ତେଜିଲା ଆର୍ମେନିଆ-ଆଜରବୈଜାନ୍ ଯୁଦ୍ଧ
ପ୍ରତିପକ୍ଷ ଆକ୍ରମଣରେ ୫ଠ ଆର୍ମେନୀୟ ସୈନିକ ମୃତ
ୟେରେବାନ୍/ ଆର୍ମେନିଆ (ଏଜେନ୍ସି): ଦୀର୍ଘ ୨ ବର୍ଷର ଶାନ୍ତି ପରେ ପୁଣିଥରେ ଦୁଇ କେନ୍ଦ୍ର ଏସୀୟ ଦେଶ ଆର୍ମେନିଆ-ଆଜରବୈଜାନ୍ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଯାଇଛି । ସୋମବାର ବିଳମ୍ବିତ ରାତିରେ ଆଜରବୈଜାନ୍ ସେନା ପକ୍ଷରୁ ଆର୍ମେନିଆ ସୀମାରେ କରାଯାଇଥିବା ଜୋରଦାର ଆକ୍ରମଣରେ ଆର୍ମେନିଆର ପ୍ରାୟ ୫ଠ ସୈନ୍ୟ ମୃତୁ୍ୟବରଣ କରିଥିବା ବେଳେ ଶତାଧିକ ଆହତ ହୋଇଛନ୍ତି । ଏସମ୍ପର୍କରେ ଆର୍ମେନିଆ ପ୍ରଧାନମନ୍ତ୍ରୀ ନିକୋଲ ପାସିନ୍ୟାନ୍ ସୂଚନା ଦେଇଛନ୍ତି ।
୧୯୯୧ରେ ସୋଭିଏତ୍ ୟୁନିଅନ୍ ବିଭାଜନ ହେବା ପରଠାରୁ ମୁସଲିମ୍ ବହୁଳ ନଗୋର୍ଣ୍ଣୋ-କାରବାଖ୍ ଅଞ୍ଚଳକୁ ନେଇ ଦୁଇ ଦେଶ ମଧ୍ୟରେ ଚାଲିଆସିଥିବା ସୀମା ବିବାଦକୁ ନେଇ ଉଭୟ ରାଷ୍ଟ୍ର ପରସ୍ପରର ଶତ୍ରୁ ପାଲଟିଯାଇଛନ୍ତି । ନିୟମିତ ସମୟ ଅନ୍ତରାଳେ ପରସ୍ପର ଉପରେ ଆକ୍ରମଣ କରିବା ଜାରି ରହିଛି ଦୁଇ ଦେଶ ମଧ୍ୟରେ । ତେବେ ଏହି ଅଞ୍ଚଳ ଆଜରବୈଜାନ୍ ଅଧୀନରେ ଆସୁଥିବା ସମଗ୍ର ବିଶ୍ୱ ସ୍ୱୀକାର କରିଛି । କିନ୍ତୁ ଆର୍ମେନିଆ ଏହାକୁ ଗ୍ରହଣ କରୁନାହିଁ । ତେବେ ୨ଠ୨ଠରେ ଉଭୟ ଦେଶଙ୍କ ମଧ୍ୟରେ ହୋଇଥିବା ଯୁଦ୍ଧ ପରେ ଅନ୍ତରାଷ୍ଟ୍ରୀୟ ସ୍ତରରେ ପଡ଼ିଥିବା ଚାପ କାରଣରୁ ଉଭୟ ଦେଶ ଅସ୍ତ୍ରବିରତି ନିୟମରେ ସ୍ୱାକ୍ଷର କରିଥିଲେ । ସେବେ ଠାରୁ ଦୁଇଦେଶ ମଧ୍ୟରେ କୌଣସି ଯୁଦ୍ଧ ହୋଇନଥିଲେ ମଧ୍ୟ ସୀମାରେ ସେନା ଉତ୍ତେଜନା ଜାରି ରହିଥିଲା । କିନ୍ତୁ ଦୁଇ ବର୍ଷ ପରେ ଉଭୟ ଦେଶ ଏବେ ଏହି ଅସ୍ତ୍ରବିରତି ନିୟମକୁ ଉଲ୍ଲଂଘନ କରିଛନ୍ତି ।
ରିପୋର୍ଟ ଅନୁସାରେ ସ୍ଥାନୀୟ ସମୟ ଅନୁସାରେ ସୋମବାର ରାତି ୧୨ଟା ୫ ମିନିଟ୍ ସମୟରେ ଆଜରବୈଜାନ୍ ପକ୍ଷରୁ ଆର୍ମେନିଆ ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଘନଘନ କ୍ଷେପଣାସ୍ତ୍ର ମାଡ କରାଯାଇଥିଲା । ସେହିପରି ପ୍ରତିଆକ୍ରମଣ ନୀତିରେ ଆର୍ମେନିଆ ସେନା ପକ୍ଷରୁ ମଧ୍ୟ ଆଜରବୈଜାନ୍ ଉପରେ ଜୋରଦାର ଆକ୍ରମଣ କରାଯାଇଛି । ତେବେ ଆର୍ମେନିଆ ଆକ୍ରମଣରେ ଆଜରବୈଜାନ୍ର ହୋଇଥିବା କ୍ଷୟକ୍ଷତି ସମ୍ପର୍କରେ କୌଣସି ତଥ୍ୟ ସାମ୍ନାକୁ ଆସିପାରିନାହିଁ । ପ୍ରାପ୍ତ ସୂଚନାନୁସାରେ ଆର୍ମେନିଆ ପ୍ରଧାନମନ୍ତ୍ରୀ ଏହି ଘଟଣା ସମ୍ପର୍କରେ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ୍, ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ ମାକ୍ରନ୍ ଏବଂ ଆମେରିକା ସଚିବ ଆଣ୍ଟୋନି ବ୍ଲିକେନ୍ଙ୍କ ସମେତ ବିଶ୍ୱର ଅନ୍ୟ ପ୍ରମୁଖ ନେତୃବୃନ୍ଦଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ସହାୟତା ଲୋଡିଛି । ଆଜରବୈଜାନ୍ ବେଆଇନ୍ ଭାବେ ଆର୍ମେନିଆ ସୀମାକୁ ଅକ୍ତିଆର କରିବାକୁ ଚେଷ୍ଟା କରୁଥିବା ଆର୍ମେନିଆ ପ୍ରଧାନମନ୍ତ୍ରୀ ନିକୋଲ ଅଭିଯୋଗ କରିଛନ୍ତି । ପ୍ରକାଶ, ଏହି ବିବାଦୀୟ ଅଞ୍ଚଳରେ ଲକ୍ଷ ଲକ୍ଷ ସଂଖ୍ୟକ ଆର୍ମେନୀୟ ବଂଶୋଦ୍ଭବ ଖ୍ରୀଷ୍ଟିଆନ୍ ନାଗରିକ ରହୁଥିବା ବେଳେ ସେମାନେ ଆଜରବୈଜାନ୍ରୁ ଅଲଗା ହେବାକୁ ସଶସ୍ତ୍ର ସଂଗ୍ରାମ ଚଳାଇଛନ୍ତି । ଏହି ଗୋଷ୍ଠୀମାନଙ୍କୁ ଆର୍ମେନିଆ ଆର୍ଥିକ ଓ ସାମରିକ ସହାୟତା ଯୋଗାଇଦେଉଛି ।