ଆଗକୁ ଲୁଣ ସଙ୍କଟ
ନୂଆଦିଲ୍ଲୀ, ୧୪ା୯: ମହଙ୍ଗାକାଳରେ ଲୁଣ ଉପରେ ସଂକଟର ବାଦଲ ଛାଡ଼ଯାଇଛି । ଲୁଣ ଉଦ୍ୟୋଗ ସହ ସମ୍ପୃକ୍ତ ଚାଷୀମାନେ ଚଳିତବର୍ଷ ଖୁବ୍ କ୍ଷତିଗ୍ରସ୍ତ ହୋଇଛନ୍ତି । କିଛିବର୍ଷ ହେଲା- ମୌସୁମୀ ଋତୁ ବିଳମ୍ବରେ ଆରମ୍ଭ ହୋଇ ଅଧିକ ଦିନ ବର୍ଷା ଲାଗି ରହିବା ଫଳରେ ଗୁଜରାଟ ଓ ତାମିଲନାଡ଼ୁରେ ଲୁଣ ଉତ୍ପାଦନ ବ୍ୟାହତ ହୋଇଛି । ଗୁଜରାଟରେ ସର୍ବାଧିକ ଲୁଣ ଉତ୍ପାଦିତ ହୋଇଥାଏ । ଏ ବର୍ଷ ଏ ରାଜ୍ୟରେ ୩ଠ% କମ୍ ଲୁଣ ଉତ୍ପାଦନ ହେବା ଆଶଙ୍କା ପ୍ରକାଶ ପାଇଛି ।
ଅନ୍ୟାନ୍ୟ ଫସଲ ପରି ଲୁଣ ପାଇଁ ସର୍ବନିମ୍ନ ସମର୍ଥନ ମୂଲ୍ୟ (ଏମ୍ଏସ୍ପି) ବ୍ୟବସ୍ଥା ନାହିଁ । ଇଂରେଜ ଶାସନ କାଳରେ ଲୁଣ ଉତ୍ପାଦନକୁ ମାଇନିଂ ବର୍ଗରେ ରଖାଯାଇଥିଲା । ଆଜି ମଧ୍ୟ ସେହି ବ୍ୟବସ୍ଥା କାଏମ୍ ରହିଛି । ଲୁଣ କ୍ଷେତରେ କାମ କରୁଥିବା ଚାଷୀ ଓ ଶ୍ରମିକଙ୍କ ପାଇଁ ମଜୁରୀ ବ୍ୟବସ୍ଥା ବା ସାମାଜିକ ନିରାପତ୍ତା ବନେ୍ଦାବସ୍ତ କରାଯାଇନାହିଁ ।
ଆମେରିକା ଓ ଚୀନ୍ ପରେ ଭାରତ ପୃଥିବୀର ତୃତୀୟ ବୃହତ୍ତମ ଲୁଣ ଉତ୍ପାଦକ ଦେଶ । ଭାରତରେ ପ୍ରତିବର୍ଷ ପ୍ରାୟ ୩ କୋଟି ଟନ୍ ଲୁଣ ଉତ୍ପାଦିତ ହୋଇଥାଏ ।
ସେଥିରୁ ୧ କୋଟି ଟନ୍ ରପ୍ତାନି ମାଧ୍ୟମରେ ୫୫ରୁ ଅଧିକ ଦେଶକୁ ଯାଏ । ୧ କୋଟି ୨୫ ଲକ୍ଷ ଟନ୍ ଲୁଣ ପଲିଷ୍ଟର, ପ୍ଲାଷ୍ଟିକ୍, ଗ୍ଲାସ୍, କେମିକାଲ୍ସ ଆଦି ଶିଳ୍ପକ୍ଷେତ୍ରରେ ବ୍ୟବହୃତ ହୁଏ । ଅବଶିଷ୍ଟ ଲୁଣ ଖାଉଟି ବ୍ୟବହାର କରିଥାନ୍ତି । ଦେଶରେ ଯେତିକି ଲୁଣ ଉତ୍ପାଦିତ ହୁଏ, ସେଥିରୁ ୭୬% ଗୁଜରାଟରେ ହୁଏ । ଗୁଜରାଟ ଛଡ଼ା ତାମିଲନାଡ଼ୁ, ଆନ୍ଧ୍ରପ୍ରଦେଶ ଓ ମହାରାଷ୍ଟ୍ରରେ ସମୁଦ୍ର ପାଣିରୁ ଲୁଣ ଉତ୍ପାଦିତ ହୁଏ । ହିମାଚଳ ପ୍ରଦେଶ ଓ ରାଜସ୍ଥାନରେ ଖଣିରୁ ଲୁଣ ମିଳିଥାଏ, ଯାହାର ପରିମାଣ ମାତ୍ର ୫% ।
ତାମିଲନାଡ଼ୁର ତୁତୁକୁଡ଼ୀ ଜିଲ୍ଲା ଲୁଣ ଉତ୍ପାଦନରେ ଦେଶରେ ଦ୍ୱିତୀୟ ସ୍ଥାନରେ ଅଛି । କିନ୍ତୁ ଅଦିନ ବର୍ଷା କାରଣରୁ ତୁତୁକୁଡ଼ୀରେ ଉତ୍ପାଦନ ବ୍ୟାହତ ହୋଇଛି । ସେଠାରେ ଜାନୁଆରୀରେ ମୌସୁମୀ ଶେଷ ହେବା ପରେ ଲୁଣ କ୍ଷେତ କାମ ଆରମ୍ଭ ହୋଇ ଏପି୍ରଲ୍ରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ଉତ୍ପାଦନ ହୋଇଥାଏ । ଅକ୍ଟୋବରରେ ମୌସୁମୀ ବର୍ଷା ଆରମ୍ଭ ହେବା ସହିତ ଏ କାମ ବନ୍ଦ ହୋଇଯାଏ । ଏ ବର୍ଷ ଜୁଲାଇ ଓ ଅଗଷ୍ଟରେ ବର୍ଷା ହେବାରୁ ଲୁଣ ଉତ୍ପାଦନ ଅତ୍ୟଧିକ ପ୍ରଭାବିତ ହୋଇଛି । ଗତ ବର୍ଷ ଗୁଜରାଟର ଉପକୂଳବର୍ତ୍ତୀ ଇଲାକାରେ ମୌସୁମୀ ଅଧିକ ସକି୍ରୟ ରହିବାରୁ ବହୁ ବିଳମ୍ବରେ ଲୁଣ ଉତ୍ପାଦନ ଆରମ୍ଭ ହୋଇଥିଲା ।
ଲୁଣ ଉତ୍ପାଦନ କମିବା ଫଳରେ ସମ୍ପୃକ୍ତ ବିଭିନ୍ନ ଶିଳ୍ପ ସାମଗ୍ରୀର ଦର ବଢ଼ିଯିବ । ଏହାଛଡ଼ା ଲୁଣ କ୍ଷେତରେ କାମ କରୁଥିବା ପ୍ରାୟ ୫ ଲକ୍ଷ ଲୋକଙ୍କ ରୋଜଗାର ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ପ୍ରଭାବିତ ହେବ । ଏବେ ଲୁଣ ଚାଷୀଙ୍କୁ ଟନ୍ ପିଛା ୨୫ଠରୁ ୩ଠଠ ଟଙ୍କା ମିଳୁଛି । ଅନେକ ସମୟରେ ସେମାନେ ମୂଳଧନ ଫେରିପାଉନାହାନ୍ତି ।
ଲୁଣ ଉତ୍ପାଦନ ଉଭୟ କେନ୍ଦ୍ର ଓ ରାଜ୍ୟର ବିଷୟ । ଜମି ରାଜ୍ୟ ସରକାରଙ୍କ ଅଧୀନରେ ଆସୁଛି । ଭାରତୀୟ ଲୁଣ ଉତ୍ପାଦକ ସଂଘ (ଆଇଏସ୍ଏମ୍ଏ)ର ଅଧ୍ୟକ୍ଷ ଭରତ ରାୱଲ୍ କହିଛନ୍ତି, ସମଗ୍ର ଦେଶ ପାଇଁ ଗୋଟିଏ ଲୁଣ ନୀତି ଲାଗୁ ହେବା ଦରକାର । ତା’ଛଡ଼ା ଲୁଣକୁ ଖଣି ଉତ୍ପାଦ ପରିବର୍ତ୍ତେ କୃଷି ଉତ୍ପାଦ ରୂପେ ସରକାର ଗ୍ରହଣ କରିବା ଜରୁରୀ ।
