ମନ୍ଦିର ୟୁନିଫର୍ମ ପଲିସି ପ୍ରତ୍ୟାହାର ହେଉ
ସ୍ଥାୟୀ ପଟ୍ଟା ପାଇଁ ଜମି ସମସ୍ୟା ସମାଧାନ ମଞ୍ଚର ଦାବି
ପୁରୀ (ବୁ୍ୟରୋ): ସିଦ୍ଧମହାବୀର ରେଲୱେ ଓଭରବି୍ରଜ୍ ନିର୍ମାଣ ଲାଗି ପ୍ରଶାସନିକସ୍ତରରେ ପ୍ରକିୟା ଆରମ୍ଭ ହୋଇଥିବା ବେଳେ ଜମିଅଧିଗ୍ରହଣ ବାଧକ ସାଜିଛି । ଏହାକୁ ନେଇ ବିବାଦ ବଢ଼ିଥିବା ବେଳେ ପ୍ରଶାସନର ଅଜବ ନିଷ୍ପତ୍ତିକୁ ନେଇ ଦୃଢ଼ ବିରୋଧ କରିଛି ଜମି ସମସ୍ୟା ସମାଧାନ ମଞ୍ଚ ।
ସିଦ୍ଧମହାବୀର ଓଭରବ୍ରିଜ୍ ନିର୍ମାଣ ଲାଗି ଜମି ଅଧିଗ୍ରହଣପାଇଁ ପ୍ରଶାସନ ପକ୍ଷରୁ ନୋଟିସ୍ ଜାରି କରାଯାଇଥିବା ବେଳେ ନୋଟିସ୍ ପାଇବାରେ କ୍ଷତିଗ୍ରସ୍ତମାନେ ସେମାନଙ୍କ କ୍ଷତିପୂରଣ ରାଶି ପ୍ରଦାନ କରିବାକୁ ଦାବି କରିଥିଲେ । କିନ୍ତୁ ପ୍ରଶାସନ ପକ୍ଷରୁ ଉକ୍ତ ଜମି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାମରେ ରହିଥିବାରୁ ସମସ୍ତ କ୍ଷତିପୂରଣ ରାଶି ଶ୍ରୀମନ୍ଦିର ପ୍ରଶାସନକୁ ପ୍ରଦାନ କରାଯିବ ବୋଲି ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ହୋଇଥିଲା । ଏହି ନିଷ୍ପତ୍ତିକୁ ଦୃଢ଼ ବିରୋଧ କରାଯିବାରୁ ଜିଲ୍ଲାପ୍ରଶାସନ କ୍ଷତିଗ୍ରସ୍ତଙ୍କୁ ଉଚିତ ପ୍ରାପ୍ୟ ପ୍ରଦାନ କରିବ ବୋଲି ନିଷ୍ପତ୍ତି ଗ୍ରହଣ କରିଛି । କିନ୍ତୁ ଅବଶିଷ୍ଟ ଜମିକୁ ବାସିନ୍ଦାଙ୍କ ନାମରେ ସ୍ଥାୟୀ ପଟ୍ଟା କରିବାକୁ ଏବେ ଦାବି ଜୋର ଧରିଛି । ଏନେଇ ସ୍ଥାନୀୟ ମାଟିଆପଡାସ୍ଥିତ ଗୋସ୍ୱାମୀ ଭବନ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ମଞ୍ଚର ସଭାପତି ଶରତ କୁମାର ରାୟଗୁରୁ ।
ଶ୍ରୀ ରାୟଗୁରୁ ଅଭିଯୋଗ କରିଛନ୍ତି ଯେ, ସିଦ୍ଧମହାବୀର ରେଲୱ ଓଭରବ୍ରିଜ୍ ନିର୍ମାଣ ଲାଗି କ୍ଷତିଗ୍ରସ୍ତଙ୍କୁ ଉଚିତ୍ ପ୍ରାପ୍ୟ ମିଳିବ ବୋଲି ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଥିବା ବେଳେ କ୍ଷତିଗ୍ରସ୍ତ ହିତାଧିକାରୀଙ୍କ ନାମରେ ଅବଶିଷ୍ଟ ଜମିକୁ ରେକର୍ଡଭୁକ୍ତ କରିବାକୁ ମଞ୍ଚ ପକ୍ଷରୁ ଦାବି କରାଯାଇଛି । ମନ୍ଦିର ୟୁନିଫର୍ମ ପଲିସିକୁ ପ୍ରତ୍ୟାହାର କରାଯାଇ ଲୋକଙ୍କୁ ନିଜ ନାମରେ ଜମି ପଟ୍ଟା ପ୍ରଦାନ କରାଯାଉ ବୋଲି ସେ ଦାବି କରିଛନ୍ତି । ନଚେତ ମଞ୍ଚ ପକ୍ଷରୁ ଶ୍ରୀମନ୍ଦିର କାର୍ଯ୍ୟାଳୟ ଘେରାଉ ଠାରୁ ଆରମ୍ଭ କରି ସଂଘ ପୁରୀ ବନ୍ଦ ଡାକରା ଦେବ ବୋଲି କୁହାଯାଇଛି । ଏଥିରେ ବିଜୟ କୁମାର ପାଣି, ଡମ୍ବରୁଧର ଦାଶ, ଅକ୍ଷୟ ମହାନ୍ତି, ଶ୍ରୀଧର ବେହେରା, ମନୋରଞ୍ଜନ ସାହୁ, ଯୋଗେନ୍ଦ୍ର ପଣ୍ଡାଙ୍କ ସମେତ ଶହ ଶହ କ୍ଷତିଗ୍ରସ୍ତ ଉପସ୍ଥିତ ଥିଲେ ।