ଆଜି ଭାରତ ଆସିବ ଟିମ୍ ଅଷ୍ଟ୍ରେଲିଆ
ଟି-୨୦ ଆନ୍ତର୍ଜାତିକ ଶୃଙ୍ଖଳା
ନୂଆଦିଲ୍ଲୀ, ୧୩ା୯ (ଏଜେନ୍ସି): ଚଳିତ ମାସ ୨୦ ତାରିଖରୁ ଟିମ୍ ଇଣ୍ଡିଆ ଅଷ୍ଟ୍ରେଲିଆ ବିପକ୍ଷରେ ତିନି ମ୍ୟାଚ୍ର ଟି-୨୦ ଶୃଙ୍ଖଳା ଖେଳିବ । ଏଥିପାଇଁ ଅଷ୍ଟ୍ରେଲୀୟ ଟିମ୍ ଭାରତୀୟ ପରିବେଶରେ ଉପଯୋଜିତ ହେବା ପାଇଁ ବୁଧବାର ଭାରତରେ ପହଞ୍ଚିବ ଏବଂ ଅଭ୍ୟାସ ଆରମ୍ଭ କରିବ । ସେହିପରି ଭାରତୀୟ ଟିମ୍ ସେପ୍ଟେମ୍ବର ୧୬ରେ ମୋହାଲି ଠାରେ ଏକାଠି ହେବ, ଯେଉଁଠି ପ୍ରଥମ ମ୍ୟାଚ୍ ଖେଳାଯିବ । ଦ୍ୱିତୀୟ ମ୍ୟାଚ୍ ୨୩ରେ ନାଗପୁର ଠାରେ ଓ ତୃତୀୟ ମ୍ୟାଚ୍ ୨୫ରେ ହାଇଦରାବାଦ ଠାରେ ଅନୁଷ୍ଠିତ ହେବ ।
ବୁମ୍ରା ଓ ହର୍ଷଲଙ୍କ ପ୍ରତ୍ୟାବର୍ତ୍ତନ; ଏନ୍ସିଏରେ ଅଭ୍ୟାସ କରିବେ ଅର୍ଶଦୀପ
ଆଘାତ ଜନିତ କାରଣରୁ ଏସିଆ କପ୍ର ବାଦ୍ ପଡ଼ିଥିବା ଯଶପ୍ରୀତ ବୁମ୍ରା ଓ ହର୍ଷଲ ପଟେଲ୍ ଟି-୨୦ ବିଶ୍ୱକପ୍ ସହିତ ଅଷ୍ଟ୍ରେଲିଆ ବିପକ୍ଷ ଶୃଙ୍ଖଳା ପାଇଁ ମଧ୍ୟ ପ୍ରତ୍ୟାବର୍ତ୍ତନ କରିଛନ୍ତି । ତେବେ ଟି-୨୦ ବିଶ୍ୱକପ୍ ଟିମ୍ରେ ସ୍ଥାନ ପାଇଥିବା ବାମହାତି ପେସର୍ ଅର୍ଶଦୀପ ସିଂହ ଅଷ୍ଟ୍ରେଲିଆ ଶୃଙ୍ଖଳାରୁ ବାହାରେ ରହିବେ ଏବଂ ଜାତୀୟ କ୍ରିକେଟ୍ ଏକାଡେମୀରେ ଅଭ୍ୟାସ କରିବେ । ଏହି ଶୃଙ୍ଖଳା ପରେ ପେସର୍ ଭୁବନେଶ୍ୱର କୁମାର ଓ ପେସ୍ ବୋଲିଂ ଅଲ୍ରାଉଣ୍ଡର୍ ହାର୍ଦ୍ଦିକ ପାଣ୍ଡ୍ୟା ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ଶୃଙ୍ଖଳା ସମୟରେ ଏନ୍ସିଏରେ ଫିଟ୍ନେସ୍ ଉପରେ କାମ କରିବେ ।
ଟି-୨୦ ବିଶ୍ୱକପ୍ ପାଇଁ ଘୋଷିତ ୧୫ଜଣିଆ ଟିମ୍ରେ ସ୍ଥାନ ପାଇ ନ ଥିବା ମହମ୍ମଦ ଶାମୀ ଓ ଦୀପକ ଚାହରଙ୍କୁ ଅଷ୍ଟ୍ରେଲିଆ ଓ ଏହାପରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଶୃଙ୍ଖଳା ପାଇଁ ଟିମ୍ରେ ସାମିଲ୍ କରାଯାଇଛି । ଅଷ୍ଟ୍ରେଲିଆ ଗସ୍ତରେ ସାମିଲ୍ ସମସ୍ତ ଖେଳାଳିଙ୍କୁ ମୋହାଲିରେ ପହଞ୍ଚିବା ପାଇଁ କୁହାଯାଇଛି । ଟିମ୍ ୧୬ରୁ ଏଠାରେ ଅଭ୍ୟାସ କରିବେ ।
ଆସିବେନି ୱାର୍ଣ୍ଣର
ଅନ୍ୟପଟେ, ଅଷ୍ଟ୍ରେଲୀୟ ଟିମ୍ ପ୍ରମୁଖ ବ୍ୟାଟର୍ ଡେଭିଡ୍ ୱାର୍ଣ୍ଣରଙ୍କ ବିନା ଭାରତ ଆସିବ । ୱାର୍କଲୋଡ୍ ମ୍ୟାନେଜ୍ମେଣ୍ଟ ପାଇଁ ୱାର୍ଣ୍ଣର୍ଙ୍କୁ ଏହି ଶୃଙ୍ଖଳାରୁ ବିଶ୍ରାମ ଦିଆଯାଇଛି । ତାଙ୍କ ସ୍ଥାନରେ କାମେରୁନ୍ ଗ୍ରୀନ୍ ଟିମ୍ର ଅଂଶବିଶେଷ ହେବେ ।