ସ୍ୱାଭାବିକ ହେଲା ମୌସୁମୀ
ଭୁବନେଶ୍ୱର (ବୁ୍ୟରୋ): ରାଜ୍ୟରେ ଲାଗି ରହିଥିବା ବର୍ଷାରୁ ସାମାନ୍ୟ ଆଶ୍ୱସ୍ଥି ମିଳିବ । ଆସନ୍ତା ୧୬ ତାରିଖ ଯାଏ ରାଜ୍ୟରେ ବର୍ଷା ଆଶଙ୍କା କମ୍ ଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ବିଶେଷଜ୍ଞ ଉମାଶଙ୍କର ଦାଶ କହିଛନ୍ତି । ଆସନ୍ତା ୨ରୁ ୩ ଦିନ ରାଜ୍ୟରେ ଦିନ ତାପମାତ୍ରା ବୃଦ୍ଧିପାଇବ । ପାଗ ଖରାଟିଆ ରହିବା ସହ ସ୍ଥାନେ ସ୍ଥାନେ ବିକ୍ଷିପ୍ତ ବର୍ଷା ହେବା ଆଶଙ୍କା ରହିଛି । ଗତ ୨ ଦିନ ହେବ ଅବପାତର ସିଧାସଳଖ କୌଣସି ପ୍ରଭାବ ନଥିବଲେ ମଧ୍ୟ ଓଡ଼ିଶା ଉପକୂଳବର୍ତ୍ତୀ ଜିଲ୍ଲାରେ ମୌସୁମୀ ଜନିତ ବର୍ଷା ଲାଗି ରହିଥିଲା । ହେଲେ ଆସନ୍ତାକାଲିଠୁ ଏହା ହ୍ରାସ ପାଇବ । ୧୭ରୁ ପାଗ ପୁଣି ବଦଳିବ ଓ ୧୮ରୁ ବର୍ଷା ବଢ଼ିବ ବୋଲି ଆଞ୍ଚଳିକ ପାଣିପଗା ବିଜ୍ଞାନୀ ଶ୍ରୀ ଦାଶ କହିଛନ୍ତି ।
ସେପଟେ ଗୋଟିଏ ଲଘୁଚାପ ନ ଯାଉଣୁ ବଙ୍ଗୋପସାଗରରେ ପୁଣି ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ । ରାଜ୍ୟରେ ପୁଣି ବଢ଼ିବ ବର୍ଷା । ଆସନ୍ତା ୧୮ରୁ ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ବାୟୁମଣ୍ଡଳର ଉପରି ଭାଗରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ପରବର୍ତ୍ତୀ ୪୮ ଘଣ୍ଟା ମଧ୍ୟରେ ଘନୀଭୁତ ହୋଇ ଲଘୁଚାପର ରୂପ ନେବ ବୋଲି ପୂର୍ବାନୁମାନ କରାଯାଇଛି । ପ୍ରଭାବରେ ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ । ଉତ୍ତର ଓଡ଼ିଶା ତଥା ପଶ୍ଚିମବଙ୍ଗ ଉପକୂଳରେ ଏହି ଘୁଣ୍ଣିର୍ବବଳୟଟି ଅଧିକ ଘନିଭୂତ ହେବା ସମ୍ଭାବନା ଥିବାବେଳେ ଏହା ମଧ୍ୟ ଏକ ଅବପାତ ପର୍ଯ୍ୟନ୍ତ ଘନିଭୂତ ହୋଇପାରେ ବୋଲି ଆକଳନ କରାଯାଉଛି ।
ବିଶେଷ କରି ୧୭ ରୁ ୨୨ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ଆକଳନ କରାଯାଇଛି । ଅବପାତ ଦୁର୍ବଳ ହୋଇଥିଲେ ମଧ୍ୟ ଦକ୍ଷିଣରୁ ଉତ୍ତରକୁ ବାୟୁ ପ୍ରବାହ ରହୁଥିବାରୁ ବର୍ଷା ଲାଗି ରହିବ । ଗୁରୁବାର ଅପରାହ୍ନ ପରେ ହିଁ ବର୍ଷା ପରିମାଣ କମିବ । ଏକାଧିକ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣରେ ବର୍ଷା ସମ୍ଭାବନା ଥିବାବେଳେ ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ବିଶେଷ କରି ୭୦ ରୁ ୧୧୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର କହିଛି । ୟେଲୋ ୱାର୍ଣ୍ଣିଂ ଥିବା ଜିଲ୍ଲାଗୁଡ଼ିକ ମଧ୍ୟରେ ସୁନ୍ଦରଗଡ଼, କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର ଓ କେନ୍ଦ୍ରାପଡ଼ା ରହିଛି ।