ଏଲ୍ଜି ଦେଲେ ସିବିଆଇ ତଦନ୍ତ ନିଦେ୍ର୍ଦଶ
ଦିଲ୍ଲୀ ସରକାରଙ୍କ ୧ଠଠଠ ଲୋ ଫ୍ଲୋର ବସ୍ କିଣା ପ୍ରକି୍ରୟାରେ ଦୁର୍ନୀତି
ନୂଆଦିଲ୍ଲୀ (ଏଜେନ୍ସି): କେଜରିୱାଲ୍ ସରକାରଙ୍କୁ ପୁଣି ଏକ ଜୋରଦାର ଝଟ୍କା ଲାଗିଛି । ସମ୍ପ୍ରତି ନିଜ ନୂଆ ଅବକାରୀ ନୀତିକୁ ନେଇ କେନ୍ଦ୍ରୀୟ ଏଜେନ୍ସିଗୁଡ଼ିକଙ୍କ ପକ୍ଷରୁ ତଦନ୍ତର ସମ୍ମୁଖୀନ ହୋଇଥିବା ଆମ୍ ଆଦ୍ମୀ ପାର୍ଟି (ଆପ୍) ସରକାରକୁ ଏବେ ଆଉ ଏକ ଘଟଣାରେ ସିବିଆଇ ତଦନ୍ତକୁ ସାମ୍ନା କରିବାକୁ ହେବ । ଦିଲ୍ଲୀ ଉପରାଜ୍ୟପାଳ ବିନୟ କୁମାର ସକ୍ସେନା ରବିବାର ଦିନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ନେତୃତ୍ୱାଧୀନ ଆପ୍ ସରକାରଙ୍କ ୨ଠ୧୯ରେ ନିଆଯାଇଥିବା ଏକ ନିଷ୍ପତ୍ତି ଉପରେ ସିବିଆଇ ତଦନ୍ତ ନିଦେ୍ର୍ଦଶ ଦେଇଛନ୍ତି ।
୨ଠ୧୯ ଜୁଲାଇରେ ଦିଲ୍ଲୀ ପରିବହନ ନିଗମ ଦିଲ୍ଲୀବାସୀଙ୍କ ସହଜ ଯାତାୟତ ପାଇଁ ପ୍ରାୟ ୧ଠଠଠ ବସ୍ କିଣିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଥିଲେ । ତେବେ ଏସବୁ ବସ୍ଗୁଡ଼ିକ ‘ଲୋ ଫ୍ଲୋର ବସ୍’ ବୋଲି ଦର୍ଶାଯିବା ସହ ଏଥିରେ ବ୍ୟାପକ ଅନିୟମିତତା ତଥା ଭ୍ରଷ୍ଟାଚାର (ପ୍ରାୟ ୫ହଜାର କୋଟି ଟଙ୍କାର ଦୁର୍ନୀତି) ହୋଇଥିବା ଅଭିଯୋଗ ହୋଇଥିଲା । ଦିଲ୍ଲୀ ପରିବହନ ନିଗମ (ଡିଟିସି)ର ମୁଖ୍ୟ ସଚିବ ଥିବା ନରେଶ କୁୂମାର ଗତ ଜୁନ୍ ୯ରେ ରାଜ୍ୟ ସରକାର ଜାଣିଶୁଣି ଲୋ ଫ୍ଲୋର ବସ୍ଗୁଡ଼ିକୁ କିଣିବା ପାଇଁ ଟେଣ୍ଡର ପ୍ରକ୍ରିୟା କରାଇଥିବା ନେଇ ରାଜ୍ୟପାଳଙ୍କ ଠାରେ ଅଭିଯୋଗ କରିଥିଲେ । ତେବେ ଏହାକୁ ନେଇ ବିରୋଧୀ ବିଜେପି ପକ୍ଷରୁ ଏକ ରାଜନୈତିକ ମୁଦ୍ଦା କରାଯିବା ପରେ ଉପରାଜ୍ୟପାଳ ସକ୍ସେନା ଏହି ଘଟଣାରେ ସିବିଆଇ ତଦନ୍ତକୁ ମଞ୍ଜୁରି ଦେଇଛନ୍ତି । ପ୍ରକାଶ, ଦିଲ୍ଲୀ ସରକାରଙ୍କ ବସ୍ କିଣା ପ୍ରକ୍ରିୟାରେ ହୋଇଥିବା ଘୋଟାଲା ସମପର୍କୀତ ଅଭିଯୋଗ ଆଳରେ ଦିଲ୍ଲୀ ପରିବହନ ମନ୍ତ୍ରୀଙ୍କ ବିରୋଧରେ ଟେଣ୍ଡର, କ୍ରୟ ପ୍ରକ୍ରିୟା ଏବଂ ଦିଲ୍ଲୀ ଇଣ୍ଟିଗ୍ରେଟେଡ୍ ମଲ୍ଟି-ମଡେଲ ଟ୍ରାନ୍ଜିଟ୍ ସିଷ୍ଟମ୍ (ଡିଆଇଏମ୍ଟିଏସ୍) ସମିତିର ଅଧ୍ୟକ୍ଷଙ୍କ ନିଯୁକ୍ତି ଆଦି ପ୍ରକ୍ରିୟାରେ ଭ୍ରଷ୍ଟାଚାର ହୋଇଥିବା ଦାବି କରାଯାଇଥିଲା ।
ସୂଚନାଯୋଗ୍ୟ ବସ୍ କିଣା ପ୍ରକ୍ରିୟାରେ ଜାଲିଆତି ହୋଇଥିବା ନେଇ ଅଭିଯୋଗ ଉଠିବା ପରେ ଦିଲ୍ଲୀ ସରକାର ବସ୍ କିଣା ପ୍ରକ୍ରିୟାକୁ ରଦ୍ଦ କରିଦେଇଥିଲେ ଏବଂ ଏଥିରୁ ଓହରିଯାଇଥିଲେ । କିନ୍ତୁ ଏବେ ଏହି ପ୍ରସଙ୍ଗକୁ ନେଇ ଉପରାଜ୍ୟପାଳ ସିବିଆଇ ତଦନ୍ତ ନିଦେ୍ର୍ଦଶ ଦେଇଛନ୍ତି । ଏଥିରେ ଆପ୍ ସରକାର ପ୍ରତିକ୍ରିୟାଶୀଳ ହୋଇପଡିଛି । ଆପ୍ ପକ୍ଷରୁ କୁହାଯାଇଛି ଯେ, ନିଜେ ଉପରାଜ୍ୟପାଳ ଅନେକ ଭ୍ରଷ୍ଟାଚାର ମାମଲାରେ ଛନ୍ଦି ହୋଇଥିବା ବେଳେ ନିଜ ଉପରୁ ଧ୍ୟାନ ହଟାଇବା ପାଇଁ ଆପ୍ ଉପରେ ଏପ୍ରକାର ମିଥ୍ୟା ଅଭିଯୋଗ ଆଣିଛନ୍ତି । ସିବିଆଇ ତଦନ୍ତର ନିଦେ୍ର୍ଦଶ ଦେଇ ଦିଲ୍ଲୀବାସୀଙ୍କ ମଧ୍ୟରେ ଆପ୍ ସରକାର ବିରୋଧରେ ଅବିଶ୍ୱାସ ସୃଷ୍ଟି କରାଇବାକୁ ବୃଥା ଚେଷ୍ଟା କରୁଛନ୍ତି । ଏସବୁ ପଛରେ ବିଜେପି ରହିଛି । ବିଜେପି ନିଦେ୍ର୍ଦଶରେ ଉପରାଜ୍ୟପାଳ ସକ୍ସେନା ଏସବୁ କରୁଛନ୍ତି । ତେବେ ବର୍ତ୍ତମାନ ସୁଦ୍ଧା ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ବିରୋଧରେ ବିଭିନ୍ନ ଅଭିଯୋଗ ଅଣାଯାଇସାରିଛି ଏବଂ ତଦନ୍ତ ମଧ୍ୟ କରାଯାଇଛି । କିନ୍ତୁ କୌଣସି ଫଳାଫଳ ମିଳିନାହିଁ । ଏବେ ଦିଲ୍ଲୀ ସରକାରରେ ଥିବା ୪ର୍ଥ ମନ୍ତ୍ରୀ ଭାବେ ପରିବହନ ମନ୍ତ୍ରୀଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଅଣାଯାଉଛି । ବିଜେପି ଏଥିରୁ ମଧ୍ୟ କିଛି ଲାଭ ପାଇବନି । ସେହିପରି ଦିଲ୍ଲୀକୁ ଜଣେ ପାଠଶାଠ ପଢ଼ିଥିବା ଉପରାଜ୍ୟପାଳଙ୍କ ଆବଶ୍ୟକତା ରହିଛି ବୋଲି ଆପ୍ ତାତ୍ସଲ୍ୟ କରିଛି । ଭିକେ ସକ୍ସେନାଙ୍କୁ କେଉଁ କାଗଜ ଉପରେ ଦସ୍ତଖତ କରିବା ଉଚିତ୍, କେଉଁ କାଗଜ ଉପରେ ଦସ୍ତଖତ କରିବା ଅନୁଚିତ ତାହା ମଧ୍ୟ ଜଣାନାହିଁ ବୋଲି ଆପ୍ କହିଛି ।