ଜନଜୀବନ ଅସ୍ତବ୍ୟସ୍ତ

ଲଘୁଚାପ ବର୍ଷାରେ ପୁରୀ ସହର ବେହାଲ୍
ପୁରୀ (ବୁ୍ୟରୋ): ଲଘୁଚାପ ବର୍ଷାରେ ପୁରୀ ସହର ବେହାଲ୍ ହୋଇଯାଇଛି । ଫଳରେ ଅସ୍ତବ୍ୟସ୍ତ ହୋଇପଡ଼ିଛନ୍ତି ସହରବାସୀ । ଏପରିକି ତଳିଆ ଅଞ୍ଚଳରେ ଲୋକଙ୍କ ଦୁଃଖ ବଢ଼ିଯାଇଛି । ଏପରିକି ସହରର ପ୍ରତ୍ୟେକ ଗଳିକନ୍ଦି ଠାରୁ ଆରମ୍ଭ କରି ତଳିଆ ଅଞ୍ଚଳରେ ପାଣି ଲହଡ଼ି ମାରୁଛି । ସ୍ଥାନୀୟ ଲୋକଙ୍କ ଠାରୁ ଆରମ୍ଭ କରି ପର୍ଯ୍ୟଟକମାନେ ନାହିଁ ନ ଥିବା ହଇରାଣ ହରକତ ହେଉଛନ୍ତି । ହେଲେ ଏନେଇ ବାରମ୍ବାର ଗଣମାଧ୍ୟମରେ ଖବର ପ୍ରକାଶ ପାଉଥିଲେ ସୁଦ୍ଧା ନିରବ ସାଜିଛି ପ୍ରଶାସନ । ପୁରୀ ସହର ମୁଖ୍ୟ ସମସ୍ୟା ଡ୍ରେନେଜ୍ ଓ ସ୍ୱେରେଜ୍ ହୋଇଥିଲା ବେଳେ ଏହାକୁ ସୁଧୁରିବା ପାଇଁ ଦୀର୍ଘବର୍ଷ ହେଲା କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିଲେ ସୁଧା ତାହାର ସୁଫଳ ମିଳୁନାହିଁ । ଫଳରେ ଅସରାଏ ବର୍ଷା ହେଲେ ସହରର ଉବୁଟୁବୁ ହେଉଥିଲା ବେଳେ ଲଘୁଚାପ ବର୍ଷାରେ ସହରର ଅବସ୍ଥା ବେହାଲ୍ ହୋଇଯାଉଛି ।
ଏପରିକି ସ୍ୱେରେଜ ଟାଙ୍କି ଫୁଲ ହୋଇ ରାସ୍ତାରେ ପାଣି ଭାସୁଥିଲା ବେଳେ ବର୍ଷା ପାଣି ମିଶି ଲୋକଙ୍କ ଘରେ ପ୍ରବେଶ କରୁଛି । ଅନ୍ୟପକ୍ଷରେ ନଳାପାଣି ରାସ୍ତା ଓ ଘରେ ପ୍ରବେଶ କରୁଥିବାରୁ ଦୁର୍ଗନ୍ଧରେ ଫାଟିପଡୁଛି ସହର । ଯାହାଫଳରେ ଆଗକୁ ସହରରେ ବ୍ୟାପକ ଭାବରେ ଚର୍ମ ରୋଗ ସମତେ ଅନ୍ୟାନ୍ୟ ରୋଗ ବୃଦ୍ଧି ପାଇବ ବୋଲି ଆଶଙ୍କା ପ୍ରକାଶ ପାଇଛି । ଅନ୍ୟପକ୍ଷରେ ଦୁଇଦିନ ଧରି ପୁରୀରେ ଲଗାଣ ବର୍ଷା ହେବା ଫଳରେ ବଡ଼ଦାଣ୍ଡଠାରୁ ଆରମ୍ଭ କରି ମାର୍କେଟ ଛକ, ଭିଆଇପି ରୋଡ୍, ବେଳାଭୂମି ରାସ୍ତା, ସୁଜାତା ନଗର, ମୁକୁନ୍ଦମିଶ୍ରନଗର, ଭାରତୀପୁର, ସିଦ୍ଧମହାବୀର, ବାଲିଘାଟ, ସେନାପତି ବଗିଚା ସମେତ ଅନ୍ୟ ଅଞ୍ଚଳରେ ବର୍ଷା ଜଳ ଜମି ରହିଛି । ଏପରିକି ବର୍ଷା ହେବା ପରେ ଜଳ ସଙ୍ଗେ ସଙ୍ଗେ ନିଷ୍କାସନ ହେବାରୁ ନାଁ ଧରୁନି । ଫଳରେ ସହରର ତଳିଆ ଓ ବସ୍ତି ଅଞ୍ଚଳରେ ବସବାସ କରୁଥିବା ହଜାର ହଜାର ଲୋକେ ଦୀର୍ଘ ଦିନ ଧରି ଜଳଘେରରେ ରହୁଛନ୍ତି । ଏନେଇ ବାରମ୍ବାର ସ୍ଥାନୀୟ ବାସିନ୍ଦାମାନେ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରୁଥିଲେ ସୁଦ୍ଧା କୌଣସି ଅଧିକାରୀ ଶୁଣିବାକୁ ନାହାନ୍ତି । ଫଳରେ ଦୁର୍ଦ୍ଦଶା ଭୋଗୁଛନ୍ତି ତଳିଆ ଓ ବସ୍ତିବାସିନ୍ଦା ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *