ଘରୋଇ କମ୍ପାନୀ ବିରୋଧରେ ରଣ ହୁଙ୍କାର
ରାଜ୍ୟସ୍ତରୀୟ କୁକୁଡ଼ା ଚାଷୀ ସମାବେଶ
ଢେଙ୍କାନାଳ (ଆପ୍ର): ଢେଙ୍କାନାଳ ଜିଲ୍ଲାରେ ରାଜ୍ୟସ୍ତରୀୟ କୁକୁଡା ଚାଷୀ ମାନଙ୍କର ସମାବେଶ ଅନୁଷ୍ଠିତ ହେବା ସହିତ ବିଭିନ୍ନ କୁକୁଡା କମ୍ପାନୀ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଛନ୍ତି । ସରକାର କୁକୁଡା ଚାଷୀଙ୍କ ଦାବି ପୂରଣ ନକଲେ ବିଧାନ ସଭା ଭିତରେ ହଜାର ହଜାର କୁକୁଡା ଛାଡିଦେବାକୁ ଚାଷୀମାନେ ନିଷ୍ପତ୍ତି ନେଇଛନ୍ତି । ରାଜ୍ୟରେ ଥିବା ବିଭିନ୍ନ କମ୍ପାନୀମାନେ କୁକୁଡା ଚାଷୀମାନଙ୍କୁ ନିମ୍ନମାନର ଚିଅାଁ ଏବଂ କୁଣ୍ଡା, କାଠଗୁଣ୍ଡ ମିଶା ଦାନା ଦେଉଥିବାରୁ ଚାଷୀମାନେ ବହୁ କ୍ଷତି ସହୁଛନ୍ତି । ଏପରିକି କୁକୁଡା ଚିଅାଁ ଯୋଗାଇଦେଇ କୁକୁଡା ନେଉଥିବାବେଳେ ଚାଷୀମାନଙ୍କୁ ସେମାନଙ୍କର ପ୍ରାପ୍ୟ ପ୍ରଦାନ କରୁନଥିବାର ଅଭିଯୋଗ ହୋଇଛି । ଏହି ସମାବେଶରେ ରାଜ୍ୟର ୨୧ଟି ଜିଲ୍ଲାର କୁକୁଡା ଚାଷୀ ସଭାପତି ଏବଂ ସମ୍ପାଦକଙ୍କ ସହିତ ବିଭିନ୍ନ ସ୍ଥାନରେ ଚାଷୀମାନେ ଯୋଗଦେଇଥିଲେ । ପଶୁପତି ଭଳି କୁକୁଡା କମ୍ପାନୀମାନେ ଠିକ୍ ଭାବରେ ପ୍ରାପ୍ୟ ପ୍ରଦାନ ନକରି ଗାଳି ଗୁଲଜ କରିବା ସହିତ ଶୋଷଣ କରୁଥିବାର ଅଭିଯୋଗ ହୋଇଛି । ଭଦ୍ରକ କୁକୁଡା ସଙ୍ଘର ସଭାପତି କୁକୁଡା ଚାଷୀ ନିଳମଣି ଶୁକ୍ଳାଙ୍କ କହିବା ଅନୁସାରେ ପଶୁପତି କମ୍ପାନୀ ଧମକ ଚମକ ଦେବା ସହିତ ଅଶ୍ଳିଳ ଭାବରେ ଗାଳି ଗୁଲଜ କରିଥିଲେ । ଯଦି କମ୍ପାନୀମାନେ ଶୋଷଣ ବନ୍ଦ ନକରନ୍ତି ତେବେ ରାଜ୍ୟରେ ବ୍ରଏଲର କୁକୁଡା ଉତ୍ପାଦନ ବନ୍ଦ କରିବାକୁ ସେ କହିଥିଲେ । ସେହିପରି ଚାଷୀ ତୃପ୍ତିରଞ୍ଜନ ବେହେରାଙ୍କ ଅଭିଯୋଗ ଅନୁସାରେ ଦୀର୍ଘ ୧୨ବର୍ଷ ଧରି ପଶୁପତି ଭଳି କମ୍ପାନୀମାନେ ଚାଷୀମାନଙ୍କୁ ଶୋଷଣ କରୁଛନ୍ତି । ଚାଷୀମାନେ ଦୁଃଖ ଯନ୍ତ୍ରଣା ମଧ୍ୟରେ ରହୁଥିବାବେଳେ ପିଲାମାନଙ୍କୁ ମଣିଷ କରିପାରୁ ନଥିବାର ଜଣାପଡିଛି । ଚାଷୀମାନଙ୍କର ୫ଟି ଦାବିକୁ ପୂରଣ କରିବାକୁ ସେ କହିଥିଲେ ।
ସରକାର ବେକାର ଯୁବକ ଯୁବତୀମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ସବ୍ସିଡି ପ୍ରଦାନ କରୁଥିବାବେଳେ ଏହି ରିହାତି କିଏ ନେଉଛି ବୋଲି ପ୍ରଶ୍ନ କରିଥିଲେ । ସେହିପରି ଢେଙ୍କାନାଳ କୁକୁଡା ସଙ୍ଘ ସଭାପତି ନରେନ୍ଦ୍ର ଖଟୁଆଙ୍କ କହିବା ଅନୁସାରେ କୁକୁଡା କମ୍ପାନୀମାନେ ସେମାନଙ୍କର ପାରିଶ୍ରମିକ ଠିକ ଭାବରେ ପ୍ରଦାନ କରନ୍ତୁ, ଉନ୍ନତମାନର ଦାନା ଏବଂ ଚିଅାଁ ଦେବା ସହିତ ଠିକ ସମୟରେ ଭାଗଚାଷୀମାନଙ୍କୁ ନ୍ୟାୟ ପ୍ରଦାନ କରିବାକୁ ଦାବି କରିଛନ୍ତି । ଯଦି ଦାବି ପୂରଣ ନହୁଏ ଓଡିଶାରେ ବ୍ରଏଲର ଉତ୍ପାଦନ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି । ପ୍ରକାଶ ଥାଉକି ପଶୁପତି, ପ୍ରିମିୟମ, ସାଲିମାର କମ୍ପାନୀର ପରିଚାଳକ ଏବଂ କର୍ମଚାରୀମାନେ କେତେକ ଚାଷୀଙ୍କୁ ଧମକ ଚମକ ଦେଇ ଚାଷ କରିବାକୁ ବାଧ୍ୟ କରୁଛନ୍ତି । ଚାଷୀମାନେ କୁକୁଡା ଚାଷ କରିବାକୁ ମନା କରିବାରୁ କଟକରୁ ଗୁଣ୍ଡା ଶ୍ରେଣୀ ଲୋକମାନଙ୍କୁ ଆଣି ମାଡ଼ ମାରିବା ସହିତ ଜୀବନରେ ମାରିଦେବାକୁ ଧମକ ଦେଉଛନ୍ତି । କୁକୁଡା କମ୍ପାନୀମାନେ ଓଲଟା ଚାଷୀମାନଙ୍କ ନାମରେ ମିଥ୍ୟା ଅଭିଯୋଗ ଦେଉଥିବାର ଅଭିଯୋଗ ହୋଇଛି । ଚାଷୀ ମାନଙ୍କର ଜୀବନ ଜିବୀକା ନଷ୍ଟ ହେଇଛି ବୋଲି ଥାନାରେ ଚାଷୀ ମାନେ ଲିଖିତ ଅଭିଯୋଗ କରଥିଲେ । ଏହାକୁ ନେଇ ଶହ ଶହ କୁକୁଡା ଚାଷୀ ବସଷ୍ଟାଣ୍ଡ ସ୍ଥିତ ହନୁମାନ ବାଟିକା ଠାରୁ ଏକ ବିଶାଳ ଶୋଭଯାତ୍ରାରେ ବାହାରି ସହର ପରିକ୍ରମା କରିବା ସହିତ ଟାଉନ ଥାନାରେ ପହଞ୍ଚି ଥାନା ଘେରାଉ କରିଥିଲେ ।