ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଦେଖିବେ ଏୟାର ସୋ!
ଭୁବନେଶ୍ୱର (ବୁ୍ୟରୋ): ଓଡିଶା ଆକାଶରେ ଉଡିବ ଯୁଦ୍ଧ ବିମାନ । ବାୟୁସେନାର ଲଢ଼ୁଆ ବିମାନ ତାର ଦମ୍ ଦେଖାଇବ । ବାୟୁସେପାର ସୁର୍ଯ୍ୟକିରଣ ଏୟାର ଶୋ’ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ଥିବାବେଳେ ସୋମବାର ଟିମ୍ ସଦସ୍ୟ ଭୁବନେଶ୍ୱରରେ ପହଞ୍ଚôଛନ୍ତି । ୯ ଲଢୁଆ ବିମାନ ରାଜଧାନୀ ଆକାଶରେ ନିଜର କଳା ପ୍ରଦର୍ଶନ କରିବେ । ଦୀର୍ଘ ୪୫ ମିନିଟର ଚିତ୍ତାକର୍ଷକ ଏୟାର ଶୋ’ ଦର୍ଶକ ଦେଖିବେ । ସୁରକ୍ଷା ନେଇ କମିଶନରେଟ ପୁଲିସ ସୋମବାର ସମରସଜ୍ଜା କରିଛି । ଆସନ୍ତା ୧୬ରେ କୁଆଖାଇ ନଦୀକୂଳରେ ହେବାକୁ ଥିବା ସୂର୍ଯ୍ୟକିରଣ ସୋ ପାଇଁ ଗ୍ରାଉଣ୍ଡରେ ସ୍ଥିତି ପରଖିଛନ୍ତି ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଓ ଡିସିପି ପ୍ରତୀକ ସିଂହ ।
ସୁରକ୍ଷା ବ୍ୟବସ୍ଥା ଓ ଟ୍ରାଫିକ ବ୍ୟବସ୍ଥା କିପରି ହେବ ସେନେଇ ସମୀକ୍ଷା କରାଯାଇଛି । ୪୫ ମିନିଟର ଏହି ସୋ ପାଇଁ ପୂର୍ବାହ୍ନ ୧୦ ଟାରୁ ୧୧ ଏବଂ ୪ଟା ୧୫ରୁ ୫ଟା ୧୫ ଯାଏଁ ସମୟ ଧାର୍ଯ୍ୟ କରାଯାଇଛି । ଏୟାର ସୋରେ ୮୦ ରୁ ୯୦ ଜଣ ସଦସ୍ୟ ସାମିଲ ହେବେ । ପାଣିପାଗକୁ ଦୃଷ୍ଟିରେ ରଖି ଯେକୌଣସି ଗୋଟିଏ ସମୟରେ ଏହି ଏୟାର ସୋ କରାଯିବ । ଏଥିପାଇଁ ଏୟାର ଟ୍ରାଫିକ୍ କଣ୍ଟ୍ରୋଲର ଅନୁମତି ଦେବ । ଏୟାର ସୋକୁ ଦେଖିବା ପାଇଁ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ଯିବାର କାର୍ଯ୍ୟକ୍ରମ ରହିଛି । ହାଇଟେକ ଛକରୁ ଜରିପାଟଣା ରାସ୍ତାରେ କିଭିଳି ଜାମ ନ ହେବ ସେ ନେଇ ଟ୍ରାଫିକ ପୁଲିସ ନଜର ରଖିବ । କୁଆଖାଇ ନଦୀ ପଠା ଓ ଅପରେ ପଟେ ସୁରକ୍ଷା ଲାଗି ପୁଲିସ କର୍ମଚାରୀ ମୁତୟନ ହେବେ ।
ସେହିଭଳି ପୂର୍ତ୍ତ ବିଭାଗ ପକ୍ଷରୁ ମାଟି ପକାଇ ସମତୁଳ କରିବା ସହ ପ୍ରସ୍ତୁତି ଜାରିରଖିଛି । ବାୟୁସେନାର ସୂର୍ଯ୍ୟକିରଣ ଏୟାର ସୋ ପାଇଁ ଏନ୍ ୩୨ ବିମାନରେ ଆସିବ ଇଣ୍ଡକ୍ସନ ଟିମ୍ । ୧୩ ତାରିଖରେ ସୋ’ରେ ଭାଗ ନେବାକୁ ଥିବା ୧୧ ହକ ବିମାନ ଆସିବ । ସୋ’ରେ ୯ ହକ୍ ବିମାନ ଅଂଶଗ୍ରହଣ କରିବ ଓ ୨ ଷ୍ଟାଣ୍ଡବାଏ ରହିବ । ୧୫ ତାରିଖରେ ଅଭ୍ୟାସ ହେବ । ସେପଟେ ଭୁବନେଶ୍ୱରରେ ପ୍ରଥମ ଥର ଏପରି ସୋ ହେଉଥିବାରୁ ଲୋକଙ୍କ ମନରେ ଉତ୍ସାହ ଦେଖିବାକୁ ମିଳିଛି । ୧୮ରେ ପୁରୀରେ ସୋ’ ହେବ ବୋଲି ସୂଚନା ମିଳିଛି ।