ବଢ଼ିଲା ମୁଦ୍ରାସ୍ଫୀତି ଅଗଷ୍ଟରେ ୭%

ନୂଆଦିଲ୍ଲୀ, ୧୨ା୯: ଖୁଚୁରା ମୁଦ୍ରାସ୍ଫୀତି ୩ ମାସ କମିବା ପରେ ଅଗଷ୍ଟରେ ବଢ଼ି ୭% ହୋଇଛି । ଜୁଲାଇରେ ଏହା ୬.୭% ଥିଲା । ବର୍ଷକ ପୂର୍ବେ ଅର୍ଥାତ୍ ୨ଠ୨୧ ଅଗଷ୍ଟରେ ଖୁଚୁରା ମହଙ୍ଗା ହାର ଥିଲା ୫.୩ଠ% । ରାଷ୍ଟ୍ରୀୟ ପରିସଂଖ୍ୟାନ କାର୍ଯ୍ୟାଳୟ (ଏନ୍ଏସ୍ଓ) ଦ୍ୱାରା ସୋମବାର ଜାରି କରାଯାଇଥିବା ଖାଉଟି ମୂଲ୍ୟ ସୂଚକାଙ୍କ (ସିପିଆଇ) ଭିତ୍ତିକ ଖୁଚୁରା ମହଙ୍ଗା ହାର ରିପୋର୍ଟରେ ଦର୍ଶାଯାଇଛି । ସେଥିରେ କୁହାଯାଇଛି ଯେ, ଖାଦ୍ୟ-ପାନୀୟ ବିଶେଷକରି ଡାଲି, ଚାଉଳ, ଗହମ ଓ ପନିପରିବା ଦର ବଢ଼ିବା ଯୋଗୁ ମହଙ୍ଗା ହାର ୩ ମାସ ପରେ ପୁଣି ବଢ଼ିଲା । ଅଗଷ୍ଟରେ ଖାଦ୍ୟ ମୁଦ୍ରାସ୍ଫୀତି ୭.୬୨% ହୋଇଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି । ଖାଦ୍ୟ ମହଙ୍ଗା ହାର ଜୁଲାଇରେ ୬.୬୯%, ଜୁନ୍ରେ ୭.୭୫%, ମେ’ରେ ୭.୯୭% ଓ ଏପି୍ରଲ୍ରେ ୮.୩୮% ଥିଲା । ଗତ ବର୍ଷ ତୁଳନାରେ ଏ ବର୍ଷ ପନିପରିବା, ମସଲା, ଜୋତା-ଚପଲ ଓ ଇନ୍ଧନ ତଥା ବିଦୁ୍ୟତ୍ ଦର ୧ଠ ପ୍ରତିଶତ ବଢ଼ିଛି ।
ଅଗଷ୍ଟରେ ଖୁଚୁରା ମୁଦ୍ରାସ୍ଫୀତି ଗ୍ରାମାଞ୍ଚଳରେ ୭.୧୫ ପ୍ରତିଶତକୁ ଛୁଇଁଥିବା ବେଳେ ସହରାଞ୍ଚଳରେ ୬.୧୭ ପ୍ରତିଶତ ହୋଇଛି । ୩ଟି ରାଜ୍ୟ ଯଥା ପଶ୍ଚିମବଙ୍ଗ, ଗୁଜରାଟ ଓ ତେଲେଙ୍ଗାନାରେ ଖୁଚୁରା ମହଙ୍ଗା ହାର ୮ ପ୍ରତିଶତ ପର୍ଯ୍ୟନ୍ତ ବଢ଼ିଛି ।
ରିଟେଲ୍ ମୁଦ୍ରାସ୍ଫୀତି କ୍ରମାଗତ ୮ ମାସ ହେଲା ରିଜର୍ଭ ବ୍ୟାଙ୍କର ୬% ଟାର୍ଗେଟ୍ର ଉପର ସ୍ତରରେ ରହିଆସିଛି । ତେଣୁ ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣରେ ରଖିବା ପାଇଁ ରିଜର୍ଭ ବ୍ୟାଙ୍କକୁ ଅଧିକ ଆକ୍ରାମକ ଢଙ୍ଗରେ ରେପୋରେଟ୍ ବଢ଼ାଇବାକୁ ପଡ଼ିପାରେ । ନିକଟରେ ରିଜର୍ଭ ବ୍ୟାଙ୍କ ରେପୋରେଟ୍କୁ ଠ.୫% ବଢ଼ାଇ ୫.୪% କରିଥିଲା । ମେ’ ଠାରୁ ଆଜି ସୁଦ୍ଧା ୩ଟି ପର୍ଯ୍ୟାୟରେ ରେପୋ ରେଟ୍କୁ ୧୪ଠ ବେସିସ୍ ପଏଣ୍ଟ ବଢ଼ାଇ ଦିଆଯାଇଛି । ଖୁଚୁରା ମୁଦ୍ରାସ୍ଫୀତିକୁ ୪ ପ୍ରତିଶତରେ ସୀମିତ ରଖିବା ପାଇଁ କେନ୍ଦ୍ର ସରକାର ରିଜର୍ଭ ବ୍ୟାଙ୍କକୁ କହିଥିବା ଦୃଷ୍ଟିରୁ ଚଳିତ ମାସ ଶେଷ ବେଳକୁ ରେପୋ ରେଟ୍ ପୁଣିଥରେ ବଢ଼ିବ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି । ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ନେତୃତ୍ୱାଧୀନ ମନିଟାରୀ ପଲିସି କମିଟି (ଏନ୍ପିସି)ର ତିନିଦିନିଆ ବୈଠକ ଆସନ୍ତା ୨୮ରୁ ଆରମ୍ଭ ହେବ । ସେହି ବୈଠକରେ ରେପୋ ରେଟ୍ ବୃଦ୍ଧି ନିଷ୍ପତ୍ତି ନିଆଯାଇପାରେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *