ମରାମତି ଆଳରେ ଟଙ୍କା ହରିଲୁଟ୍
କାମରେ ଆସୁନି ଉପସ୍ୱାସ୍ଥ୍ୟ କେନ୍ଦ୍ର
ନାଉଗାଁ (ଆପ୍ର): ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ସରକାରଙ୍କ ପକ୍ଷରୁ ଉପସ୍ୱାସ୍ଥ୍ୟ କେନ୍ଦ୍ରମାନ ଖୋଲାଯାଇଛି । ନାଉଗାଁ ବ୍ଲକ୍ରେ ୧୬ଟି ଉପସ୍ୱାସ୍ଥ୍ୟ କେନ୍ଦ୍ର ରହିଥିବା ବେଳେ ଏଥିମଧ୍ୟରୁ ୫ ଟି କେନ୍ଦ୍ରର ନିଜସ୍ୱ ଗୃହ ରହିଛି । ଏଥିମଧ୍ୟରୁ ୨ ଟି ବିପଦପୂର୍ଣ୍ଣ ଗୃହ ଥିବା ଘୋଷଣା ହୋଇଥିବା ବେଳେ ଗୋଟିଏ ଗୃହ ଆଶିଂକ ବିପଦପୂର୍ଣ୍ଣ ଭାବେ ଘୋଷଣା ହୋଇଛି । କିନ୍ତୁ ଅନ୍ୟ ୨ ଟି ଗୃହରେ ସ୍ୱାସ୍ଥ୍ୟ ସେବା ଚାଲୁ ରହିଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଜାମୁଗାଁ ପଞ୍ଚାୟତ କଂଟୁଣିଆହାଟରେ ଥିବା ଉପସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ବିପଦପୂର୍ଣ୍ଣ ଦର୍ଶାଯାଇଥିବା ବେଳେ, ଗୃହକୁ ବାରମ୍ବାର ମରାମତି କରାଯାଉଥିବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ନାଉଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଜନ ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ ଅନୁସାରେ ଜାମୁଗାଁ ଉପସ୍ୱାସ୍ଥ୍ୟ କେନ୍ଦ୍ରଟି ବିପଦପୂର୍ଣ୍ଣ ହୋଇଥିବାରୁ ଏହି କେନ୍ଦ୍ରଟି ଜାମୁଗାଁର ଏକ ଭଡ଼ା ଘରେ ଚାଲୁଥିବା ସୂଚନା ରହିଛି । ସ୍ଥାନୀୟ ଲୋକଙ୍କ କହିବା ମୁତବାକ ଏହି କେନ୍ଦ୍ରର ଗୃହଟି ଦୀର୍ଘ ୫ ବର୍ଷରୁ ଉଦ୍ଧ୍ୱର୍ ସମୟ ହେବ ଭାଙ୍ଗି ଯାଇଥିବାରୁ ବିଭାଗ ପକ୍ଷରୁ ଅନ୍ୟ ଏକ ସ୍ଥାନରେ ଚାଲୁଛି । ତଥ୍ୟରେ ଗୃହଟି ବିପଦପୂର୍ଣ୍ଣ ଘୋଷାଣା ଦର୍ଶାଯାଇଥିବା ବେଳେ ବିପଦପୂର୍ଣ୍ଣ ଗୃହକୁ କାହା ଇଙ୍ଗିତରେ ବାରମ୍ବାର ମରାମତି କରାଯାଉଛି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ଏହି ବିପଦପୂର୍ଣ୍ଣ କେନ୍ଦ୍ରକୁ ୨୦୧୮-୧୯ ଆର୍ଥିକ ବର୍ଷରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ୧.୫ ଲକ୍ଷ ଟଙ୍କା ବ୍ୟୟ କରାଯାଇ ମରାମତି କରାଯାଇଥିବା ବେଳେ ୨୦୨୦-୨୧ ଆର୍ଥିକ ବର୍ଷରେ ଗ୍ରାମ ପଞ୍ଚାୟତ ପକ୍ଷରୁ ୨ ଲକ୍ଷ ଟଙ୍କା ବ୍ୟୟ କରାଯାଇ ମରାମତି କରାଯାଇଛି । ମରାମତି ପୂର୍ବରୁ କେନ୍ଦ୍ରକୁ ବିପଦପୂର୍ଣ୍ଣ ଦର୍ଶାଯାଇ ଭଡ଼ା ସୂତ୍ରରେ ଅନ୍ୟ ଗୃହ ନିଆଯାଇଛି । ଅନ୍ୟପଟରେ ଉକ୍ତ କେନ୍ଦ୍ରକୁ ପୁନଃ ନିର୍ମାଣ କରାଯିବା ପାଇଁ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପକ୍ଷରୁ ଟେଣ୍ଡର କାର୍ଯ୍ୟ ଶେଷ ହୋଇଥିବା ବିଶେଷସୂତ୍ରରୁ ଜଣାଯାଇଛି । କିନ୍ତୁ ମରାମତି ଆଳରେ କେନ୍ଦ୍ରଟିରେ ସାଢେ ୩ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ତାହା ତାଲା ପଡିରହିଛି । ଅପରପକ୍ଷେ ଉପସ୍ୱାସ୍ଥ୍ୟ କେନ୍ଦ୍ରକୁ ଚଳାଇବା ପାଇଁ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଗୃହଭଡା ସୂତ୍ରରେ ନିଆଯାଇ ଅର୍ଥ ପ୍ରଦାନ କରାଯାଉଥିବା ଜଣାଯାଇଛି । ଗୃହ ମରାମତି ସମ୍ପର୍କରେ ଜାମୁଗାଁ ପଞ୍ଚାୟତ ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀ ସ୍ମୃତିରଞ୍ଜନ ନାୟକଙ୍କୁ ପଚାରିବାରୁ ପଞ୍ଚାୟତର ରେଜୁଲେସନକୁ ଭିତ୍ତିକରି ଉପସ୍ୱାସ୍ଥ୍ୟ କେନ୍ଦ୍ରର ମରାମତି କରାଯାଇଛି । କେନ୍ଦ୍ରର ଗୃହ ବିପଦପୂର୍ଣ୍ଣ ଘୋଷଣା ହୋଇଥିବା ବିଷୟରେ ସେ ଜାଣି ନଥିବା କହିଛନ୍ତି ।