ବାଦ୍ ପଡ଼ିଲା ୨୬ ଔଷଧ, ୩୪ ନୂଆ

୭ ବର୍ଷ ପରେ ବଦଳିଲା ଆବଶ୍ୟକ ଔଷଧ ସୂଚୀ
ନୂଆଦିଲ୍ଲୀ, ୧୩ା୯: ସାତ ବର୍ଷ ପରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ମଙ୍ଗଳବାର ଆବଶ୍ୟକ ଔଷଧର ନୂଆ ରାଷ୍ଟ୍ରୀୟ ତାଲିକା (ଏନ୍ଏଲ୍ଇଏମ୍) ଜାରି କରାଯାଇଛି । ସେଥିରେ ୨୭ ବର୍ଗରେ ଅଛି ୩୮୪ ଔଷଧ । ପୁରୁଣା ସୂଚୀରୁ ୨୬ ପ୍ରକାର ଔଷଧ ହଟାଇ ନୂଆ ସୂଚୀରେ ୩୪ ନୂଆ ଔଷଧକୁ ସାମିଲ କରାଯାଇଛି । ଫଳତଃ ଆବଶ୍ୟକ ଔଷଧ ସଂଖ୍ୟା ୩୮୪ ହୋଇଛି । ଏହା ପୂର୍ବରୁ ୨୦୧୫ ରେ ଏନ୍ଏଲ୍ଇଏମ୍ ଜାରି ହୋଇଥିଲା ।
ସୂଚୀରୁ ବାଦ୍ ପଡିଥିବା କେତେକ ଔଷଧର ବହୁଳ ବ୍ୟବହାର ହେଉଥିଲା । ସେଥିରୁ ଏସିଡିଟି ଓ କେତେକ ପେଟେ ରୋଗ ପାଇଁ ଦିଆଯାଉଥିବା ରାନିଟିଡାଇନ୍ ଅନ୍ୟତମ । ରେନ୍ଟେକ୍, ଜିନେଟେକ୍ ଓ ଏସିଲକ୍ ବ୍ରାଣ୍ଡ ନାମରେ ବିକ୍ରି ହେଉଥିବା ରାନିଟିଡାଇନ୍ ଯୋଗୁଁ କ୍ୟାନ୍ସର ହେଉଥିବା ରିପୋର୍ଟ ମିଳିଥିଲା । ରାନିଟିଡାଇନ୍ରେ ମୂତ୍ରାଶୟ କ୍ୟାନ୍ସର ଉତ୍ପନ୍ନକାରୀ ଏନ୍ଡିଏମ୍ଏ ନାମକ ତତ୍ତ୍ୱ ଅଳ୍ପ ମାତ୍ରାରେ ଥିବା ଦର୍ଶାଇ ୨୦୨୦ ରେ ଆମେରିକା ସରକାର ଏହାର ବଟିକା ଓ ଇଞ୍ଜେକ୍ସନ୍କୁ ବ୍ୟାନ୍ କରିଦେଇଥିଲେ ।
ସୂଚୀରେ ଯୋଡା ଯାଇଥିବା ୩୪ ଔଷଧ ମଧ୍ୟରେ ଗର୍ଭନିରୋଧକ ଫ୍ଲୁଡ୍ରୋକୋର୍ଟିସୋନ୍, ଇନ୍ସୁଲିନ୍ ଗ୍ଲାର୍ଗିନ୍, ଟେନେଲିଗ୍ଲିଟିନ୍ ଅନ୍ତର୍ଭୁକ୍ତ । ଏହାଛଡା ଆଖି ରୋଗର ଔଷଧ ଲେଟାନୋପ୍ରୋଷ୍ଟ, ନିଃଶ୍ୱାସ ପ୍ରଶ୍ୱାସରେ ଯନ୍ତ୍ରଣା କମାଇବା ଲାଗି ଉଦ୍ଦିଷ୍ଟ ମଣ୍ଟିଲୁକାଷ୍ଟ, ହୃଦ୍ରୋଗ ସମ୍ବନ୍ଧୀୟ ଡାବିଗଟ୍ରାନ୍ ପ୍ରଭୃତିକୁ ଏଥିରେ ସାମିଲ କରାଯାଇଛି ।
କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମଣ୍ଡାବ୍ୟା କହିଛନ୍ତି ଆବଶ୍ୟକ ଔଷଧ ସୂଚୀ ପ୍ରସ୍ତୁତି ପୂର୍ବରୁ ବହୁ ପର୍ଯ୍ୟାୟରେ ବିଶେଷଜ୍ଞମାନେ ବିଚାର ବିମର୍ଶ କରିଥାନ୍ତି । ଏଥିପାଇଁ ଏକ କମିଟି ଗଢାଯାଇଥାଏ । ବିଶେଷଜ୍ଞମାନେ ସୁରକ୍ଷା, ଉପଲବ୍ଧତା ଓ କମ୍ ମୂଲ୍ୟରେ ଲୋକଙ୍କୁ ଉପଲବ୍ଧ କରାଯାଇବା ଆଦି ଦିଗ ଉପରେ ଗୁରୁତ୍ୱ ଦେଇଥାନ୍ତି । ସାଧାରଣ ଲୋକଙ୍କୁ ସୁଲଭ ମୂଲ୍ୟରେ ଔଷଧ ଯୋଗାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପରାମର୍ଶ ଦେଇଥିଲେ ।
ଔଷଧ ସମ୍ବନ୍ଧୀୟ ସ୍ଥାୟୀ ରାଷ୍ଟ୍ରୀୟ କମିଟିର ଉପାଧ୍ୟକ୍ଷ ଡା. ୱାଇ.କେ.ଗୁପ୍ତା କହିଛନ୍ତି କମ୍ପାନୀମାନେ ନୂଆ ଆବଶ୍ୟକ ଔଷଧ ସୂଚୀ ଅନ୍ତର୍ଗତ କୌଣସି ଔଷଧର ଦାମ୍ ନିଜେ ବଢାଇ ପାରିବେ ନାହିଁ । ଏଗୁଡିକର ମୂଲ୍ୟ ସ୍ଥିର କରିବେ ରାଷ୍ଟ୍ରୀୟ ଔଷଧି ମୂଲ୍ୟ ନିର୍ଦ୍ଧାରଣ ପ୍ରାଧିକରଣ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *