥର ସଫଳ ଭାବେ ମେକ୍ ଇନ୍ ସଡ଼ିଶାର ଆୟୋଜନ କରାଯାଇଛି ଓ ଆଉ ଚଳିତଥର ଭବ୍ୟ ଓ ବଡ଼ ଆୟୋଜନ କରାଯାଉଛି ।
ତେଣୁ ଆପଣ ସମସ୍ତେ ମେକ୍ ଇନ୍ ଓଡ଼ିଶାର ତୃତୀୟ ସଂସ୍କରଣରେ ଯୋଗ ଦେବାକୁ ନିଶ୍ଚୟ ଆସନ୍ତୁ ବୋଲି ମୁମ୍ବାଇ ନିବେଶକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ।
ସନ୍ଧ୍ୟାରେ ଆୟାଜିତ କାର୍ଯ୍ୟକ୍ରମରେ ଦେଶର ବିଭିନ୍ନ ଶିଳ୍ପପତି, ନିବେଶକ, ବ୍ୟାଙ୍କର ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ସେମାନଙ୍କୁ ସମ୍ବୋଧିତ କରି ଶିଳ୍ପ ଓ ଏମଏସଏମଇ ମନ୍ତ୍ରୀ ପ୍ରତାପ କେଶରୀ ଦେବ କହିଛନ୍ତି, ଓଡ଼ିଶାର ସବୁ କ୍ଷେତ୍ରରେ ନିବେଶ ହୋଇପାରିବ । ସବୁ ଇଣ୍ଡଷ୍ଟ୍ରି ଖୋଲା ଅଛି । ଓଡ଼ିଶାରେ ୨୦୦ରୁ ଅଧିକ ଇଞ୍ଜିନିୟରିଂ କଲେଜ ଓ ଏକ ହଜାରରୁ ଅଧିକ ଆଇଟିଆଇ ରହିଛି । ଦେଶରେ ଅଧିକ କୁଶଳୀ ମାନବ ସମ୍ବଳ ସୃଷ୍ଟି କରିବାରେ ଓଡ଼ିଶା ଆଗରେ ରହିଛି । ତେଣୁ ଶିଳ୍ପପତିମାନେ ଓଡ଼ିଶାର ଏହି ଉପାଦେୟକୁ ବ୍ୟବହାରରେ ଲଗାଇପାରିବେ । କୁଶଳୀ ଶ୍ରମିକଙ୍କ ଓଡ଼ିଶାରେ ଅଭାବ ନାହିଁ । ୱାଲ୍ଡ ସ୍କିଲ୍ ସେଣ୍ଟର କରି ଓଡ଼ିଶା ବହୁ କୁଶଳୀ ଶ୍ରମିକ ପ୍ରସ୍ତୁତ କରୁଛି । ଏଥିପ୍ରତି ଶିଳ୍ପୋଦ୍ୟୋଗୀମାନେ ଦୃଷ୍ଟି ଦେଇ ନିଜ ଅଭିବୃଦ୍ଧି ସହ ଓଡ଼ିଶାର ମଧ୍ୟ ଅଭିବୃଦ୍ଧଇ କରାଇବେ ଓ ଓଡ଼ିଶାର କୁଶଳୀଙ୍କୁ ନିଯୁକ୍ତି ମଧ୍ୟ ମିଳିବ ବୋଲି ମନ୍ତ୍ରୀ ଶ୍ରୀ ଦେବ କହିଥିଲେ ।
ସେହିପରି ଶିଳ୍ପ ସଚିବ ହେମନ୍ତ କୁମାର ଶର୍ମା ଓଡ଼ିଶାରେ ପୁଞ୍ଜିନିବେଶ ନିମନ୍ତେ ରହିଥିବା ସମ୍ଭାବନା ଓ ଇକା-ସିଷ୍ଟମ ସମ୍ପର୍କିତ ରିପୋର୍ଟ ଉପସ୍ଥାପନ କରିଥିଲେ । ଓଡ଼ିଶାରେ ଶିଳ୍ପ ପାଇଁ ଜମିର ପରିମାଣ, ବିଦୁ୍ୟତର ପରିମାଣ ଓ କୁଶଳୀ ଶ୍ରମିକଙ୍କ ପାରିଶ୍ରମିକ ଭାରତରେ ସବୁଠୁ କମ୍ । ଏହାର ଫାଇଦା ଶିଳ୍ପପତି ଓ ନିବେଶକମାନେ ନେଇପାରିବେ ବୋଲି ସେ କହିଥିଲେ । ସେହିପରି ହାରାହାରି ୧୦.୧% ଅଭିବୃଦ୍ଧି ସହ ଓଡିଶା ଭାରତର ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି ମଧ୍ୟରୁ ଅନ୍ୟତମ, ତେଣୁ ଶିଳ୍ପପତିମାନେ ଓଡ଼ିଶାରେ ନିବେଶ କରିବା ସହ ଏହି ସବୁ ପ୍ରସଙ୍ଗକୁ ଧ୍ୟାନରେ ରଖି ଫାଇଦା ଉଠାନ୍ତୁ ବୋଲି ମୁଖ୍ୟ ସଚିବ ହେମନ୍ତ ଶର୍ମା କହିଛନ୍ତି ।
ସୂଚନାଥାଉ କି, ବୁଧବାର ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଦେଶର ପ୍ରମୁଖ ଶିଳ୍ପପତି, ବ୍ୟାଙ୍କର ଓ ନିବେଶକଙ୍କ ସହ ୱାନ୍ ଟୁ ୱାନ୍ ଆଲୋଚନା କରିଥିଲେ । ଭୁବନେଶ୍ୱରରେ ନଭେମ୍ବର ୩୦ରୁ ହେବାକୁ ଥିବା ମେକ ଇନ୍ ଓଡ଼ିଶାର ତୃତୀୟ ସଂସ୍କରଣ ନିମନ୍ତେ ଦୁବାଇ ଓ ଦିଲ୍ଲୀ ପରେ ମୁମ୍ବାଇରେ ନିବେଶକ ସମ୍ମିଳନୀର ଆୟୋଜନ କରାଯାଇଛି । ଆସନ୍ତା ୨୮ରେ ବେଙ୍ଗାଲୁରୁରେ ମଧ୍ୟ ଅନୁରୂପ କାର୍ଯ୍ୟକ୍ରମ ରାଜ୍ୟ ସରକାରଙ୍କ ପକ୍ଷରୁ କରାଯିବ । ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଏବେ ୩ ଦିନିଆ ଗସ୍ତରେ ମୁମ୍ବାଇ ଯାଇଥିବାବେଳେ ଆସନ୍ତାକାଲି ସକାଳ ୯ରୁ ସାଢ଼େ ୯ଟା ମଧ୍ୟରେ ଦଲାଲ ଷ୍ଟ୍ରିଟରେ ଥିବା ବମ୍ବେ ଷ୍ଟକ ଏକ୍ସଚେଞ୍ଜ ପରିଦର୍ଶନରେ ଯାଇ ଓପନିଂ ବେଲ୍ ବଜାଇବେ । ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆସନ୍ତାକାଲି ଅପରାହ୍ନ ସାଢ଼େ ୫ଟାରେ ଭୁବନେଶ୍ୱରରେ ପହଞ୍ଚôବେ ଓ ୧୬ ତାରିଖରେ ହେବାକୁ ଥିବା ଏୟାର ସୋ’ ମଧ୍ୟ ଦେଖିବେ ବୋଲି ଜଣାପଡ଼ିଛି ।