ଧାନକ୍ଷେତରେ ଅଜଣା ରୋଗ

ଦାନଗଦି (ଆପ୍ର): ଦାନଗଦୀ ବ୍ଲକ୍ ଅଧୀନ ଯଖପୁରା, ମଙ୍ଗଳପୁର, ତ୍ରିଜଙ୍ଗା, ମାନତୀରା, କୁମ୍ଭୀରଗାଡିଆ, ଖପୁରିଆପଦା ପଞ୍ଚାୟତର ବିଭିନ୍ନ କ୍ଷେତରେ ଏବେ ଅଜଣା ରୋଗପୋକ ଦେଖି ଚାଷୀମାନେ ମୁଣ୍ଡରେ ହାତ ଦେଲେଣି । ଧାନଗଛରେ ପତ୍ରପୋଡା ରୋଗ ସୃଷ୍ଟି ହେଉଥିବା ବେଳେ ଗଛ ଗୁଡିକ ମୂଳରୁ ଧିରେ ଧିରେ ସୁଖି ହଳଦିଆ ପଡି ଯାଉଛି ଏବଂ ସମ୍ପୂର୍ଣ ଗଛଟି ପାଚିଲା ପରି ଦେଖାଯିବା ସହ ଧଳା ପଡି ମରିଯାଉଛି । ଏଥିପାଇଁ ବିଭିନ୍ନ ଔଷଧ ପକାଇଲେ ମଧ୍ୟ୍ୟ କୌଣସି ସୁଫଳ ମିଳୁନାହିଁ । ଚାଷୀମାନଙ୍କ ଶହ ଶହ ଏକର ଫସଲକୁ ଆକ୍ରାନ୍ତ ଏହି ଅଜଣା ରୋଗ ଉଜାଡ଼ି ଦେବାକୁ ବସିଥିବା ବେଳେ ଏହାକୁ ଦେଖି ଚାଷୀମାନଙ୍କ ଚିନ୍ତା ବଢ଼ି ଯାଇଛି ।
ବିଭିନ୍ନ ମହଲରୁ ଧାର କରଜ କରି ଶହ ଶହ ଚାଷୀ ବର୍ଷକ ପାଇଁ ଆହାର ଯୋଗାଡ଼ ପାଇଁ ଲାଗି ପଡ଼ିଥିବା ବେଳେ ଏବେ ଏପରି ଅଜଣା ରୋଗପୋକକୁ ନେଇ ସେମାନେ କ’ଣ କରିବେ ତାହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି । କୃଷି ବିଭାଗକୁ ଏ ସମ୍ପର୍କରେ ଅବଗତ କରାଯାଇଥିଲେ ବି କିଛି ସୁଫଳ ମିଳୁନାହିଁ । ଦୀର୍ଘ ଚାରି ମାସ ର ପରିଶ୍ରମ ଓ ଖର୍ଚ୍ଚ ଏବେ ପାଣିରେ ପଡ଼ିବାକୁ ବସିଛି । ଗତ ବନ୍ୟା ଏବଂ ଲଗାଣ ବର୍ଷାରୁ ସାମାନ୍ୟ ଆଶ୍ୱସ୍ତି ମିଳିଥିବା ବେଳେ ଏବେ ରୋଗପୋକ ସମସ୍ୟା ଚାଷୀଙ୍କ ପ୍ରମୁଖ ଚିନ୍ତାର କାରଣ ପାଲଟିଛି । ଗୋଟିଏ ଗଛରେ ଏହି ରୋଗପୋକ ଲାଗିବା ପରେ ଅନ୍ୟଗଛକୁ ବ୍ୟାପି ଯାଉଥିବା ଜଣାପଡ଼ିଛି । କୃଷି ଅଧିକାରୀ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ ଏହାର ପ୍ରତିକାର କରିବାକୁ ଚାଷୀ ମାନେ ଦାବି କରିଛନ୍ତି । ନଚେତ ସବୁ ଧାନ ଫସଲ ଉଜୁଡିଯିବ ଏଥିରେ ତିଳେମାତ୍ର ସନେ୍ଦହ ନାହିଁ । ଏ ବିଷୟରେ କୃଷି ଅଧିକାରୀଙ୍କୁ ପଚାରିବାରୁ ଔଷଧ ଆସିଗଲାଣି ତୁରନ୍ତ ଅଭିଯୋଗ କରିଥିବା ଚାଷୀମାନେ ଆସି ନେଇଯିବା ପାଇଁ ସେ ଅନୁରୋଧ କରିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *