ଚାଷୀ ସୁରକ୍ଷା ମଞ୍ଚର ବିକ୍ଷୋଭ

ଆସିକା (ଆପ୍ର): ୧୧ ଦଫା ଦାବି ପୂରଣ ଲାଗି ବୁଧବାର ଚାଷୀ ସୁରକ୍ଷା ମଞ୍ଚ ପକ୍ଷରୁ ଆସିକାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଚାଷୀ ସୁରକ୍ଷା ମଞ୍ଚର ସକ୍ରିୟ ସଦସ୍ୟ ତଥା ଆସିକା ଏନ୍‌ଏସି କାଉନସିଲର ରାଘବ ସିୟ ଓ ବରିଷ୍ଠ ଚାଷୀନେତା ଲଳିତ ମୋହନ ଦାସଙ୍କ ନେତୃତ୍ୱରେ ଆସିକା ଅଞ୍ଚଳର ବହୁ ଚାଷୀ ବସଷ୍ଟାଣ୍ଡ କଳିଙ୍ଗ ରୋଡ୍ ସ୍ଥିତ ରାଜସ୍ୱ ବିଭାଗ ଡାକବଙ୍ଗଳା ନିକଟରୁ ସେମାନଙ୍କ ନ୍ୟାୟୋଚିତ ଦାବି ପୂରଣ ଲାଗି ଶୋଭାଯାତ୍ରାରେ ବାହାରି ଲକ୍ଷ୍ମୀବଜାର, ବିନାୟକ ବଜାର, ଖମ୍ବେଶ୍ୱରୀପାଟଣା, ବଜାର ସାହି, ତାଲୁକା ରୋଡ୍ ଅଞ୍ଚଳ ପରିକ୍ରମା କରି ତହସିଲ କାର୍ଯ୍ୟାଳୟ ନିକଟରେ ପହଞ୍ଚିଥିଲେ । ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଅନୁଷ୍ଠିତ ସଭାରେ କାଉନସିଲର ଶ୍ରୀ ସିୟ, ବରିଷ୍ଠ ଚାଷୀନେତା ଲଳିତ ମୋହନ ଦାସ, କାଉନସିଲର ସରୋଜ ଭଞ୍ଜ ପ୍ରମୁଖ ଉଦ୍‌ବୋଧନ ଦେଇ ଚାଷୀ ସମାଜର ବହୁବିଧ ଦାବି ପୂରଣ ଦିଗରେ ସରକାର ପଦକ୍ଷେପ ନେବାକୁ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।
ଆସିକା ସମବାୟ ଚିନିଶିଳ୍ପରେ ଚାଲିଥିବା ଦୁର୍ନୀତି ଓ ହରିଲୁଟର ତଦନ୍ତ, ଚାଷୀଙ୍କୁ ‘ଜୱାଦ୍‌’କ୍ଷତିପୂରଣ ଦେବା, ବିଧାନସଭାରେ ସର୍ବସମ୍ମତି ପାରିତ ପ୍ରସ୍ତାବକ୍ରମେ ଧାନ କୁଇଣ୍ଟାଲ ପିଛା ୨୬ ଶହ ଟଙ୍କା ଧାର୍ଯ୍ୟ କରିବା, ବାଛବିଚାର ନ କରି ସମସ୍ତ ଚାଷୀଙ୍କୁ ସରକାରଙ୍କ ଘୋଷଣା ପ୍ରକାରେ କାଳିଆ ଟଙ୍କା ବଣ୍ଟନ କରିବା, ଚାଷୀମାନଙ୍କୁ ରିହାତି ଦରରେ ସାର ଓ କୀଟନାଶକ ଔଷଧ ପ୍ରଦାନ କରିବା, ୬୦ ବର୍ଷରୁ ଉଦ୍ଧ୍ୱର୍ ବୟସ୍କ ଚାଷୀମାନଙ୍କୁ ଅନୁ୍ୟନ ମାସିକ ୨୫ ଶହ ଟଙ୍କା ଭତ୍ତା ପ୍ରଦାନ କରିବା, ଆସିକା ଏନ୍‌ଏସିର ସମସ୍ତ ରୟତ ମାନଙ୍କୁ ସେମାନଙ୍କ ଘର ଓ ଜମିର ବନେ୍ଦାବସ୍ତ ପଟ୍ଟା ତୁରନ୍ତ ପ୍ରଦାନ କରିବା ସହ ସମସ୍ତ ବସ୍ତିକୁ ବିଜୁଳି ଆଲୁଅ ଓ ପରିମଳ ବ୍ୟବସ୍ଥାକୁ ସୁନିଶ୍ଟିତ କରିବା, ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମାଧ୍ୟମରେ ବାସଗୃହ ଯୋଗାଇଦେବା, ପ୍ରଶାସନ ପକ୍ଷରୁ ବେଆଇନ ଭାବେ ଗ୍ରାମ୍ୟ ପାହାଡରୁ ଚାଲିଥିବା ମାଟି ମୋରମ ଚାଲାଣ ଓ ରାତ୍ରୀରେ ନଦୀରୁ ଚାଲିଥିବା ବାଲି ଚୋରାଚାଲାଣ ବନ୍ଦ କରିବା, ବନ୍ଦ ହୋଇପଡିଥିବା ଆସିକା ସୂତାକଳକୁ କାର୍ଯ୍ୟକ୍ଷମ କରିବା, ଆଖୁଚାଷର ସଂପ୍ରସାରଣ ପାଇଁ ଚାଷୀଙ୍କୁ ପ୍ରୋତ୍ସାହନ ଦେବା ଇତ୍ୟାଦି ୧୧ ଦଫା ଦାବି ପୂରଣ ଦିଗରେ ସରକାର ପଦକ୍ଷେପ ନେବାକୁ ଦାବି କରି ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ଆସିକା ତହସିଲଦାର ସଂଜୟ ସାମନ୍ତରାୟଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା । ଏଥିରେ ଚାଷୀନେତା ପ୍ରଫୁଲ ବିଷୋୟୀ, ପ୍ରସନ୍ନ ସ୍ୱାଇଁ, ରମେଶ ସ୍ୱାଇଁ, ସନ୍ୟାସୀ ପ୍ରଧାନ, ସୁବାସ ଚନ୍ଦ୍ର ପ୍ରଧାନ, ଶାନ୍ତି ବେବର୍ତ୍ତା, ସୁକୁମାର ସ୍ୱାଇଁ, ଉଦ୍ଧବ ପରିଡ଼ା ପ୍ରମୁଖ ସାମିଲ ହୋଇଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *