କର୍ତ୍ତବ୍ୟରତ ଗୃହରକ୍ଷୀଙ୍କୁ ମାଡ଼ ଓ ଗାଳିଗୁଲଜ
ଥାନାଧିକାରୀଙ୍କ ଉନ୍ମତ୍ତକାଣ୍ଡ
ଫୁଲବାଣୀ (ବୁ୍ୟରୋ): କୋଟଗଡ଼ ଥାନା ଅଧିକାରୀଙ୍କ ନାମରେ ଆସିଛି ସାଙ୍ଘାତିକ ଅଭିଯୋଗ । ଡୁ୍ୟଟି ବେଳେ ଜଣେ ଗୃହରକ୍ଷୀଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳି ଗୁଲଜ କରିବା ସହ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଏ ନେଇ ସୋମବାର ସେ ଏସ୍ପି ଭିନିତ ଅଗ୍ରୱାଲଙ୍କ ଦ୍ୱାରସ୍ଥ ହୋଇ ଥାନାଧିକାରୀଙ୍କ ବିରୋଧରେ ଏକ ଅଭିଯୋଗପତ୍ର ପ୍ରଦାନ କରିଛନ୍ତି ।
କନ୍ଧମାଳ ଜିଲ୍ଲାରେ ପୁଣି ଜଣେ ଥାନା ଅଧିିକାରୀଙ୍କ ନାମରେ ନିର୍ଯାତନା ଅଭିଯୋଗ ଆଣିଲେ ଗୃହରକ୍ଷୀ କବିଚନ୍ଦ୍ର ନାୟକ(୩୬) । ୨୦୦୬ ଠାରୁ ଦୀର୍ଘ ୧୬ ବର୍ଷ ହେବ ପୁଲିସ ବିଭାଗରେ ଶୃଙ୍ଖଳିତ ଭାବରେ କାର୍ଯ୍ୟ ସମ୍ପାଦନ କରି ଆସୁଛନ୍ତି କବିଚନ୍ଦ୍ର । ଅସୁସ୍ଥତା ଯୋଗୁଁ ପୂର୍ବତନ ଥାନା ଅଧିକାରୀଙ୍କୁ କହି ସେ କୋଟଗଡ଼ ଥାନାରେ ଡୁ୍ୟଟି କରୁଥିଲେ । ଗତ ୮ତାରିଖ ସକାଳେ ସେ ଏସ୍ଆଇ ଶ୍ରୀ ପାତ୍ରଙ୍କ ସହିତ କୌଣସି କେସର ତଦନ୍ତ ପାଇଁ ବାଇକରେ ନିଲିମାଝିଗୁଡ଼ା ଗ୍ରାମକୁ ଯାଇଥିଲେ । ସନ୍ଧ୍ୟା ୬ଟା ବେଳେ ସେ ଥାନାକୁ ଫେରିଥିଲେ । ଥାନା ଅଧିକାରୀ ଶ୍ରୀ ଲେଙ୍କା କବିଚନ୍ଦ୍ରଙ୍କୁ ଡାକି ମିଥ୍ୟା ସ୍ୱାସ୍ଥ୍ୟଗତ ସମସ୍ୟା ଦର୍ଶାଇ ସେ ସବୁଦିନ ଥାନାକୁ ଡୁ୍ୟଟିରେ ଅସୁଥିବା କହିଥିଲେ । ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ସହିତ ଲାଠିରେ ତାଙ୍କ ଅଣ୍ଟାରେ ମାଡ଼ ମାରିଥିଲେ ବୋଲି ଶ୍ରୀ ନାୟକ ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି । ଶ୍ରୀ ଲେଙ୍କା ତାଙ୍କ ତଣ୍ଟିଚିପି ଜୀବନରେ ମାରି ଦେବାକୁ ଉଦ୍ୟମ କରିଥିବା ସେ ଉଲ୍ଲେଖ କରିଛନ୍ତି । ନିଶାସକ୍ତ ଅବସ୍ଥାରେ ସେ ହୋମଗାର୍ଡ ଶ୍ରୀ ନାୟକଙ୍କୁ ତାଙ୍କର କୁକୁର ଜଗିବା ପାଇଁ କହିଥିଲେ । କୁକୁର ଜଗିବା କାମ କରିପାରିବି ନାହିଁ ବୋଲି କହିବାରୁ ପ୍ରତିଶୋଧ ପରାୟଣ ହୋଇ ତାଙ୍କୁ ଅନ୍ୟ କୋଣସି କାର୍ଯ୍ୟ ଦିଆଯିବ ନାହିଁ ବୋଲି କହି ମିଥ୍ୟା କେସ୍ରେ ଫସେଇ ଜେଲ୍ରେ ପୂରେଇ ଦେବେ ବୋଲି ଶ୍ରୀ ଲେଙ୍କା ଧମକ ଦେଇଥିବା ସେ ଅଭିଯୋଗ କରିଛନ୍ତି । ଥାନାରେ ସେଂଟ୍ରି କନେଷ୍ଟବଳ ସନାତନ ଦଳପତି, ଏସ୍ଆଇ ଓମ୍ ନାରାୟଣ ପାତ୍ର, କନେଷ୍ଟବଳ ଚିତ୍ତ ରଞ୍ଜନ ବେହେରା, ଏଏସ୍ଆଇ ଭିମସେନ ମୁଟକା, ହୋମଗାର୍ଡ ବିପ୍ର ଚରଣ ବଳିଆରସିିଂ ଓ କୃଷ୍ଣ କୁମାର ନାୟକ ପ୍ରମୁଖଙ୍କ ଉପସ୍ଥିତରେ ଥାନା ଅଧିକାରୀ ଶ୍ରୀ ଲେଙ୍ଗା ତାଙ୍କୁ ଗାଳି ଗୁଲଜ କରିବା ସହିତ ମାଡ଼ ମାରିଥିବା କବିଚନ୍ଦ୍ର ଅଭିଯୋଗ କରିଛନ୍ତି ।