ହିନ୍ଦୁଙ୍କ ସପକ୍ଷରେ ଫଇସଲା

ଜ୍ଞାନବାପୀ ବିବାଦ
ବାରାଣସୀ, ୧୨ା୯: ବହୁଚର୍ଚ୍ଚିତ ଜ୍ଞାନବାପୀ-ଶୃଙ୍ଗାର ଗୌରୀ କେସ୍ରେ ବାରାଣସୀ ଜିଲ୍ଲା ଜଜ୍ ହିନ୍ଦୁ ଆବେଦନକାରିଣୀମାନଙ୍କ ସପକ୍ଷରେ ଫଇସଲା ଶୁଣାଇଛନ୍ତି । ଜ୍ଞାନବାପୀ ମସ୍ଜିଦ ପରିସରରେ ଥିବା ମା’ ଶୃଙ୍ଗାର ଗୌରୀ ମନ୍ଦିରରେ ଦର୍ଶନ ଓ ପୂଜା ଅନୁମତି ଦେବା ସମ୍ବନ୍ଧୀୟ ଆବେଦନ ଶୁଣାଣି ଯୋଗ୍ୟ ବୋଲି ଅଦାଲତ ସୋମବାର ଲିଖିତ ରାୟରେ ଦର୍ଶାଇଛନ୍ତି । କୋର୍ଟ ମୁସଲିମ୍ ପକ୍ଷ (ଅଞ୍ଜୁମନ ଇସଲାମିୟା ମସଜିଦ କମିଟି)ର ପିଟିସନକୁ ଖାରଜ କରି ଦେଇଛନ୍ତି । କୋର୍ଟ କହିଛନ୍ତି, ଏହି ମାମଲାରେ ପୂଜା ସ୍ଥଳ ଆଇନ-୧୯୯୧ ଲାଗୁ ହୋଇପାରିବ ନାହିଁ । ଶୃଙ୍ଗାର ଗୌରୀ ନିୟମିତ ଦର୍ଶନ ମାମଲାର ଶୁଣାଣି ସେପ୍ଟେମ୍ବର ୨୨ରୁ ଜାରି ରହିବ । ମୁସଲିମ୍ ପକ୍ଷଙ୍କ ପିଟିସନ୍ ଖାରଜ ହୋଇଥିବାରୁ ଏବେ ଲିଗାଲ୍ ଟିମ୍ ଶୃଙ୍ଗାର ଗୌରୀ ଦର୍ଶନ କରିବେ ।
ଜିଲ୍ଲା ଜଜ୍ ଡ. ଅଜୟ କୃଷ୍ଣ ବିଶ୍ୱେସଙ୍କ ଏହି ଫଇସଲା ଫଳରେ ମାମଲା ବହୁଦିନ ଧରି ଚାଲିବା ଅନୁମାନ କରାଯାଉଛି । କାରଣ ମୁସଲିମ୍ ପକ୍ଷଙ୍କ ଓକିଲ ମେରାଜୁଦ୍ଦୀନ ସିଦ୍ଦୀକୀ ଅଦାଲତଙ୍କଙ୍କୁ ଆକ୍ଷେପ କରି ‘ସମସ୍ତେ ବିକ୍ରି ହୋଇଗଲେ’ ବୋଲି ମନ୍ତବ୍ୟ ଦେବା ସହ ଫଇସଲାକୁ ହାଇକୋର୍ଟରେ ଚାଲେଞ୍ଜ ଦେବେ ବୋଲି କହିଛନ୍ତି ।
ଜିଲ୍ଲା ଜଜ୍ ୨୬-ପୃଷ୍ଠା ଆଦେଶର ସାରାଂଶକୁ ୧୦ ମିନିଟ୍ ଭିତରେ ପଢ଼ି ଶୁଣାଇଥିଲେ । ସେ ସମୟରେ ମୁସଲିମ୍ ପକ୍ଷ ଅନୁପସ୍ଥିତ ଥିଲେ । ହିନ୍ଦୁ ପକ୍ଷର ୫ଜଣ ଆବେଦନକାରିଣୀ ଫଇସଲାକୁ ଉକ୍ରଣ୍ଠାର ସହ ଅପେକ୍ଷା କରିଥିଲେ । ଫଇସଲା ଆସିବାରୁ ସେମାନଙ୍କ ମହଲରେ ଖୁସିର ଲହରୀ ଖେଳି ଯାଇଥିଲା ଏବଂ କୋର୍ଟ ଭିତରେହିଁ ହର ହର ମହାଦେବ ଧ୍ୱନି ଶୁଣିବାକୁ ମିଳିଥିଲା । ଏହି ସମ୍ବେଦନଶୀଳ ମାମଲାର ରାୟ ଆସିବାକୁ ଥିବାରୁ ଉତ୍ତରପ୍ରଦେଶ ସରକାର ରାଜ୍ୟବ୍ୟାପୀ ଆଲର୍ଟ ଜାରି କରିଥିଲେ । ତା’ ସହିତ ସୋସାଲ୍ ମିଡିଆ ଉପରେ ତୀକ୍ଷ୍ଣ ନଜର କରାଯାଇଥିଲା ।
ଏଆଇଏମ୍ଆଇଏମ୍ ମୁଖିଆ ତଥା ହାଇଦ୍ରାବାଦ ସାଂସଦ ଅସଦୁଦ୍ଦୀନ୍ ଓବେସୀ କହିଛନ୍ତି, ଏ ମାମଲା ବାବ୍ରୀ ମସଜିଦ୍ କେସ୍ ଭଳି ହେବାକୁ ଯାଉଛି ।
ବାବ୍ରୀ ମସଜିଦ୍ ଉପରେ ଫଇସଲା ଆସିବା ସମୟରେ ଏହା ଦେଶରେ ଅଶାନ୍ତି ସୃଷ୍ଟି କରିବ ବୋଲି ମୁଁ କହିଥିଲି । ଏବେ ବାରାଣସୀ କୋର୍ଟଙ୍କ ନିଷ୍ପତ୍ତି ସେହି ଦିଗରେ ଯାଉଛି ।
ଯେଉଁ ଜ୍ଞାନବାପୀ ପରିସରକୁ ନେଇ ଏହି ବିବାଦ, ସେଠାରେ ଗୋଟିଏ ମସଜିଦ୍ ଏବଂ ଏବଂ ମସଜିଦ୍କୁ ଲାଗି କାଶୀ ବିଶ୍ୱନାଥ ମନ୍ଦିର ଅଛି । କୁହାଯାଉଛି ଯେ, ବିଶ୍ୱନାଥ ମନ୍ଦିରକୁ ମୋଗଲ ସମ୍ରାଟ ଆଉରଙ୍ଗଜେବ ୧୬୬୪ ମସିହାରେ ଭାଙ୍ଗି ତାରି ଉପରେ ମସ୍ଜିଦ ତୋଳାଇଥିଲେ । ହିନ୍ଦୁ ପକ୍ଷ କହୁଛନ୍ତି ଯେ, ମସଜିଦ୍ ତଳେ ୧ଠଠ ଫୁଟ୍ ଉଚ୍ଚତାର ଆଦି ବିଶ୍ୱେଶ୍ୱରଙ୍କ ସ୍ୱୟଂମ୍ଭୂ ଜ୍ୟୋତିର୍ଲିଙ୍ଗ ରହିଛି । ମନ୍ଦିର ପ୍ରାୟ ୨ଠ୫ଠ ବର୍ଷ ପୂର୍ବେ ମହାରାଜା ବିକ୍ରମାଦିତ୍ୟଙ୍କ ଦ୍ୱାରା ତୋଳା ଯାଇଥିଲା ।
ଉଲ୍ଲେଖଯୋଗ୍ୟ ଯେ, ୧୯୯୧ରେ ବାରାଣସୀ କୋର୍ଟରେ ପ୍ରଥମ ମୋକଦ୍ଦମା ରୁଜୁ ହୋଇଥିଲା । ଏହାର କିଛି ମାସ ପରେ ସେହି ବର୍ଷ ସେପ୍ଟେମ୍ବରରେ କେନ୍ଦ୍ର ସରକାର ପୂଜାସ୍ଥଳ ଆଇନ ପ୍ରଣୟନ କଲେ । ତଦନୁଯାୟୀ ୧୯୪୭ ଅଗଷ୍ଟ ୧୫ ପୂର୍ବରୁ ଅସ୍ତିତ୍ୱରେ ଥିବା ସବୁ ଧର୍ମର ପୂଜାପୀଠକୁ ଅନ୍ୟ ଧର୍ମର ପୂଜାସ୍ଥଳ ରୂପେ ପରିବର୍ତ୍ତିତ କରାଯାଇପାରିବ ନାହିଁ । ଏହାର ଉଲ୍ଲଂଘନ ହେଲେ ତିନି ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ ଦିଆଯିବ । ସେ ସମୟରେ ଅଯୋଧ୍ୟା ମାମଲା କୋର୍ଟରେ ଥିଲା । ସେହି କାରଣରୁ ଅଯୋଧ୍ୟାକୁ ନୂଆ ଆଇନ ପରିସରଭୁକ୍ତ କରାଯାଇନଥିଲା । ଜ୍ଞାନବାପୀ ମାମଲାରେ ଉକ୍ତ ଆଇନ ଆଧାରରେ ମସ୍ଜିଦ୍ କମିଟି ହାଇକୋର୍ଟରେ ଅପିଲ୍ କରିଥିଲେ । ୧୯୯୩ରେ ଏହ୍ଲାବାଦ ରହିତାଦେଶ ଜାରି ଯଥାସ୍ଥିତି କାଏମ୍ ରଖିବାକୁ ଆଦେଶ ଦେଇଥିଲେ । ମାମଲା ପରେ ସୁପି୍ରମକୋର୍ଟକୁ ଯାଇଥିଲା । ସର୍ବୋଚ୍ଚ ଅଦାଲତ ଯଥାଶୀଘ୍ର ଶୁଣାଣି ଶେଷ କରିବାକୁ କହିଥିଲେ । ୨୦୧୮ରେ ସୁପି୍ରମକୋର୍ଟ ଆଦେଶ ଦେଲେ ଯେ, କୌଣସି ମାମଲାରେ ଷ୍ଟେ ଅର୍ଡରର ବୈଧତା ୬ ମାସରୁ ଅଧିକ ହେବ ନାହିଁ । ଫଳତଃ ୨ଠ୧୯ରେ ବାରାଣସୀ କୋର୍ଟରେ ଜ୍ଞାନବାପୀ ମାମଲାର ଶୁଣାଣି ପୁଣି ଆରମ୍ଭ ହେଲା । ଫାଷ୍ଟଟ୍ରାକ୍ କୋର୍ଟ ଜ୍ଞାନବାପୀ ମସଜିଦ୍ରେ ପ୍ରତ୍ନତାତ୍ତ୍ୱିକ ସର୍ଭେକୁ ମଞ୍ଜୁରି ଦେଲେ । ଏକ କମିଶନ ନିଯୁକ୍ତ କରାଗଲା, କିନ୍ତୁ ମୁସଲିମ୍ ପକ୍ଷ ଏହାକୁ ବିରୋଧ କରି ପୁଣି କୋର୍ଟକୁ ଗଲେ । ତେବେ ମେ’ ୧୭ ସୁଦ୍ଧା ସର୍ଭେ ଶେଷ ହେଲା । ଏହାପରେ ମୁସଲିମ୍ ପକ୍ଷ ପୂଜାସ୍ଥଳ ଆଇନ ଅନୁଯାୟୀ ହିନ୍ଦୁ ପକ୍ଷଙ୍କ ପିଟିସନ୍ ଖାରଜ କରିବାକୁ କୋର୍ଟରେ ଦାବି କଲେ ।
ସୋମବାର ଜ୍ଞାନବାପୀ ମସଜିଦ୍ ସମ୍ବନ୍ଧୀୟ ୫ଟି ପିଟିସନ୍ର ଶୁଣାଣି ଏହ୍ଲାବାଦ୍ ହାଇକୋର୍ଟରେ ମଧ୍ୟ ହୋଇଛି । ୩ଟି ପିଟିସନ୍ର ଫଇସଲା ସୁରକ୍ଷିତ ରହିଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *