ଚାଲିଲା ବୁଲଡୋଜର, ହଟିଲା ଜବରଦଖଲ
ଡେରାବିଶ (ଆପ୍ର): ବହୁ ପ୍ରତୀକ୍ଷିତ ଚାନେ୍ଦାଳ ବଜାର ବସଷ୍ଟାଣ୍ଡ ନିକଟରୁ ହଟିଛି ଜବରଦଖଲ । ଜିଲ୍ଲାର ମୁଖ୍ୟ ଦ୍ୱାର ତଥା ପାଟକୁରା ନିର୍ବାଚନମଣ୍ଡଳୀର ସବୁଠାରୁ ବଡ଼ବଜାର କୁହାଯାଉଥିବା ଚାନେ୍ଦାଳ ବଜାର ଦୀର୍ଘଦିନ ହେବ ଅବହେଳିତ ହୋଇ ପଡିଥିଲା । ଲୋକଙ୍କ ଆବଶ୍ୟକତାକୁ ଆଖିଆଗରେ ରଖି ବଜାର କମିଟି ପକ୍ଷରୁ ଶୌଚାଳୟ, ଯାତ୍ରୀ ବିଶ୍ରାମାଗାର ଓ ଆଲୋକୀକରଣ ଆଦିର ଏକ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରି ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଥିଲା । କିଛି ଦୋକାନୀ ଜବରଦଖଲ କରି ରଖିଥିବାରୁ ଉନ୍ନତିମୂଳକ କାମରେ ବାଧା ଉପୁଜୁଥିବା ଉପଲବ୍ଧି କରି କେନ୍ଦ୍ରାପଡା ଜିଲ୍ଲାପାଳ ଅମ୍ରିତ ଋତୁରାଜ ଓ ପ୍ରାଶାସନିକ ଅଧିକାରୀମାନେ ଚାନେ୍ଦାଳ ବଜାର ପରିଦର୍ଶନ କରି ଜବରଦଖଲ ଉଛେଦ ପାଇଁ ନିର୍ଦେଶ ଦେଇଥିଲେ । ସୋମବାର ପ୍ରଶାସନ ପକ୍ଷରୁ ଏହି ଜବରଦଖଲ ଉଚ୍ଛେଦ କରାଯାଇଛି । ଏହାସହ ବିସ୍ଥାପିତ କିଛି ବ୍ୟବସାୟୀଙ୍କୁ ବଜାର କମିଟି ମାଧ୍ୟମରେ ଆରଏମସି ଘର ପ୍ରଦାନ କରାଯାଇଛି । ଅନ୍ୟପଟେ ଖରିଦାସାହି ଠାରୁ କାକତିଆ ପର୍ଯ୍ୟନ୍ତ ଆଲୋକୀକରଣ ପାଇଁ ବିଧାୟକ ପାଣ୍ଠିରୁ ୪୦ ଲକ୍ଷ ଟଙ୍କା ଅନୁମୋଦନ କରିଛନ୍ତି ପାଟକୁରା ବିଧାୟିକା ସାବିତ୍ରୀ ଅଗ୍ରୱାଲ । ସାପ୍ତାହିକ ହାଟର ଉନ୍ନତିକରଣ ଏବଂ ଭେଣ୍ଡିଂ ଜୋନ ପାଇଁ ମଧ୍ୟ ଜାଗା ଚିହ୍ନଟ ସରିଥିବା ବଜାର କମିଟିର ସଭାପତି ଶିବାଶିଷ ମହାନ୍ତି କହିଛନ୍ତି ।
ଏସଡିପିଓ ଜୟନ୍ତ ମହାପାତ୍ର, ସଦରଥାନା ଅଧିକାରୀ ପବିତ୍ର ମହାରଣା, ଚାନେ୍ଦାଳ ଫାଣ୍ଡି ଅଧିକାରୀ ସୌମ୍ୟରଞ୍ଜନ ପାଣିଗ୍ରାହୀଙ୍କ ସହ ୨ ପ୍ଲାଟୁନ ଫୋର୍ସ ମୁତୟନରେ ଉଚ୍ଛେଦ କାମ ଆରମ୍ଭ ହୋଇଥିଲା । ପ୍ରଶାସନ ପକ୍ଷରୁ ମାଜିଷ୍ଟ୍ରେଟ ତଥା ଡେରାବିଶ ତହସିଲଦାର ନମିତା ବାରିକ, ଅତିରିକ୍ତ ତହସିଲଦାର ସୁଜିତ ସ୍ୱାଇଁ, କେନ୍ଦ୍ରାପଡାର ଅତିରିକ୍ତ ତହସିଲଦାର ପ୍ରଦିପ୍ତ କୁମାର ସେଠୀ ଓ ଚାନେ୍ଦାଳ, ଦାନପୁର, କାଉପଡା, ପଲେଇ ଆଦି ଅଞ୍ଚଳର ଆର୍ଆଇଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ ।