ଭାସିଯାଉଛି ଅସ୍ଥାୟୀ ସୁରକ୍ଷା ବାଡ଼

ବିପଦରେ ବେଳାମାର୍ଗ, ବଢ଼ିଲା ଚିନ୍ତା
କୋଣାର୍କ (ଆପ୍ର): ପୁରୀ-କୋଣାର୍କ ବେଳାମାର୍ଗ ଜାତୀୟ ରାଜପଥ ରାସ୍ତାଟି ଏବେ ବିପଦରେ । ଜଳବାୟୁ ପରିବର୍ତ୍ତନ ପ୍ରଭାବରେ ସମୁଦ୍ରର ଗତିପଥ ପରିବର୍ତ୍ତନ ହୋଇ ଭୟଙ୍କର ରୂପ ନେଇ ଉଚ୍ଚ ଜୁଆର କୂଳକୁ ମାଡ଼ି ଆସି ରାସ୍ତାରେ ମାଡ଼ ହେଉଛି । ଜୁଆର ମାଡ଼ରେ ଗତ ରବିବାର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ଜାନକୀବଲ୍ଲଭ ପଟନାୟକଙ୍କ ସମୟରେ ନିର୍ମିତ ହୋଇଥିବା ସୁରକ୍ଷା ପାଚେରି ଭାଙ୍ଗି ଯାଇଥିଲା । ଗତ ଦୁଇ ଦିନ ହେଲା ଜାତୀୟ ରାଜପଥ ବିଭାଗ ପକ୍ଷରୁ ଠିକାଦାର ଦ୍ୱାରା ଅସ୍ଥାୟୀ ସୁରକ୍ଷା ବାଡ଼, ବାଲି ବସ୍ତା ଦେଇ କାଠ ଖୁମ୍ବରେ ସୁରକ୍ଷା ପାଚେରି ନିର୍ମାଣ କରାଯାଇଥିଲା । ହେଲେ ତାହା ଆଜି ଜୁଆରରେ ଭାସିଯାଉଥିବା ଦୃଶ୍ୟ ଦେଖିବାକୁ ମିଳିଛି । ଦିନରେ କାମ ହେଉଛି ରାତିରେ ସମୁଦ୍ର ଆଁରେ ଏହା ଚାଲିଯାଉଛି । ଫଳରେ ପୁରୀ-କୋଣାର୍କ ବେଳାମାର୍ଗ ଖୁବ୍ଶୀଘ୍ର ସମୁଦ୍ର ଗର୍ଭରେ ଲୀନ ହେବା ଆଶଙ୍କା ବଢ଼ିବାରେ ଲାଗିଛି ।
ଠିକାଦାର ଦ୍ୱାରା ଦୁଇଟି ଜେସିବି, ୫୦ରୁ ଅଧିକ ଶ୍ରମିକ ଦୁଇ ଦିନ ହେଲା କାର୍ଯ୍ୟରେ ଲାଗିଛନ୍ତି ଓ ପରେ ଅବସ୍ଥା ଯାହାକୁ ସେଇଆ ହୋଇଛି । ସମୁଦ୍ରର କରାଳ ରୂପ ଏହି ରାସ୍ତାକୁ ଖମ୍ବ ଓ ବାଲି ବସ୍ତା ସୁରକ୍ଷା ଦେଇପାରୁନି ଓ ବୈଜ୍ଞାନିକ ପଦ୍ଧତିରେ ଏହି ସୁରକ୍ଷା ପାଚେରି ନିର୍ମାଣ କରାଗଲେ ସମସ୍ୟାର ସମାଧାନ ହୋଇପାରିବ ବୋଲି ସାଧାରଣରେ ମତପ୍ରକାଶ ପାଇଛି । ନଚେତ ପ୍ରଶାସନର ପ୍ରଚେଷ୍ଟା ବୃଥାରେ ଯିବ ।
ସୂଚନାଥାଉକି ଗତ ୨୦୦୪ ମସିହାରେ ଜାତୀୟ ରାଜପଥ ବିଭାଗ ପକ୍ଷରୁ ଡ୍ରୋନ୍ ମାଧ୍ୟମରେ ଫଟୋ ଉତ୍ତୋଳନ କରି ଏହାର ସର୍ଭେ କରାଯାଇଥିଲା ଓ ସମୀକ୍ଷା ପରେ ଏହି ସ୍ଥାନରେ ସମୁଦ୍ର ବାଲି ଆକାର ଅତି ଛୋଟଥିବାରୁ ଏଠାରେ ପଥର ପାଚେରି ସୁରକ୍ଷିତ ନୁହେଁ ବୋଲି ଜଣାପଡ଼ିଥିଲା । ଏହାରି ମଧ୍ୟରେ ଅନୁଧ୍ୟାନର ଦୀର୍ଘ ୧୮ବର୍ଷ ବିତିଯାଇଥିଲେ ମଧ୍ୟ ବେଳାମାର୍ଗର ସ୍ଥାୟୀ ପ୍ରତିକାର ପ୍ରତି ଜାତୀୟ ରାଜପଥ ବିଭାଗ ପକ୍ଷରୁ କି ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇ ନ ଥିବା ଅତ୍ୟନ୍ତ ପରିତାପର ବିଷୟ । ୨୦ ବର୍ଷ ମଧ୍ୟରେ ସମୁଦ୍ର ଏଭଳି ଉଗ୍ର କେବେ ହୋଇ ନ ଥିବା ସ୍ଥାନୀୟ ଅଧିବାସୀ କୁହନ୍ତି । ଏନେଇ ତୁରନ୍ତ ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ତ୍ୱରିତ ପଦକ୍ଷେପ ନେବାକୁ କୋଣାର୍କ ଅଞ୍ଚଳର ବିଭିନ୍ନ ସଂଗଠନ ଓ ପରିବେଶବିତ୍ଙ୍କ ପକ୍ଷରୁ ଦାବି ହୋଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *