କୋଲକାତା ୱାର୍ ଜୋନ୍
ବିଜେପିର ନବାନ୍ନ ଅଭିଯାନ
କୋଲକାତା,୧୩ା୯: ୨୦୨୪ ନିର୍ବାଚନକୁ ଦୃଷ୍ଟିରେ ରଖି ପଶ୍ଚିମବଙ୍ଗରେ ବିଜେପି ରାସ୍ତାକୁ ଓହ୍ଲାଇଛି । ମମତା ବାନାର୍ଜୀଙ୍କ ସରକାର ବିରୋଧରେ ମଙ୍ଗଳବାର ବିଜେପିର ‘ନବାନ୍ନ ଅଭିଯାନ’ (ସଚିବାଳୟ ପଦଯାତ୍ରା ଅଭିଯାନ) ବେଳେ ପୁଲିସ ସହ ସଂଘର୍ଷ ଯୋଗୁଁ କୋଲକାତା ବସ୍ତୁତଃ ୱାର୍ଡ ଜୋନ୍ରେ ପରିଣତ ହୋଇଥିଲା । ମହାନଗରୀରେ ବିଜେପି ବିକ୍ଷୋଭ ଯୋଗୁଁ ଜୀବନଯାତ୍ରା ଅସ୍ତବ୍ୟସ୍ତ ହୋଇପଡିଥିଲା । ନବାନ୍ନ ଅଭିଯାନ ପାଇଁ ରାଜ୍ୟର ଉତ୍ତର ଓ ଦକ୍ଷିଣବର୍ତ୍ତୀ ଜିଲ୍ଲାଗୁଡିକରୁ ସମର୍ଥନକଙ୍କୁ କୋଲକାତା ଆଣିବା ପାଇଁ ଦଳ ପକ୍ଷରୁ ୭ଟି ଟ୍ରେନ୍ ରିଜର୍ଭ କରାଯାଇଥିଲା ।
ରାଲି ନେତୃତ୍ୱ ନେଉଥିବା ବିଧାୟକ ଶୁଭେନ୍ଦୁ ଅଧିକାରୀ, ବିଜେପି ପ୍ରଦେଶ ଅଧ୍ୟକ୍ଷ ସୁକାନ୍ତ ମଜୁମ୍ଦାର, ଲକେଟ୍ ଚାଟାର୍ଜୀ, ରାହୁଲ ସିହ୍ନା ପ୍ରମୁଖଙ୍କୁ ଅଟକ ରଖାଯାଇଛି । ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଦିଲୀପ ଘୋଷ ହାୱାଡା ପୋଲ ପାଖରେ ବିକ୍ଷୋଭକାରୀଙ୍କ ନେତୃତ୍ୱ ନେଇଥିଲେ ।
ବିଜେପି ନେତା ଓ କର୍ମୀମାନେ ସଚିବାଳୟ ଅଭିମୁଖେ ପଦଯାତ୍ରାରେ ଯାଉଥିବାବେଳେ ହାୱାଡାର ସନ୍ତରାଗାଚ୍ଛି ଓ ହାୱାଡା ମଇଦାନଠାରୁ ଆରମ୍ଭ କରି କୋଲକାତା ପର୍ଯ୍ୟନ୍ତ ମଙ୍ଗଳବାର ଦୁଇ ପ୍ରହରବେଳେ ପୁଲିସ ସହ ଘୋର ସଂଘର୍ଷ ଘଟିଥିଲା ।
ବିଜେପିର ଏହି ଆନେ୍ଦାଳନ ସମ୍ପର୍କରେ କଲିକତା ହାଇକୋର୍ଟ ପଶ୍ଚିମବଙ୍ଗ ଗୃହ ସଚିବଙ୍କୁ ୧୯ ତାରିଖ ସୁଦ୍ଧା ରିପୋର୍ଟ ଦାଖଲ କରିବା ପାଇଁ ଆଦେଶ ଦେଇଛନ୍ତି । ଏହାଛଡା ବିକ୍ଷୋଭ ସମୟରେ କୌଣସି ବ୍ୟକ୍ତିଙ୍କୁ ବେଆଇନ ଭାବେ ଅଟକ ରଖାଯାଇପାରିବ ନାହିଁ ବୋଲି ହାଇକୋର୍ଟ ତାଙ୍କ ନିଦେ୍ର୍ଦଶରେ ଉଲ୍ଲେଖ କରିଛନ୍ତି ।
କୋଲକତାର ଲାଲ୍ ବଜାର ଇଲାକାରେ ବିକ୍ଷୋଭକାରୀମାନେ ପୁଲିସ ଗାଡି ପୋଡି ଦେବା ସହ ଟେକାପଥର ମାଡ କରିଥିଲେ । ବିକ୍ଷୋଭକାରୀମାନଙ୍କୁ ନିୟନ୍ତ୍ରଣ କରିବା ଲାଗି ପୁଲିସ ପ୍ରଥମେ ଲାଠିଚାର୍ଜ ଓ ପରେ ଟିଅର ଗ୍ୟାସ୍ ଏବଂ ୱାଟର୍ କ୍ୟାନନ୍ ପ୍ରୟୋଗ କରିଥିଲା । ସଂର୍ଘଷରେ ବିଜେପି ନେତ୍ରୀ ମୀନା ଦେବୀ ପୁରୋହିତ ଗୁରୁତର ଭାବେ ଆହତ ହେବାରୁ ତାଙ୍କୁ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା ।
ରାଜ୍ୟର ଅନେକ ସ୍ଥାନରେ ଅନୁରୂପ ହିଂସାକାଣ୍ଡ ଘଟିଥିବା ଖବର ମିଳିଛି । ତୃଣମୂଳ କଂଗ୍ରେସ ପକ୍ଷରୁ ଏକ ଟୁଇଟ୍ରେ ନବାନ୍ନ ଚଲୋ ଅଭିଯାନକୁ ନିନ୍ଦା କରାଯାଇଛି । ସରକାରୀ ସମ୍ପତ୍ତି ନଷ୍ଟ କରିବା, ପୁଲିସ୍ ଉପରେ ଆକ୍ରମଣ କରିବା, ଅରାଜକତା ସୃଷ୍ଟି କରିବା ଏବଂ ରାଜ୍ୟରେ ଅଶାନ୍ତି ସୃଷ୍ଟି କରିବା ଦ୍ୱାରା ଦେଶ ଆଜି ଲଜ୍ଜିତ ।