ପଦ ବଜାୟ ରଖିପାରିବେ ଗାଙ୍ଗୁଲି ଓ ଶାହା

ବିସିସିଆଇର ସମ୍ବିଧାନ ସଂଶୋଧନକୁ ସର୍ବୋଚ୍ଚ ମଞ୍ଜୁରି
ନୂଆଦିଲ୍ଲୀ, ୧୪ା୯ (ଏଜେନ୍ସି): ସର୍ବୋଚ୍ଚ ନ୍ୟାୟାଳୟ ବୁଧବାର ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ)ର କୁଲିଂ ଅଫ୍ ପିରିୟଡ୍ ସଂକ୍ରାନ୍ତ ସମ୍ବିଧାନ ସଂଶୋଧନକୁ ମଞ୍ଜୁରି ପ୍ରଦାନ କରିଛନ୍ତି । ଏହି ନିଷ୍ପତ୍ତି ପରେ ଏବେ କୌଣସି ପଦାଧିକାରୀ ବିସିସିଆଇରେ ଲଗାତାର ଦୁଇ ଥର ଅର୍ଥାତ୍ ଛଅ ବର୍ଷ ଯାଏଁ ପଦରେ ରହିପାରିବେ । ଏହା ଫଳରେ ବୋର୍ଡ ସଭାପତି ସୌରଭ ଗାଙ୍ଗୁଲି ଓ ସମ୍ପାଦକ ଜୟ ଶାହାଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି । ଏବେ ସେମାନଙ୍କ କାର୍ଯ୍ୟକାଳ ଉପରେ କୌଣସି ସଙ୍କଟ ନାହିଁ ଏବଂ ସେମାନେ ଲଗାତାର ଦ୍ୱିତୀୟ ଥର ଅର୍ଥାତ୍ ୨୦୨୫ ଯାଏଁ ନିଜ ନିଜ ପଦବୀରେ ରହିପାରିବେ ।
ସର୍ବୋଚ୍ଚ ନ୍ୟାୟାଳୟ ନିଜ ରାୟରେ କହିଛନ୍ତି ଯେ ଏବେ ରାଜ୍ୟ କ୍ରିକେଟ୍ ସଂଘ ଓ ବିସିସିଆଇ କାର୍ଯ୍ୟକାଳକୁ ଏକାଠି ବିଚାର କରାଯିବ ନାହିଁ । ଏପରିସ୍ଥଳେ କୌଣସି ଅଧିକାରୀ ରାଜ୍ୟ କ୍ରିକେଟ୍ ସଂଘରେ ଛଅ ବର୍ଷ କାମ କରିବା ପରେ ବିସିସିଆଇରେ ମଧ୍ୟ ଛଅ ବର୍ଷ କାମ କରିପାରିବେ । ବିସିସିଆଇରେ ଲଗାତାର ଛଅ ବର୍ଷ ପୂରଣ ହେବା ପରେ ତିନି ବର୍ଷ ଯାଏଁ କୌଣସି ପଦବୀରେ ରହିପାରିବେ ନାହିଁ ।
ଗାଙ୍ଗୁଲି ୨୦୧୯ ଅକ୍ଟୋବର ୨୩ରେ ବିସିସିଆଇର ସଭାପତି ପଦ ଗ୍ରହଣ କରିଥିବା ବେଳେ ଶାହା ୨୦୧୯ ଅକ୍ଟୋବର ୨୪ରେ ବୋର୍ଡର ସମ୍ପାଦକ ହୋଇଥିଲେ । ଉଭୟଙ୍କ କାର୍ଯ୍ୟକାଳ ୨୦୨୨ ଅକ୍ଟୋବରରେ ଶେଷ ହେବ । ଏହି କାରଣରୁ ବିସିସିଆଇ ସର୍ବୋଚ୍ଚ ନ୍ୟାୟାଳୟରେ ଏ ସଂକ୍ରାନ୍ତ ଆବେଦନ ଉପରେ ଶୀଘ୍ର ଶୁଣାଣି ପାଇଁ ଅପିଲ୍ କରିଥିଲା ।
କୁଲିଂ ଅଫ୍ ପିରିୟଡ୍ କ’ଣ?
କୁଲିଂ ଅଫ୍ ପିରିୟଡ୍କୁ ନେଇ ଲୋଧା କମିଟି ୨୦୧୮ରେ ସୁପାରିସ କରିଥିଲେ । ବିସିସିଆଇରେ ନୂଆ ସମ୍ବିଧାନ ଲାଗୁ ହୋଇଥିଲା । ଏଥିରେ ନିୟମ ଥିଲା ଯେ କୌଣସି ଅଧିକାରୀ ଯିଏ ରାଜ୍ୟ ଅଥବା ବିସିସିଆଇ ସ୍ତରରେ ନିଜର ଦୁଇଟି କାର୍ଯ୍ୟକାଳ ପୂରଣ କରିଥିବେ, ତାଙ୍କୁ ତିନି ବର୍ଷର କୁଲିଂ ଅଫ୍ ପିରିୟଡ୍ ପୂରଣ କରିବାକୁ ହେବ । ଏହି ନିୟମ ଆଧାରରେ ଛଅ ବର୍ଷ ପୂରଣ ହେବା ପରେ ସମ୍ପୃକ୍ତ ବ୍ୟକ୍ତି ସ୍ୱତଃ କୌଣସି ପଦବୀ ଦୌଡ଼ରୁ ସମ୍ପୂର୍ଣ୍ଣରୂପେ ବାଦ୍ ପଡ଼ିଯାନ୍ତି ।
ବିସିସିଆଇ ୨୦୧୯ରେ ସର୍ବୋଚ୍ଚ ନ୍ୟାୟାଳୟରେ ଆବେଦନ ଦାଖଲ କରି ତିନି ବର୍ଷର ବୋର୍ଡ କୁଲିଂ ଅଫ୍ ପିରିୟଡ୍ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣରୂପେ ରଦ୍ଦ କରିବାକୁ ଅନୁମତି ମାଗିଥିଲା । ଏ ପ୍ରସଙ୍ଗରେ ବିସିସିଆଇର ଯୁକ୍ତି ଥିଲା ଯେ କୌଣସି ସଦସ୍ୟ ଗୋଟିଏ ସ୍ଥାନରେ ଲଗାତାର ଛଅ ବର୍ଷ ଯାଏଁ ପଦ ସମ୍ଭାଳିବା ପରେ କୁଲିଂ ଅଫ୍ ପିରିୟଡ୍ ଆସିବା ଆବଶ୍ୟକ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *